କଲ୍ୟାଣସିଂହପୁର, ୮/୯ (ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ କରପା ପଞ୍ଚାୟତର ହେଚକଣା ଗ୍ରାମର ୪ ଜଣ ଯୁବକ ଘର ସମସ୍ୟା କୁ ନେଇ ଦାଦନ ଯାଉଥିବା ଦେଖିବାକୁ ମିଳିଛି। ସେମାନେ ହେଲେ ଗିରିଧାରୀ ଶ୍ରେଣୀକା (୨୮), କଲାଙ୍ଗ କାଡ୍ରାକା ୨୬, ପ୍ରସାଦ ମଣ୍ଡିକା ୨୬, ରାମଚନ୍ଦ୍ର କାଡ୍ରାକା (୨୫ )।
ଏହିମାନେ ପୂର୍ବରୁ ଆନ୍ଧ୍ରପ୍ରଦେଶକୁ ଦାଦନ ପାଇଁ ଯାଇଥିଲେ। ବର୍ତ୍ତମାନ ଚାଷ ବାସ ପାଇଁ ଆସି ପୁଣି ଦାଦନ ପାଇଁ ଯାଇଥିବା ଦେଖିବାକୁ ମିଳିଛି। ସେମାନଙ୍କୁ ପଚାରିବାରୁ କହିଛନ୍ତି, ଆମ ଆଞ୍ଚଳରେ ସଠିକରେ କାମ ମିଳୁନି। ଯେଉଁ କାମ ମିଳୁଛି ସେଥିରେ ମଜୁରୀ ଟଙ୍କା ପାଇଁ ବୁଲିବୁଲି ନୟାନ୍ତ ହେଲେ ବି ଟଙ୍କା ମିଳୁନି। ଟଙ୍କା ପାଇଲେ ପରିବାର ଭରଣପୋଷଣ କରିବୁ। କାମ କରି ତିନିରୁ ଚାରି ମାସ ହେବ ଟଙ୍କା ପାଇଁ ବୁଲୁଛୁ। କେହି ହେଲେ ଆମ କଥା ଶୁଣୁ ନାହାନ୍ତି। ତେଣୁ ଦାଦନ ଯାଇ ସପ୍ତାହକୁ ଥରେ ଟଙ୍କା ପଠାଇଲେ ପରିବାର ଚାଲୁଛି।ଆମେ ପ୍ରତ୍ୟେକ ବର୍ଷ ଚାଷ ସମୟରେ ଗାଁ କୁ ଆସି ଚାଷ ସାରୀ ପୁଣି ଦାଦନ ଖଟିବାକୁ ଯାଉଛୁ ବୋଲି କହିଛନ୍ତି।
ଏ ବିଷୟରେ ଶ୍ରମିକ ଅଧିକାରୀ ଲୋକେଶ୍ବରୀ ମାଝୀଙ୍କୁ ଯୋଗାଯୋଗ କରିଥିଲେ କୌଣସି ପ୍ରତିକ୍ରିୟା ମିଳିପାରିନି। ଜିଲ୍ଳା ଶ୍ରମ ଅଧିକାରୀ ରବୀନ୍ଦ୍ର ନାଥ ତ୍ରିପାଠୀ କହିଛନ୍ତି, ସରକାରୀ ନିୟମ ଅନୁଯାୟୀ ବ୍ଲକ, ଥାନା, ଜିଲ୍ଲା ଅଧିକାରୀ, ଶ୍ରମ ଅଧିକାରୀ କାର୍ଯ୍ୟାଳୟରେ ସୂଚନା ଦେଇ ଦାଦନ ଯିବା ଉଚିତ। ଏ ନେଇ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚଙ୍କୁ ନେଇ ସଚେତନତା କରାଯିବ। ଯେଉଁ ମାନେ ଦାଦନ ଯାଉଛନ୍ତି ସେମାନଙ୍କ ପରିଚୟ ବ୍ଲକ, ଥାନା ଓ ଶ୍ରମ ବିଭାଗ କାର୍ଯ୍ୟାଳୟରେ ଦେଇ ଯାଇପାରିବେ ବୋଲି କହିଛନ୍ତି।