ଭାରତରତ୍ନ ପୁରସ୍କାର ବିଜେତା ବୈଜ୍ଞାନିକଙ୍କୁ ‘SIR’ ନୋଟିସ୍‌

ଗୋଟିଏ ଅତିରିକ୍ତ ‘f’ ଜନିତ ତ୍ରୁଟି ପାଇଁ ବ୍ୟକ୍ତିଗତ ହାଜର ନୋଟିସ୍‌

ବେଙ୍ଗାଲୁରୁ, ୦୯/୦୯: ଭାରତରତ୍ନ ପୁରସ୍କାର ବିଜେତା ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ସି.ଏନ୍.ଆର୍. ରାଓଙ୍କୁ କର୍ଣ୍ଣାଟକର ଭୋଟର ତାଲିକାର ଏସଆଇଆର ପ୍ରକ୍ରିୟାରେ ନୋଟିସ୍ ଜାରି ହୋଇଛି। ୯୨ ବର୍ଷୀୟ ପ୍ରଫେସର ରାଓଙ୍କ ନାଁରେ ଥିବା ଏକ ଛୋଟ ବନାନ ଅସଙ୍ଗତିକୁ ନେଇ ତାଙ୍କୁ ନିଜ ପରିଚୟ ନିଶ୍ଚିତ କରିବାକୁ ହାଜର ହେବା ପାଇଁ ନୋଟିସ୍ ଦିଆଯାଇଥିବା ସୂଚନା ମିଳିଛି।

ରିପୋର୍ଟ ଅନୁସାରେ, ପୁରୁଣା ନିର୍ବାଚନୀ ରେକର୍ଡରେ ତାଙ୍କ ନାଁ ‘Prof C N R Rao’ ଭାବେ ଉଲ୍ଲେଖ ଥିଲା। କିନ୍ତୁ ବର୍ତ୍ତମାନର ଭୋଟର ରେକର୍ଡରେ ତାହା ‘Proff C N R Rao’ ଭାବେ ଲେଖାଯାଇଛି। ଅର୍ଥାତ୍ ‘Prof’ ଶବ୍ଦରେ ଗୋଟିଏ ଅତିରିକ୍ତ ‘f’ ଯୋଡ଼ି ହୋଇଯାଇଛି। ଏହି ନାଁର ଅସଙ୍ଗତିକୁ ‘ନିଜ ନାମ ଅସଙ୍ଗତି’ ଭାବେ ଦର୍ଶାଇ ତାଙ୍କୁ ଏସଆଇଆର ଶୁଣାଣିରେ ଉପସ୍ଥିତ ହେବାକୁ କୁହାଯାଇଥିବା ଜଣାପଡ଼ିଛି।

ପ୍ରାରମ୍ଭିକ ନୋଟିସ୍ ଅନୁସାରେ, ପ୍ରଫେସର ରାଓଙ୍କୁ ବେଙ୍ଗାଲୁରୁର ମାଲେଶ୍ୱରମସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ(IISc)ରେ ହାଜର ହୋଇ ନିଜ ସମ୍ପର୍କିତ ତଥ୍ୟ ରଖିବାକୁ କୁହାଯାଇଛି। ଏପରିକି ନିର୍ବାଚନ କମିଶନ ପକ୍ଷରୁ ପ୍ରଫେସର ରାଓଙ୍କ ବେଙ୍ଗାଲୁରୁସ୍ଥିତ ବାସଭବନକୁ ଯାଇ ଯାଞ୍ଚ କରାଯାଇଛି।

ପ୍ରଫେସର ଚିନ୍ତାମଣି ନାଗେଶ ରାମଚନ୍ଦ୍ର ରାଓ (C.N.R. Rao) ଭାରତର ଅନ୍ୟତମ ପ୍ରତିଷ୍ଠିତ ରସାୟନ ବିଜ୍ଞାନୀ। ସେ ବିଶେଷକରି ସଲିଡ ଷ୍ଟେଟ କେମିଷ୍ଟ୍ରି ଆଣ୍ଡ ମ୍ୟାଟେରିଆଲ୍ସ ସାଇନ୍ସ କ୍ଷେତ୍ରରେ ଦୀର୍ଘଦିନ ଧରି ଗବେଷଣା କରିଛନ୍ତି। ସେ IIScରେ ଅଧ୍ୟାପକ ଭାବେ କାର୍ଯ୍ୟ କରିବା ସହ ୧୯୮୪ରୁ ୧୯୯୪ ପର୍ଯ୍ୟନ୍ତ ଏହାର ନିର୍ଦ୍ଦେଶକ ମଧ୍ୟ ଥିଲେ।

ବିଜ୍ଞାନ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସେ ପଦ୍ମଶ୍ରୀ, ପଦ୍ମବିଭୂଷଣ ସମେତ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମାନ ପାଇଛନ୍ତି। ୨୦୧୪ରେ ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତରତ୍ନ’ ପ୍ରଦାନ କରାଯାଇଥିଲା।