ପାକ୍‌ ଖେଳାଳିଙ୍କ ମୋବାଇଲ୍ ଜବତ

ପୁଣି ବିବାଦ ଘେରରେ ଇଂଲଣ୍ଡ ଗସ୍ତରେ ଥିବା ପାକିସ୍ତାନ କ୍ରିକେଟ ଟିମ୍

ଇସଲାମାବାଦ, ୦୬/୦୯: ଇଂଲଣ୍ଡ ଗସ୍ତରେ ପାକିସ୍ତାନ କ୍ରିକେଟ ଟିମ୍‌କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଲଗାତାର ଦୁଇଟି ଟେଷ୍ଟରେ ପରାଜୟ ଏବଂ ଦଳରେ ବଡ଼ ଧରଣର ପରିବର୍ତ୍ତନ ପରେ ଏବେ ଖେଳାଳିଙ୍କ ମୋବାଇଲ୍ ଫୋନ୍‌କୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

ରିପୋର୍ଟ ଅନୁସାରେ, ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ (PCB) କିଛି ପାକିସ୍ତାନୀ ଖେଳାଳିଙ୍କ ମୋବାଇଲ୍ ଫୋନ୍ ନିଜ କବ୍‌ଜାକୁ ନେଇଛି। ଏହି ଫୋନ୍‌ଗୁଡ଼ିକ ତୃତୀୟ ଟେଷ୍ଟ ଶେଷ ହେବା ପର୍ଯ୍ୟନ୍ତ PCB ପାଖରେ ରହିବ ବୋଲି ଖବର ପ୍ରକାଶ ପାଇଛି। ତେବେ କେଉଁ କେଉଁ ଖେଳାଳିଙ୍କ ଫୋନ୍ ନିଆଯାଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସୂଚନା ମିଳିଛି ଯେ, ବୋର୍ଡ କୌଣସି ଏକ ମାମଲାରେ ତଦନ୍ତ କରୁଛି। କିନ୍ତୁ ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ। ପିସିବି ମଧ୍ୟ ଏପର୍ଯ୍ୟନ୍ତ ଏହି ପଦକ୍ଷେପ ନେଇ ସାର୍ବଜନୀନ ଭାବେ କୌଣସି ସ୍ପଷ୍ଟୀକରଣ ଦେଇନାହିଁ।

ଖେଳାଳିଙ୍କ ଫୋନ୍ ହଠାତ୍ ପିସିବି ନିଜ କବ୍‌ଜାକୁ ନେବା ଘଟଣା ପରେ ମ୍ୟାଚ୍ ଫିକ୍ସିଂ କିମ୍ବା ଅନ୍ୟ କୌଣସି ଦୁର୍ନୀତି ସମ୍ପର୍କିତ ତଦନ୍ତ ଚାଲିଥିବା ନେଇ ଚର୍ଚ୍ଚା ହେଉଛି। ମ୍ୟାଚ୍ ଫିକ୍ସିଂ ଆଶଙ୍କା ମଧ୍ୟ ଦେଖାଦେଇଛି। କିନ୍ତୁ ଏପର୍ଯ୍ୟନ୍ତ ପିସିବି କିମ୍ବା ଆଇସିସି ପକ୍ଷରୁ କୌଣସି ଖେଳାଳିଙ୍କ ବିରୋଧରେ ମ୍ୟାଚ୍ ଫିକ୍ସିଂର ଅଭିଯୋଗ ନେଇ ସୂଚନା ମିଳିଛି।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ପାକିସ୍ତାନର ଖରାପ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (PCB) ଦଳରେ ବଡ଼ ଧରଣର ପରିବର୍ତ୍ତନ କରିଛି। ପ୍ରଥମ ଦୁଇଟି ଟେଷ୍ଟରେ ପାକିସ୍ତାନ ବଡ଼ ବ୍ୟବଧାନରେ ହାରିଥିବାରୁ ସିରିଜ୍‌ ଆଉ ହାତକୁ ଆସିବ ନାହିଁ। ଇଂଲଣ୍ଡ ୨-୦ରେ ଆଗୁଆ ହୋଇସାରିଛି।

ଏହି ପରାଜୟ ପରେ ପିସିବି ଦଳରୁ ୭ ଜଣ ଖେଳାଳିଙ୍କୁ ହଟାଇ ଘରକୁ ପଠାଇଛି। ଏମାନଙ୍କ ମଧ୍ୟରେ ମହମ୍ମଦ ରିଜୱାନ୍‌, ଇମାମ୍‌-ଉଲ୍‌-ହକ୍‌, ସଲମାନ ଅଲୀ ଆଘା, ଅଲୀ ଉସମାନ, ଆମିର ଜମାଲ, ମହମ୍ମଦ ଆୱାଇସ୍‌ ଜାଫର ଓ ଖୁରାମ ଶାହଜାଦ ଅଛନ୍ତି।

ଏହା ସହିତ ଦଳର ମୁଖ୍ୟ କୋଚ୍‌ ସରଫରାଜ ଅହମଦଙ୍କୁ ମଧ୍ୟ ଦାୟିତ୍ୱରୁ ହଟାଯାଇଛି ଏବଂ ମାଇକ୍‌ ହେସନ୍‌ଙ୍କୁ ଅନ୍ତରୀଣ ଭାବେ ଦାୟିତ୍ୱ ଦିଆଯାଇଛି।

ସିରିଜ୍‌ର ତୃତୀୟ ତଥା ଶେଷ ଟେଷ୍ଟ ସେପ୍ଟେମ୍ବର ୯ରୁ ବର୍ମିଂହାମ୍‌ର ଏଜବାଷ୍ଟନ୍‌ରେ ଖେଳାଯିବ। ଇଂଲଣ୍ଡ ସିରିଜ୍‌ ଜିତିସାରିଥିବାରୁ ଏହି ମ୍ୟାଚ୍‌ ପାକିସ୍ତାନ ପାଇଁ ମୁଖ୍ୟତଃ ସମ୍ମାନ ରକ୍ଷାର ଲଢ଼େଇ ହେବ।