ଜାତିସଂଘର ନୂଆ ମାନଚିତ୍ରକୁ ନେଇ ବିବାଦ

ଅରୁଣାଚଳ ଓ ଅକ୍ସାଇ ଚୀନ୍‌କୁ ନେଇ ଭାରତର ଆପତ୍ତି

ନୂଆଦିଲ୍ଲୀ, ୦୮/୦୯: ଜାତିସଂଘ ଦ୍ୱାରା ଅନୁମୋଦିତ ହୋଇଥିବା ବିଶ୍ୱର ଏକ ନୂତନ ମାନଚିତ୍ରକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ନୂତନ ମାନଚିତ୍ରରେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନ୍‌ କୁ ଭାରତୀୟ ଓ ଚୀନ୍‌ ସୀମା ରେଖା ମଧ୍ୟରେ ଅବସ୍ଥିତ ବିବାଦୀୟ କିମ୍ବା ପୃଥକ୍‌ ଅଞ୍ଚଳ ଭାବରେ ଦର୍ଶାଯାଇଛି।

ମାନଚିତ୍ରରେ ଅରୁଣାଚଳ ପ୍ରଦେଶର ଉତ୍ତର ସୀମାକୁ “ଇଣ୍ଡିଆନ୍ ଲାଇନ୍” ଏବଂ ଆସାମ ସହ ଲାଗିଥିବା ଦକ୍ଷିଣ ସୀମାକୁ “ଚାଇନିଜ୍ ଲାଇନ୍” ଭାବେ ଚିହ୍ନିତ କରାଯାଇଛି। ଅକ୍ସାଇ ଚୀନ୍ ର ପୂର୍ବ ସୀମାକୁ “ଇଣ୍ଡିଆନ୍ ଲାଇନ୍” ଓ ପଶ୍ଚିମ ସୀମାକୁ “ଚାଇନିଜ୍ ଲାଇନ୍” ଭାବେ ଦର୍ଶାଯାଇଛି। ସେହିପରି ଜମ୍ମୁ-କାଶ୍ମୀରରେ ନିୟନ୍ତ୍ରଣ ରେଖା (ଏଲଓସି) କୁ ଡଟେଡ୍ ଲାଇନ୍ ଦ୍ୱାରା ଦର୍ଶାଇ ଏହା ଏକ ବିବାଦୀୟ ଅଞ୍ଚଳ ବୋଲି ନୋଟ୍‌ରେ ଲେଖାଯାଇଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୪, ୨୦୨୬ରେ ଜାତିସଂଘ ସାଧାରଣ ପରିଷଦରେ ଇକୁଆଲ ଅର୍ଥ ପ୍ରୋଜେକ୍ସନ ‘କରେକ୍ଟ ଦି ମ୍ୟାପ’ ପ୍ରସ୍ତାବ ଗୃହୀତ ହୋଇଥିଲା। ପୁରୁଣା ‘ମରକେଟର୍‌ ମାନଚିତ୍ର’ ରେ ମହାଦେଶଗୁଡ଼ିକର (ବିଶେଷ କରି ଆଫ୍ରିକାର) ପ୍ରକୃତ ଆକାର ଦେଖାଯାଉ ନଥିବାରୁ, ଭୂଖଣ୍ଡଗୁଡ଼ିକର ସଠିକ୍‌ ଆକାର ଦର୍ଶାଇବା ପାଇଁ ଆଫ୍ରିକୀୟ ଦେଶ (ଟୋଗୋ) ଦ୍ୱାରା ଏହି ପ୍ରସ୍ତାବ ଆଗତ କରାଯାଇଥିଲା।

ଭାରତ ସମେତ ୧୬୪ଟି ଦେଶ ଏହି ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିଲେ। ଭାରତୀୟ ବୈଦେଶିକ ମନ୍ତ୍ରାଳୟ (MEA) ସ୍ପଷ୍ଟ କରିଥିଲା ଯେ, ଭାରତ କେବଳ ଭୌଗୋଳିକ ଭୂଖଣ୍ଡର ସମାନ ଆକାର ପ୍ରଦର୍ଶନର ପ୍ରସ୍ତାବକୁ ସମର୍ଥନ କରି ଭୋଟ୍ ଦେଇଥିଲା।ଏହାର ଅର୍ଥ ନୁହେଁ ଯେ ଭାରତ ଜାତିସଂଘର ଏହି ବିଶେଷ ମାନଚିତ୍ର କିମ୍ବା ସୀମା ଦର୍ଶାଇବା ଶୈଳୀକୁ ଗ୍ରହଣ କିମ୍ବା ଅନୁମୋଦନ କରିଛି।

ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା କହିଛନ୍ତି ଯେ, ଜମ୍ମୁ-କାଶ୍ମୀର, ଲଦାଖ, ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚିନ୍ ସମେତ ସମସ୍ତ ସାର୍ବଭୌମ ଅଞ୍ଚଳ ଭାରତର ସରକାରୀ ମାନଚିତ୍ର ଅନୁଯାୟୀ ଦର୍ଶାଯିବା ଉଚିତ୍ ଏବଂ କୌଣସି ଭୁଲ୍ କିମ୍ବା ବିଭ୍ରାନ୍ତିକର ଚିତ୍ରଣ ସମ୍ପୂର୍ଣ୍ଣ ଅଗ୍ରହଣୀୟ।

କିନ୍ତୁ ଜାତିସଂଘ ଦ୍ୱାରା ଗୃହୀତ ଏହି ନୂତନ ମାନଚିତ୍ରଟି ବାଧ୍ୟତାମୂଳକ ନୁହେଁ।