ଭୁବନେଶ୍ୱର, ୦୯/୦୯: ଏମଏମଡିଆର ଆଇନରେ କେନ୍ଦ୍ର ସରକାର କରିଥିବା ନୂଆ ସଂଶୋଧନକୁ ବିରୋଧ କରି ବିଜୁ ଜନତା ଦଳ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋକଭବନ ଆଗରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଏହି ଆନ୍ଦୋଳନରେ ବିଜେଡିର ଅନେକ ବରିଷ୍ଠ ନେତା, ସାଂସଦ, ବିଧାୟକ, ଯୁବ ଓ ଛାତ୍ର ୱିଙ୍ଗର କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ସାମିଲ ହୋଇଛନ୍ତି। ଲୋକଭବନ ସମ୍ମୁଖରେ ହଜାର ହଜାର କର୍ମୀ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ପ୍ରତିବାଦ ସଭା କରିଛନ୍ତି।
କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ସଂଶୋଧିତ ଏମଏମଡିଆର ଆଇନ୍ ରାଜ୍ୟର ସ୍ୱାର୍ଥ ବିରୋଧୀ, ଆଞ୍ଚଳିକ ଅସନ୍ତୁଳନ ସୃଷ୍ଟି କରୁଛି ଏବଂ ରାଜ୍ୟର ରାଜସ୍ୱ ହ୍ରାସ କରିବାର ଭୟ ରହିଛି ବୋଲି ବିଜେଡି ଅଭିଯୋଗ କରିଛି। ତେଣୁ ଏହି ନୂଆ ସଂଶୋଧନକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦଳ ଦାବି କରିଛି।
ରାଜ୍ୟର ଖଣିଜ ସମ୍ପଦ ଉପରେ ରାଜ୍ୟ ସରକାରଙ୍କ ଅଧିକାରକୁ ସଙ୍କୁଚିତ କରାଯାଉଥିବା ନେଇ ଦଳ ଅଭିଯୋଗ ଆଣିଛି। ଖଣି ଆବଣ୍ଟନ ଓ ନିଲାମ ପ୍ରକ୍ରିୟାରେ ରାଜ୍ୟଗୁଡ଼ିକର କ୍ଷମତା ହ୍ରାସ କରି କେନ୍ଦ୍ର ନିଜ ହାତକୁ ଅଧିକ କ୍ଷମତା ନେଉଥିବା ଦଳ କହିଛି। ଏହା ଦ୍ୱାରା ଓଡ଼ିଶା ଭଳି ଖଣି ସମୃଦ୍ଧ ରାଜ୍ୟ ଆର୍ଥିକ ସ୍ତରରେ କ୍ଷତିସହିବାର ସମ୍ଭାବନା ରହିଛି।
ଯଦି କେନ୍ଦ୍ର ସରକାର ଏହି ସଂଶୋଧିତ ଆଇନକୁ ବାତିଲ ନକରନ୍ତି, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ସାରା ରାଜ୍ୟରେ ଆହୁରି ବ୍ୟାପକ କରାଯିବ ବୋଲି ଦଳୀୟ ନେତୃବୃନ୍ଦ ଚେତାବନୀ ଦେଇଛନ୍ତି।