ଧରା ପଡ଼ିଲା ନକଲି ପିଏମଓ ଅଧିକାରୀ

ପାଖରେ ରଖିଥିଲା ବଡ଼ିଗାର୍ଡ, ବନ୍ଧୁକ ସହ ଦୁଇ ଅଟକ

ନୂଆଦିଲ୍ଲୀ, ୦୮/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୋଲିସ। ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (ବିକେସି)ସ୍ଥିତ ନିତା ମୁକେଶ ଅମ୍ବାନୀ କଲଚରାଲ ସେଣ୍ଟରରୁ ଦୁଇଜଣଙ୍କୁ ଉଠାଇ ନେଇଛି ପୋଲିସ। ଏମାନଙ୍କ ମଧ୍ୟରୁ ଜଣେ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ର ଅଧିକାରୀ ବୋଲି ପରିଚୟ ଦେଇଥିବା ଅଭିଯୋଗ ହୋଇଛି। (

ଅଟକ ଯୁବକ ଜଣକ ହେଉଛନ୍ତି ରୋହନ ପାରେଖ (୨୪)। ସୁରକ୍ଷା ଯାଞ୍ଚ ସମୟରେ ତାଙ୍କ ପାଖରୁ ଏକ ନକଲି ପିଏମଓ ପରିଚୟପତ୍ର ମିଳିଥିଲା।

ଏପରିକି ରୋହନଙ୍କ ସହ ଜଣେ ବ୍ୟକ୍ତି ଥିଲେ, ଯିଏ ତାଙ୍କ ବଡିଗାର୍ଡ ଭାବେ ପରିଚୟ ଦେଇଥିଲେ। ସେହି ବ୍ୟକ୍ତିଙ୍କ ନିକଟରୁ ଏକ ବନ୍ଧୁକ ମିଳିଥିବା ପୁଲିସ କହିଛି। ଘଟଣାକୁ ଗୁରୁତ୍ୱର ସହ ନେଇ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି।

ପ୍ରଧାନମନ୍ତ୍ରୀ ମୋଦୀ ବିକେସିର ଜିଓ ୱାର୍ଲ୍ଡ ସେଣ୍ଟରରେ ଗ୍ଲୋବାଲ ଫିନଟେକ ଫେଷ୍ଟର ଉଦ୍‌ଘାଟନ କରିବାକୁ ଯାଇଥାନ୍ତେ। ସେଠାରେ ସେ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା। ଏହି କାରଣରୁ କାର୍ଯ୍ୟକ୍ରମସ୍ଥଳ ଓ ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ଯାଞ୍ଚ ଚାଲିଥିଲା। ଏହି ସମୟରେ ଦୁଇ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୋଲିସ।