ଝାରସୁଗୁଡ଼ା ପୌରାଧ୍ୟକ୍ଷାଙ୍କ ପାଇଁ ବଢ଼ିଲା ଭିଜିଲାନ୍ସ ଚାପ

ଦେଶ ଛାଡ଼ିବା ଉପରେ ହାଇକୋର୍ଟଙ୍କ ରୋକ୍

ଆର୍ଥିକ ଅନିୟମିତତା ମାମଲାରେ ପୁଣି ନୋଟିସ୍

ଝାରସୁଗୁଡ଼ା, ୮/୯: ଝାରସୁଗୁଡ଼ା ପୌରପାଳିକାର ପୌରାଧ୍ୟକ୍ଷାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ମଧ୍ୟରେ ଚାପ ବଢ଼ିଛି। ଏକ ଦୁର୍ନୀତି ମାମଲାରେ ଓଡ଼ିଶା ହାଇକୋର୍ଟ ଚାର୍ଜସିଟ୍‌ ଦାଖଲ ହେବା ପର୍ଯ୍ୟନ୍ତ ତାଙ୍କୁ ଭାରତ ଛାଡ଼ି ନଯିବାକୁ ନିର୍ଦ୍ଦେଶ ଦେଇଥିବାବେଳେ, ଅନ୍ୟ ଏକ କଥିତ ଆର୍ଥିକ ଅନିୟମିତତା ମାମଲାରେ ଭିଜିଲାନ୍ସ ପୁଣି ନୋଟିସ୍ ଜାରି କରିଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ VGR Case No. 23 of 2024 ସହ ସମ୍ପର୍କିତ, ଯାହା Rourkela Vigilance P.S. Case No. 16 of 2024 ଆଧାରରେ ରୁଜୁ ହୋଇଛି। ଏହି ମାମଲାରେ ପୌରାଧ୍ୟକ୍ଷା ଗିରଫଦାରୀ ପୂର୍ବ ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ବିରୋଧରେ Prevention of Corruption (Amendment) Act, 2018 ସହିତ IPCର ଧାରା ୪୦୯, ୪୨୦ ଓ ୧୨୦-ବି ଅନୁଯାୟୀ ମାମଲା ରହିଛି।

ଭିଜିଲାନ୍ସର ଅଭିଯୋଗ ଅନୁସାରେ, ୨୦୨୨-୨୩ ଓ ୨୦୨୩-୨୪ରେ ମଶା ଲାର୍ଭିସାଇଡାଲ୍ ତେଲ କ୍ରୟରେ ପୌରପାଳିକାର କେତେକ ଅଧିକାରୀ ଓ ଯୋଗାଣକାରୀଙ୍କ ସହ ମିଶି ଅଧିକ ଦରରେ ସାମଗ୍ରୀ କିଣାଯାଇଥିଲା। ଏଥିରେ ସରକାରୀ ରାଜକୋଷର ପ୍ରାୟ ୬୧.୪୪ ଲକ୍ଷ ଟଙ୍କା କ୍ଷତି ହୋଇଥିବା ଭିଜିଲାନ୍ସ ଦାବି କରିଛି।

ପୌରାଧ୍ୟକ୍ଷାଙ୍କ ପକ୍ଷରୁ ହାଇକୋର୍ଟରେ ଯୁକ୍ତି ଦିଆଯାଇଥିଲା ଯେ ସେ କ୍ରୟ କମିଟିର କେବଳ ଜଣେ ସଦସ୍ୟ ଥିଲେ ଏବଂ ମାମଲାର ଅଧିକାଂଶ ପ୍ରମାଣ ଦସ୍ତାବିଜ୍‌ଭିତ୍ତିକ। ଏଥିସହ ତତ୍କାଳୀନ ଏକ୍ଜିକ୍ୟୁଟିଭ୍ ଅଫିସରଙ୍କ ସମେତ ଚାରି ସହଅଭିଯୁକ୍ତ ଜାମିନ୍ ପାଇଥିବା ଦର୍ଶାଯାଇଥିଲା।

ତେବେ ହାଇକୋର୍ଟ ତତ୍କାଳ ପୂର୍ବ ଗିରଫ ଜାମିନ୍ ଦେଇନଥିଲେ। ତିନି ସପ୍ତାହ ମଧ୍ୟରେ ଟ୍ରାଏଲ୍ କୋର୍ଟରେ ଆତ୍ମସମର୍ପଣ କରି ଜାମିନ୍ ଆବେଦନ କଲେ, ଉପଯୁକ୍ତ ସର୍ତ୍ତରେ ମୁକ୍ତି ଦେବାକୁ କୋର୍ଟ କହିଛନ୍ତି। ତଦନ୍ତରେ ସହଯୋଗ କରିବା, ଅନୁମତି ବିନା କୋର୍ଟର ଅଧିକାରକ୍ଷେତ୍ର ଛାଡ଼ି ନଯିବା ସହ ଚାର୍ଜସିଟ୍‌ ଦାଖଲ ପର୍ଯ୍ୟନ୍ତ ଭାରତ ଛାଡ଼ି ନଯିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ଏହି ତଦନ୍ତ ଚାଲିଥିବାବେଳେ ଅନ୍ୟ ଏକ କଥିତ ଆର୍ଥିକ ଅନିୟମିତତା ମାମଲାରେ ଭିଜିଲାନ୍ସ ପୌରାଧ୍ୟକ୍ଷାଙ୍କୁ ପୁଣି ନୋଟିସ୍ କରିଛି। ସୂଚନା ଅନୁସାରେ, ସେପ୍ଟେମ୍ବର ୮ରେ ଭିଜିଲାନ୍ସ ନିକଟରେ ହାଜର ହେବାକୁ ତାଙ୍କୁ କୁହାଯାଇଛି।

ଗୋଟିଏ ମାମଲାରେ ହାଇକୋର୍ଟଙ୍କ କଡ଼ା ସର୍ତ୍ତ ଏବଂ ଅନ୍ୟ ମାମଲାରେ ଭିଜିଲାନ୍ସର ନୂଆ ନୋଟିସ୍‌ ପୌରପାଳିକାର ଆର୍ଥିକ କାରବାରକୁ ନେଇ ଚାଲିଥିବା ତଦନ୍ତର ପରିସରକୁ ନେଇ ଗୁରୁତ୍ୱ ବଢ଼ାଇଛି।