ନୂଆଦିଲ୍ଲୀ, ୦୮/୦୯: ଦକ୍ଷିଣ-ପୂର୍ବ ଦିଲ୍ଲୀର କିଲୋକରୀ ଅଞ୍ଚଳରେ ଜଣେ ମଣିପୁରୀ ସଙ୍ଗୀତକାର ଓ ସଙ୍ଗୀତ ଶିକ୍ଷକଙ୍କୁ ମାଡ଼ ମାରି ହତ୍ୟା ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ନାମ ଚୋଙ୍ଗଥାମ ବିକ୍ରମ ସିଂହ।
ପୁଲିସର ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୧୧ଟା ୩୦ ସମୟରେ ବିକ୍ରମ ନିଜ ଘରେ ଥିଲେ। କିନ୍ତୁ ଘର ବାହାରେ କିଛି ଲୋକ ହୋହଲ୍ଲା କରୁଥିବାରୁ ସେ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ବଚସା ହେବା ପରେ ତାଙ୍କ ଉପରେ ଏକାଧିକ ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ପ୍ରାଥମିକ ତଦନ୍ତରେ ଆକ୍ରମଣକାରୀମାନଙ୍କ ମଧ୍ୟରେ ଢାବା କର୍ମଚାରୀ ଓ ଡେଲିଭରି କର୍ମଚାରୀ ଥିବା ପୁଲିସ କହିଛି। ଘଟଣା ପରେ ବିକ୍ରମଙ୍କୁ ତାଙ୍କ ପୁଅ ହସ୍ପିଟାଲକୁ ନେଇଥିଲେ। ହୋଲି ଫ୍ୟାମିଲି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଏହି ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛି। ହତ୍ୟା ମାମଲା ରୁଜୁ କରି ପୁଲିସ ଘଟଣାର ସମସ୍ତ ପରିସ୍ଥିତି ଯାଞ୍ଚ କରୁଛି। CCTV ଫୁଟେଜ୍କୁ ମଧ୍ୟ ତଦନ୍ତ କରାଯାଉଛି।
ବିକ୍ରମ ସିଂହ ମଣିପୁର ସଙ୍ଗୀତ ଜଗତରେ ଏକ ପରିଚିତ ଚେହେରା ଥିଲେ। ସେ ଦିଲ୍ଲୀରେ ସଙ୍ଗୀତ ଶିକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ସେ ପ୍ରସିଦ୍ଧ ମଣିପୁରୀ ଗାୟିକା ଚୋଙ୍ଗଥାମ କମଳାଙ୍କ ବଡ଼ ପୁଅ ଥିଲେ।
ହତ୍ୟା ଘଟଣା ପରେ ଦିଲ୍ଲୀରେ ରହୁଥିବା ଉତ୍ତର-ପୂର୍ବ ଭାରତୀୟ ସମୁଦାୟ ଓ ବିଭିନ୍ନ ସିଭିଲ୍ ସୋସାଇଟି ସଂଗଠନ ଥାନା ସମ୍ମୁଖରେ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ନର୍ଥ ଇଷ୍ଟ ଷ୍ଟୁଡେଣ୍ଟସ୍ ସୋସାଇଟି ମଧ୍ୟ ଘଟଣାକୁ ନିନ୍ଦା କରିଛି।
ଘଟଣା ପରେ କିଛି ଉତ୍ତର-ପୂର୍ବ ଭାରତୀୟ ସମୁଦାୟର ସଦସ୍ୟ ଏହା ପଛରେ ଜାତିଗତ ଭେଦଭାବର ଭୂମିକା ଥାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ଦିଲ୍ଲୀ ପୁଲିସ ଏପର୍ଯ୍ୟନ୍ତ ଜାତିଗତ ଉଦ୍ଦେଶ୍ୟ ପ୍ରମାଣିତ ହୋଇନଥିବା କହିଛି। ତଦନ୍ତ ପରେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।