ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ ଭାବେ ନିଯୁକ୍ତ ହେଲେ ଏୟାର ମାର୍ଶଲ

ଅପସେରସନ ସିନ୍ଦୂରରେ ସାମିଲ୍ ଥିଲେ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରା

ଜିତେନ୍ଦ୍ର ମିଶ୍ରା ପାଇଛନ୍ତି ‘ସର୍ବୋତ୍ତମ ଯୁଦ୍ଧ ସେବା ମେଡାଲ’

ଅଯୋଧ୍ୟା, ୦୨/୦୯: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଭାବେ ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରାଙ୍କୁ ନିଯୁକ୍ତ କରାଯାଇଛି।

ଟ୍ରଷ୍ଟର ବୃଦ୍ଧି ପାଉଥିବା ଦାୟିତ୍ୱ, ଶ୍ରଦ୍ଧାଳୁଙ୍କ ସୁବିଧା ଏବଂ ପ୍ରଶାସନିକ ସ୍ୱଚ୍ଛତା ଆଣିବା ପାଇଁ ଏକ ସିଇଓ ଚୟନ ପ୍ରକ୍ରିୟା ସ୍ୱଚ୍ଛତାର ସହ କରାଯାଇଥିଲା। ମୋଟ ୫,୫୮୫ ଜଣ ଆବେଦନକାରୀଙ୍କ ମଧ୍ୟରୁ ଏକ ଉଚ୍ଚସ୍ତରୀୟ କମିଟି ଯେଉଁଥିରେ ଅବସରପ୍ରାପ୍ତ ବିଚାରପତି ପ୍ରମୋଦ କୋହଲି, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଭି.କେ. ଚାଟୁର୍ବେଦୀ ଏବଂ ଡ. ସୁରେଶ ହାବରେ ଥିଲେ, ସେମାନଙ୍କ ଦ୍ୱାରା ଯାଞ୍ଚ କରାଯାଇ ୧୬ ଜଣଙ୍କ ସହ ସାକ୍ଷାତକାର ପରେ ୩ ଜଣଙ୍କ ନାମ ଟ୍ରଷ୍ଟକୁ ପଠାଯାଇଥିଲା। ଶେଷରେ ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରାଙ୍କ ନାମରେ ମୋହର ମାରିଛି ଟ୍ରଷ୍ଟ।

ଜିତେନ୍ଦ୍ର ମିଶ୍ରା ଭାରତୀୟ ବାୟୁସେନାର ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖ୍ୟ ଭାବେ କାର୍ଯ୍ୟ କରିସାରିଛନ୍ତି। ସେ ଭାରତୀୟ ସେନାର ‘ଅପରେସନ୍ ସିନ୍ଦୂର’ ସମୟରେ ବାୟୁସେନାର ରଣନୀତି ଏବଂ ସଫଳ ଆକ୍ରମଣର ନେତୃତ୍ୱ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ସଫଳ ସାମରିକ ଅଭିଯାନ ଏବଂ ସେବାର ଶ୍ରେଷ୍ଠତା ପାଇଁ ତାଙ୍କୁ ସର୍ବୋତ୍ତମ ଯୁଦ୍ଧ ସେବା ମେଡାଲରେ ସମ୍ମାନିତ କରାଯାଇଛି। ୧୯୯୯ କାର୍ଗିଲ ଯୁଦ୍ଧ ଅପରେସନ ସଫେଦ ସାଗର ସମୟରେ ମିରେଜ ୨୦୦୦ ବିମାନରୁ ଲେଜର ଗାଇଡେଡ୍ ବୋମା ବ୍ୟବହାର କରିବାରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା।

ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାରେ ଜନ୍ମିତ ଜିତେନ୍ଦ୍ର ମିଶ୍ରା ବାୟୁସେନାରେ ୩୮ ବର୍ଷରୁ ଅଧିକ ସମୟ ଧରି ନିଜର ସେବା ପ୍ରଦାନ କରିବା ପରେ ଏପ୍ରିଲ ୨୦୨୬ରେ ଅବସର ଗ୍ରହଣ କରିଥିଲେ।