ଗ୍ରେଟର ନୋଏଡା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ସିଜେପି ଆନ୍ଦୋଳନରେ ସାମିଲ୍ ଆଇନ ଛାତ୍ରଙ୍କୁ ନୋଟିସ୍ ନେଇ କ୍ଷୁବ୍ଧ
ନୂଆଦିଲ୍ଲୀ, ୦୯/୦୯: ସିଜେପି ଆନ୍ଦୋଳନରେ ସାମିଲ ହୋଇଥିବା ଜଣେ ଆଇନ ଛାତ୍ରଙ୍କୁ ଗ୍ରେଟର ନୋଏଡା ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ନୋଟିସ୍ ଜାରି କରିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ବୁଧବାର କଡ଼ା ଆପତ୍ତି ଉଠାଇଛନ୍ତି। ପୂର୍ବରୁ ସର୍ବୋଚ୍ଚ ଅଦାଲତ ସିଜେପି ଆନ୍ଦୋଳନ ସହ ଜଡ଼ିତ ଛାତ୍ରମାନଙ୍କ ବିରୋଧରେ ଦାଏର ଏଫଆଇଆର ରଦ୍ଦ କରିବା ସହ ସେମାନଙ୍କ ବିରୋଧରେ କୌଣସି ପ୍ରକାରର ଦଣ୍ଡାତ୍ମକ କିମ୍ବା ବଳପୂର୍ବକ ପଦକ୍ଷେପ ନନେବାକୁ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ତିନିଜଣିଆ ଖଣ୍ଡପୀଠଙ୍କ ସମ୍ମୁଖରେ ଏହି ପ୍ରସଙ୍ଗ ଉଠିଥିଲା। ବରିଷ୍ଠ ଆଇନଜୀବୀ ବିଶ୍ୱଜିତ ଭଟ୍ଟାଚାର୍ଯ୍ୟ ଖବରକାଗଜରେ ପ୍ରକାଶିତ ଏହି ଘଟଣା ସମ୍ପର୍କରେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ଶୁଣି ସିଜେଆଇ ପ୍ରଶ୍ନ କରିଥିଲେ ଯେ, ସୁପ୍ରିମକୋର୍ଟଙ୍କ ଆଦେଶ ସ୍ପଷ୍ଟ ଥିବା ସତ୍ତ୍ୱେ ମାଜିଷ୍ଟ୍ରେଟ୍ କିପରି ଏପରି ନୋଟିସ୍ ଜାରି କରିପାରିଲେ?
ଗୌତମ ବୁଦ୍ଧ ୟୁନିଭର୍ସିଟିର ଦ୍ୱିତୀୟ ବର୍ଷର ଆଇନ ଛାତ୍ର ଅକ୍ଷତ ତ୍ରିପାଠୀଙ୍କୁ ଗ୍ରେଟର ନୋଏଡା ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ପକ୍ଷରୁ ₹୫ ଲକ୍ଷର ବ୍ୟକ୍ତିଗତ ବଣ୍ଡ ଦାଖଲ କରିବାକୁ ନୋଟିସ୍ ଦିଆଯାଇଥିଲା। ଏହା ସହ ସମାନ ମୂଲ୍ୟର ଦୁଇଜଣ ଜାମିନଦାର ଦେବାକୁ ମଧ୍ୟ କୁହାଯାଇଥିଲା।
ମାଜିଷ୍ଟ୍ରେଟଙ୍କ ନୋଟିସ୍ରେ ଅକ୍ଷତଙ୍କ କାର୍ଯ୍ୟକଳାପ ଯୋଗୁଁ ଶାନ୍ତିଭଙ୍ଗ ହେବାର ଆଶଙ୍କା ଥିବା ଦର୍ଶାଯାଇଥିଲା। ସିଜେପି ପକ୍ଷରୁ ପ୍ରସ୍ତାବିତ ଧାରଣା ଓ ଆନ୍ଦୋଳନରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଯୋଗଦେବାକୁ ଉତ୍ସାହିତ କରିଥିବା ଅଭିଯୋଗ ମଧ୍ୟ ନୋଟିସ୍ରେ ଥିଲା।
ଖବର ଅନୁସାରେ, ସେପ୍ଟେମ୍ବର ୪ରେ ନୋଟିସ୍ ଜାରି ହୋଇଥିଲା। ଯାହାକୁ ପରେ ପ୍ରତ୍ୟାହାର କରାଯାଇଥିଲା। ତଥାପି ସୁପ୍ରିମକୋର୍ଟ ଏହି ଘଟଣାକୁ ନେଇ କ୍ଷୁବ୍ଧ ପ୍ରକାଶ କରିଛନ୍ତି।