ବାଲେଶ୍ୱର, ୦୮/୦୯: ଓଡ଼ିଶାରେ ଓରାଙ୍ଗଉଟାନ ଠାବ। ବାଲେଶ୍ବର ଉଦୟପୁର ବନ ବିଭାଗ ପକ୍ଷରୁ ୫ଟି ଓରାଙ୍ଗଉଟାନ ଠାବ ହୋଇଛି। ରଣକୋଠା ବଡ଼ପାହି ଅଞ୍ଚଳ ବିଚିତ୍ରପୁର ଜଙ୍ଗଲରୁ ଠାବ ହୋଇଛନ୍ତି ୫ଟି ଓରାଙ୍ଗଉଟାନ। ଆଜି ସକାଳୁ ଖବର ପାଇବା ପରେ ଘଟଣାସ୍ଥଳରେ ଉଦୟପୁର ବନ ବିଭାଗର ଟିମ୍ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପଠାଇଛି।
ବିରଳ ପ୍ରଜାତିର ଜୀବଙ୍କୁ ଦେଖିବା ପାଇଁ ଜଙ୍ଗଲରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଗ୍ରାମାଞ୍ଚଳର ଏହି ଜଙ୍ଗଲକୁ ଏଭଳି ଜୀବ କେଉଁଠୁ ଆସିଲେ ସସପେନ୍ସ ଜାରି ରହିଛି।
ଅନ୍ୟପଟେ ୫ଟି ଓରାଙ୍ଗଉଟାନ ଠାବ ପଛରେ ଇଣ୍ଟରନ୍ୟାସନାଲ୍ ସ୍ମଗଲିଂ ସନ୍ଦେହ ହେଉଥିବା କହିଛନ୍ତି ପିସିସିଏଫ୍ ପ୍ରେମ୍ ଝା। ସେ କହିଛନ୍ତି, ଓରାଙ୍ଗଉଟାନ ଭାରତୀୟ ପଶୁ ନୁହଁନ୍ତି। ସେମାନେ ଦକ୍ଷିଣ ପୂର୍ବ ଏସିଆରେ ଦେଖାଯାଆନ୍ତି। ତେଣୁ ସେମାନେ ଏଠାକୁ କିପରି ଆସିଲେ, ତାହାର ବନ ବିଭାଗ ତଦନ୍ତ କରିବ, ପୋଲିସକୁ ମଧ୍ୟ ତଦନ୍ତ ପାଇଁ କୁହାଯାଇଛି। ଦେଶର ଦୁଇ ତିନୋଟି ସ୍ଥାନରେ କ୍ବଚିତ ଦେଖାଯାନ୍ତି। ଓଡ଼ିଶାରେ ଓରାଙ୍ଗଉଟାନ କେବେ ଦେଖାଯିବାର ନଜିର ନାହିଁ। ନନ୍ଦନକାନନରୁ ଗୋଟିଏ ଟିମ୍ ଭୋଗରାଇ ବାହାରି ସାରିଛି। ଉଦ୍ଧାର ୫ ଓରାଙ୍ଗଉଟାନଙ୍କୁ ନନ୍ଦନକାନନରେ କ୍ବାରେଣ୍ଟାଇନ୍ରେ ରଖାଯିବ।