ଶିକ୍ଷା ସହ କୌଶଳର ସମନ୍ୱୟ ହିଁ ଯୁବବର୍ଗଙ୍କୁ ଦକ୍ଷ ଓ ଦାୟିତ୍ୱବାନ କରିବ: ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି ଓ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ

୨୦୩୬ ଓଡ଼ିଶା ଶତବାର୍ଷିକୀ ଓ ୨୦୪୭ ବିକଶିତ ଭାରତ ନିର୍ମାଣ ପାଇଁ ଯୁବପିଢ଼ିଙ୍କୁ ଗୁରୁ ଦାୟିତ୍ୱ ନେବାକୁ ଆହ୍ୱାନ

ସମ୍ବଲପୁର, ୦୭/୦୯: ଶିକ୍ଷା ସହିତ କୌଶଳ ମିଶିଲେ ହିଁ ପ୍ରକୃତ ଦକ୍ଷତା ତିଆରି ହୁଏ । ବିଶ୍ୱବିଦ୍ୟାଳୟରୁ ମିଳିଥିବା ଜ୍ଞାନ ଓ କୌଶଳ ଆମକୁ ସମାଜ ପ୍ରତି ନିଜର ଦାୟିତ୍ୱ ପାଳନ କରିବାରେ ସମର୍ଥ କରିବ। ଯେତେବେଳେ ଜଣେ ବ୍ୟକ୍ତି ନିଜର ଦାୟିତ୍ୱ ନିଏ, ସେତେବେଳେ ହିଁ ସମାଜର ହଜାର ହଜାର ଲୋକଙ୍କ ଅଧିକାର ଓ ସୁରକ୍ଷା ସୁନିଶ୍ଚିତ ହୋଇପାରେ ବୋଲି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଐତିହାସିକ ୩୬ତମ ସମାବର୍ତ୍ତନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି ସାଂସଦ ତଥା ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ କଠୋର ସାଧନା, ନିଷ୍ଠା ଓ ଗବେଷଣା ବଳରେ ସ୍ନାତକ, ସ୍ନାତକୋତ୍ତର, ଡିଗ୍ରୀ ଓ ସ୍ୱର୍ଣ୍ଣପଦକ ହାସଲ କରିଥିବା ସମସ୍ତ ଯୁବ ପ୍ରତିଭା, ସେମାନଙ୍କ ଗୁରୁଜନ ଏବଂ ଗୌରବାନ୍ୱିତ ପିତାମାତାଙ୍କୁ ସେ ହୃଦୟର ସହ ଅଭିନନ୍ଦନ ଜଣାଇଛନ୍ତି । ସମ୍ବଲପୁର ଓ ବୁର୍ଲା କ୍ୟାମ୍ପସକୁ ବ୍ୟକ୍ତିତ୍ୱ ବିକାଶର ଶ୍ରେଷ୍ଠ ସୋପାନ ଭାବେ ବର୍ଣ୍ଣନା କରି ସେ କହିଛନ୍ତି ଯେ, ଆଜିର ‘ଡିସରପ୍ଟିଭ୍ ଟେକ୍ନୋଲୋଜି’ ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯୁଗରେ ବିଶ୍ୱ ଏକ ବଡ଼ ପରିବର୍ତ୍ତନ ଓ ସନ୍ଧିକ୍ଷଣ ଦେଇ ଗତି କରୁଛି । ଏଭଳି ସମୟରେ ଲାଇବ୍ରେରୀର ଗଭୀର ପଠନ ସହ ଚାଟ୍ ଜିପିଟ୍ ଭଳି ନୂତନ ପ୍ରଯୁକ୍ତିବିଦ୍ୟାର ସଠିକ୍ ଉପଯୋଗ କରି ଆମକୁ ସମାଜ ଓ ଅଞ୍ଚଳର ନୂଆ ଆହ୍ୱାନଗୁଡ଼ିକୁ ପୂରଣ କରିବାକୁ ହେବ ।

ବରଗଡ଼ର ଅସୁରଗଡ଼ ଏବଂ ଭୀମ ମଣ୍ଡଳୀର ପ୍ରାଚୀନ ଶିଳାଚିତ୍ରର ଉଦାହରଣ ଦେଇ ସେ କହିଛନ୍ତି ଯେ, ମହାନଦୀ ଅବବାହିକାରେ ହଜାର ହଜାର ବର୍ଷର ପ୍ରାଚୀନ ସଭ୍ୟତାର ବୈଜ୍ଞାନିକ ପ୍ରମାଣ ରହିଛି। ଆମକୁ କେବଳ ନିଜର ବ୍ୟକ୍ତିଗତ କିମ୍ବା ପରିବାରର ବିକାଶ ମଧ୍ୟରେ ସୀମିତ ନରହି ଏହି ଗୌରବମୟ ଐତିହ୍ୟକୁ ଆଗକୁ ନେବାକୁ ହେବ । ଆଗାମୀ ୧୦ ବର୍ଷ ପରେ ୨୦୩୬ରେ ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ଏବଂ ୨୦୪୭ରେ ଦେଶର ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ୨୧ ବର୍ଷ ପରେ ଅବସରରେ ଆମ ଯୁବପିଢ଼ିକୁ ଓଡ଼ିଶା ଓ ଭାରତର ନିର୍ମାଣ ପାଇଁ ଗୁରୁ ଦାୟିତ୍ୱ ନେବାକୁ ପଡ଼ିବ ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜାତୀୟ ଗବେଷଣା ଫାଉଣ୍ଡେସନ୍ ସହ ଯୋଡ଼ିହୋଇ ଗବେଷଣା, ସାମାଜିକ ସମୀକ୍ଷା ଓ ଦକ୍ଷତା ବୃଦ୍ଧିରେ ଦେଶର ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିବ ଏବଂ ଏଠାକାର ଯୁବବର୍ଗ ଦେଶର ବୌଦ୍ଧିକ ମେରୁଦଣ୍ଡ ସାଜିବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି।

ଏହି ସମାରୋହରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି ଓ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ଥିଲେ ।