ଓଡ଼ିଶା ଡିଜିପି ନିଯୁକ୍ତି ସମ୍ପର୍କିତ ମାମଲା ଶୁଣାଣି ଘୁଞ୍ଚିଲା

ଅନୁଧ୍ୟାନ ପାଇଁ ସମୟ ନେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୦୨/୦୯: ଓଡ଼ିଶାର ନୂଆ ଡିଜିପି ନିଯୁକ୍ତି ଏବଂ ଚୟନ ପ୍ରକ୍ରିୟାକୁ ନେଇ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ସ୍ଥଗିତ ରଖି ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।

ମୁଖ୍ୟ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ଆଇନଜୀବୀ କୋର୍ଟଙ୍କୁ ଜଣାଇଛନ୍ତି ଯେ ସେମାନେ ଗତକାଲି ନିଜର ଜବାବ ଦାଖଲ କରିଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ମଧ୍ୟ ନିଜର ରିପୋର୍ଟ ଦାଖଲ କରିଥିବା ପ୍ରକାଶ କରିଛନ୍ତି। ଏହି ନୂତନ ରିପୋର୍ଟ ଓ ତଥ୍ୟଗୁଡ଼ିକର ଅନୁଧ୍ୟାନ କରିବା ପାଇଁ ସୁପ୍ରିମକୋର୍ଟ ସମୟ ନେଇଛନ୍ତି ଏବଂ ଘଟଣାର ଆସନ୍ତା ଶୁଣାଣି ସେପ୍ଟେମ୍ବର ୭ ତାରିଖରେ ହେବ ବୋଲି ଧାର୍ଯ୍ୟ କରିଛନ୍ତି।

ମାମଲାର ଶୁଣାଣି ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଥିବାରୁ ସେପର୍ଯ୍ୟନ୍ତ ୟୁପିଏସସି ଓଡ଼ିଶା ଡିଜିପି ନିଯୁକ୍ତି କିମ୍ବା ସୁପାରିଶ ସମ୍ପର୍କରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବେ ନାହିଁ।

ଶୁଣାଣି କାଳରେ ସ୍ପଷ୍ଟ କରାଯାଇଛି ଯେ ଏହି ଶୁଣାଣି ବେଶୀଦିନ ଧରି ଚାଲିବ ନାହିଁ। ୨୦୦୬ ‘ପ୍ରକାଶ ସିଂହ ମାମଲା’ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଜାରି ନିୟମ ଅନୁସାରେ, ରାଜ୍ୟରେ ଆଡହକ୍ (ଅସ୍ଥାୟୀ/କାମଚଳା) ବ୍ୟବସ୍ଥାରେ ବେଶୀ ଦିନ ପୋଲିସ ମୁଖିଆ କାର୍ଯ୍ୟ ତୁଲାଇ ପାରିବେ ନାହିଁ। ସ୍ଥାୟୀ ଡିଜିପି ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ ହେବା ଆବଶ୍ୟକ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ରାଜ୍ୟ ସରକାର ବରିଷ୍ଠତା ଓ ସେବା ଆଧାରରେ ଉପଯୁକ୍ତ ଆଇପିଏସ ଅଫିସରଙ୍କ ନାମ ୟୁପିଏସସିକୁ ପଠାଇଥାନ୍ତି ଏବଂ ୟୁପିଏସସି ସେଥିରୁ ୩ ଜଣ ଅଫିସରଙ୍କ ପ୍ୟାନେଲ ପ୍ରସ୍ତୁତ କରେ। ମାତ୍ର ଓଡ଼ିଶା ସରକାର ପ୍ରଥମେ ୩ ଜଣ ବରିଷ୍ଠ ଡିଜି ରାଙ୍କ ଅଫିସରଙ୍କ ନାଁ ସୁପାରିଶ କରିବା ପରେ ତାହାକୁ ପ୍ରତ୍ୟାହାର କରି ପରବର୍ତ୍ତୀ ସମୟରେ ଅଧିକ ଏଡିଜି ରାଙ୍କର ଅଫିସରଙ୍କୁ ସାମିଲ କରିଥିଲା। ତେଣୁ ଅଯୋଗ୍ୟ କିମ୍ବା କମ୍ ଦକ୍ଷତା ଥିବା ଅଫିସରଙ୍କୁ ଡିଜିପି ପ୍ୟାନେଲରେ ସାମିଲ କରିବାକୁ ଚେଷ୍ଟା କରାଯାଉଥିବା ନେଇ ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ କରାଯାଇଥିଲା।