ବନ୍ୟା ତାଣ୍ଡବ; ଭାରତକୁ ଭାସି ଆସିଲା ନେପାଳର ମୃତଦେହ

ଗଣ୍ଡକ ନଦୀରୁ ୫ ନେପାଳୀ ବନ୍ୟା ବିପନ୍ନଙ୍କ ମୃତଦେହ ଉଦ୍ଧାର

ଉତ୍ତରପ୍ରଦେଶ, ୦୨/୦୯: ନେପାଳରେ ଆସିଥିବା ପ୍ରଳୟଙ୍କରୀ ଫ୍ଲାସ୍ ଫ୍ଲଡ୍ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି‌। ନେପାଳ ଓ ତିବ୍ବତରେ ହଜାର ହଜାର ଲୋକ ନିଖୋଜ ଅଛନ୍ତି। ଯୁଆଡ଼େ ଦେଖିବ ଖାଲି ଶବ। ଆକସ୍ମିକ ବନ୍ୟା ଧ୍ୱଂସଲୀଳା ରଚିବା ପରେ ଧ୍ୱଂସାବଶେଷ ଭିତରୁ ଖୋଜା ଚାଲିଛି ଜୀବନ।

ତେବେ ପ୍ରବଳ ସ୍ରୋତରେ ଭାରତକୁ ଭାସି ଆସିଛି ନେପାଳର କିଛି ମୃତଦେହ। ଉତ୍ତର ପ୍ରଦେଶର ଗଣ୍ଡକ ନଦୀରୁ ମିଳିଥିବା ମୃତଦେହଗୁଡ଼ିକୁ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନେପାଳ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଉଛି।

ଅଗଷ୍ଟ ୨୬ ତାରିଖରେ ନେପାଳର ରସୁୱା ଅଞ୍ଚଳସ୍ଥିତ ଭୋଟେକୋଶୀ ଓ ତ୍ରିଶୂଳୀ ନଦୀରେ ଗ୍ଲେସିୟର ଭାଙ୍ଗିବା ଯୋଗୁଁ ଆସିଥିବା ପ୍ରବଳ ବନ୍ୟା ନାରାୟଣୀ-ଗଣ୍ଡକ ନଦୀ ପ୍ରଣାଳୀ ଦେଇ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିଲା।

ସେହି ବନ୍ୟା ଜଳରେ ଅନେକ ଲୋକ ଭାସି ଆସି ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଓ କୁଶୀନଗର ଜିଲ୍ଲାରେ ଗଣ୍ଡକ ନଦୀକୂଳରେ ଲାଗିଥିଲେ। ସଶସ୍ତ୍ର ସୀମା ବଳ, ଏସଡିଆରଏଫ ଏବଂ ଏନଡିଆରଏଫ ଟିମ୍ ଦ୍ୱାରା ନଦୀରୁ ଏହି ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଥିଲା।

ମହାରାଜଗଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ମୃତଦେହଗୁଡ଼ିକୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଶବଗୃହରେ ରଖାଯାଇ ପୋଷ୍ଟମର୍ଟମ କରାଯାଇଥିଲା। ନେପାଳରେ ନିଖୋଜ ଥିବା ଲୋକଙ୍କ ସହ ପରବର୍ତ୍ତୀ ସମୟରେ ପରିଚୟ ମେଳକ ପାଇଁ ପାଇଁ ଡିଏନଏ ନମୁନା ମଧ୍ୟ ସଂଗ୍ରହ କରାଯାଇଛି।

ସମସ୍ତ ଆଇନଗତ ଓ ପ୍ରଶାସନିକ ପ୍ରକ୍ରିୟା ଶେଷ ହେବା ପରେ, ମହେଶପୁର ସୀମାନ୍ତ ଦେଇ ଏହି ମୃତଦେହଗୁଡ଼ିକୁ ନେପାଳର ନୱଲପରାସୀ ପ୍ରଶାସନ ଓ ନେପାଳ ପୋଲିସକୁ ହସ୍ତାନ୍ତର କରାଯାଇଛି।

ଗଣ୍ଡକ ନଦୀରେ ବର୍ତ୍ତମାନ ସୁଦ୍ଧା ଅନେକ ମୃତଦେହ ଓ ବନ୍ୟା ଭାସିଆସିଥିବା ସାମଗ୍ରୀ ଦେଖାଯାଉଥିବାରୁ ଭାରତ-ନେପାଳ ସୀମାବର୍ତ୍ତୀ ଅଞ୍ଚଳରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ନଜର ରଖିଛନ୍ତି।