କଲ୍ୟାଣସିଂହପୁର, ୦୮/୦୯: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡ଼ା ପଞ୍ଚାୟତ ରାଉତ ପରଡିଗୁଡ଼ା ଗ୍ରାମର ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ତାଙ୍କ ଅଜାଣତରେ ଉଠାଯାଇଥିବା ଅଭିଯୋଗ ହୋଇଛି। ବୃଦ୍ଧା ହିକକା ନୀଳାଇଙ୍କ ଭତ୍ତା ଟଙ୍କା ଗତ ଦୁଇ ବର୍ଷ ଧରି ଅନଲାଇନ୍ ମାଧ୍ୟମରେ ତାଙ୍କ ଏସ୍ବିଆଇ ଜମାଖାତା ନମ୍ବର ( ୩୫୩୩୨୩୫୦୯୪୭୯) କୁ ଆସୁଥିବା ବେଳେ ସେ ଟଙ୍କା ଉଠାଇ ପାରୁନଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ ପୂର୍ବରୁ ବୃଦ୍ଧାଙ୍କୁ ହାତରେ ଭତ୍ତା ଟଙ୍କା ମିଳୁଥିଲା। ଅନଲାଇନ୍ ବ୍ୟବସ୍ଥା ହେବା ପରେ ତାଙ୍କ ବ୍ୟାଙ୍କ ଖାତାକୁ ପ୍ରତିମାସ ଭତ୍ତା ଟଙ୍କା ଜମା ହେଉଥିବା ଜଣାପଡ଼ିଥିଲା। ତେବେ ଶାରୀରିକ ଅସୁବିଧା ଯୋଗୁଁ ବୃଦ୍ଧାଙ୍କ ପକ୍ଷେ ବ୍ୟାଙ୍କ କିମ୍ବା ଜନସେବା କେନ୍ଦ୍ରକୁ ଯାଇ ଟଙ୍କା ଉଠାଇବା ସମ୍ଭବ ହେଉନଥିଲା।
ସମ୍ପର୍କୀୟ ଭଣଜା ହୁଇକା ସୁବା ବୃଦ୍ଧାଙ୍କୁ ଧରି ମାଝୀଗୁଡ଼ାସ୍ଥିତ ଏସ୍ବିଆଇ ଶାଖାକୁ ଯାଇ ଖାତା ଯାଞ୍ଚ କରିଥିଲେ। ସେଠାରେ ଖାତାରେ ଟଙ୍କା ନଥିବା ଜଣାପଡ଼ିବା ପରେ ସେମାନେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଜିତ ସାମନ୍ତସିଂଙ୍କୁ ଭେଟିଥିଲେ। ଅଧିକାରୀଙ୍କ ପକ୍ଷରୁ ପ୍ରତିମାସ ଭତ୍ତା ଟଙ୍କା ଖାତାକୁ ଜମା ହେଉଥିବା କୁହା ଯାଇଥିଲା। ପରେ ଏକ ଜନସେବା କେନ୍ଦ୍ରରେ ମିନି ଷ୍ଟେଟମେଣ୍ଟ ଯାଞ୍ଚ କରିବାରୁ ଏକ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ଆଇଡି ମାଧ୍ୟମରେ ଟଙ୍କା ଉଠାଯାଇଥିବା ଜଣାପଡ଼ିଥିବା ବୃଦ୍ଧାଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି।
ଘଟଣା ସମ୍ପର୍କରେ ବୃଦ୍ଧା ଓ ତାଙ୍କ ସମ୍ପର୍କୀୟମାନେ କଲ୍ୟାଣସିଂହପୁର ଥାନାରେ ଜଣାଇଥିବା ବେଳେ ପୁଲିସ ପକ୍ଷରୁ ଘଟଣା ସମ୍ପର୍କରେ ତଦନ୍ତ କରାଯିବ ବୋଲି କୁହାଯାଇଥିବା ସେମାନେ କହିଛନ୍ତି। ଏନେଇ ସମ୍ପର୍କୀୟ ହୁଇକା ସୁବା କହିଛନ୍ତି ବୃଦ୍ଧାଙ୍କ ଭତ୍ତା ଟଙ୍କା ଯିଏ ଉଠାଇଥିବେ ସେ ଯଦି ଟଙ୍କା ଫେରାଇ ଦିଅନ୍ତି ତେବେ ସେମାନେ କୌଣସି ଅସୁବିଧା କରିବେ ନାହିଁ।
ନଚେତ୍ ଆଇନର ଆଶ୍ରୟ ନେବେ ବୋଲି ସେ କହିଛନ୍ତି। ବୃଦ୍ଧାଙ୍କ ଭତ୍ତା ଟଙ୍କା କିପରି ଅନ୍ୟ ମାଧ୍ୟମରେ ଉଠାଯାଇଥିଲା ଏବଂ ଏଥିରେ କାହାର ସମ୍ପୃକ୍ତି ରହିଛି ତାହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ସହ ଟଙ୍କା ଫେରସ୍ତ କରିବାକୁ ଦାବି ହୋଇଛି।