ଓଡ଼ିଆ ଅଧ୍ୟାପକ ଓ ଓଡିଶୀ ନୃତ୍ୟଶିଳ୍ପୀ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀଙ୍କୁ ଗୁରୁ ଗୌରବ ସମ୍ମାନ
ଦେଶ ବିଦେଶରେ ଓଡ଼ିଶୀର ପ୍ରଚାର ପ୍ରସାର କରିଥିବାରୁ ଭୂୟସୀ ପ୍ରଶଂସା
କଟକ, ୦୬/୦୯: କଟକର ଗୌରୀଶଙ୍କର ରାୟ ସମିଳନୀ କକ୍ଷରେ ଗୁରୁଦିବସ ଅବସରସରେ ଉତ୍କଳ ବିଦ୍ୟାଗୌରବ ପରିଷଦର ଅଷ୍ଟମ ବାର୍ଷିକ ସ୍ଵନକ୍ଷେତ୍ର ଉତ୍ସବରେ ଓଡିଶାର ବିଶିଷ୍ଟ ସୁନାମଧନ୍ୟ ଶିକ୍ଷା ଓ ନୃତ୍ୟ କ୍ଷେତ୍ରରେ ସାମଗ୍ରିକ ଅବଦାନ ପାଇଁ ଓଡ଼ିଆ ଭାଷା ସାହିତ୍ୟର ବରିଷ୍ଟ ପ୍ରାଧ୍ୟାପକ ତଥା ଅନ୍ତରାଷ୍ଟ୍ରୀୟ ବିଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀଙ୍କୁ ପରମହଂସ ସ୍ୱାମୀଜୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜ ପୁଷ୍ପଗୁଛ ସନନ୍ଦ, ମାନପତ୍ର ଉତ୍ତରୀୟ ଦେଇ ଆଶୀର୍ବାଦତ୍ମକ ଆଧ୍ୟାତ୍ମିକ ସମ୍ବର୍ଦ୍ଧନା କରିଛନ୍ତି। ମଞ୍ଚରେ ସଭାପତି ପ୍ରଫେସର ଡ଼କ୍ଟର ନଟବର ଶତପଥି, ବିଶିଷ୍ଟ ଆଇନଜ୍ଞ ତଥା ସମାଜସେବୀ ଶ୍ରୀଯୁକ୍ତ ସୌରୀଚନ୍ଦ୍ର ମହାପାତ୍ର, ବରିଷ୍ଟ ସାମ୍ବାଦିକ ତଥା ସମାଜର ପୂର୍ବତନ ସମ୍ପାଦକ ଡ଼କ୍ଟର ସତ୍ୟ ରାୟ, ଡାକ୍ତର ରବିରଞ୍ଜନ ସାହୁ, ପ୍ରାଧ୍ୟାପିକା ସାନ୍ୟାସିନୀ ବିଦ୍ୟୁତ କୁମାରୀ ଲାଲା, ଡ଼କ୍ଟର କିଶୋର ଚନ୍ଦ୍ର ଦାସ, ଉପସ୍ଥିତ ରହି ଡ଼କ୍ଟର ସାହାଣୀଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ଓଡିଶୀ ନୃତ୍ୟର ସୁଦିଗ ପ୍ରଚାର ପ୍ରସାର କରି ଦେଶ ବିଦେଶରେ ଓଡ଼ିଶାର ନାମକୁ ଭାସ୍ୱରିତ କରି ଆସୁଥିବାର ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ। ପ୍ରାଦେଶିକ, ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ଏକା ସାଙ୍ଗରେ ଗୋଟିଏ ମଞ୍ଚରେ ଓଡ଼ିଆ ସାହିତ୍ୟ ଓ ଓଡିଶୀ ନୃତ୍ୟର ନିଖୁଣ ପ୍ରଦର୍ଶନ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀଙ୍କ ଜୀବନର ସ୍ୱତନ୍ତ୍ର ଗରିମା ଅଧ୍ୟାୟ ଯାହା ସମଗ୍ର ଓଡ଼ିଆ ଭାଷା ଭାଷୀ ଓ ନୃତ୍ୟ ରସିକ ବିଶ୍ୱବାସୀଙ୍କୁ ଆମୋହିତ କରୁଛି। ବିଶେଷ କରି ଶ୍ରୀଜଗନ୍ନାଥ ମହାପ୍ରଭୃଙ୍କ ଗୁଣ୍ଡିଚା ଯାତ୍ରା, ବାହୁଡା ଯାତ୍ରା, ନୀଳାଦ୍ରି ବିଜେ, ସ୍ନାନ ଯାତ୍ରା, ଚନ୍ଦନ ଯାତ୍ରା, ଦୋଳ ଯାତ୍ରା, ଝୁଲଣ ଯାତ୍ରା ଓ ମହାପ୍ରଭୁଙ୍କ ଶେଷ ଦୁଇଥର ନବକଳେବର ଯାତ୍ରାରେ ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ହେବ ନୃତ୍ୟ ସେବା ଯୋଗାଇ ଆସୁଛନ୍ତି।