ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ନାଟମଣ୍ଡପକୁ ଯାଞ୍ଚ କରାଯିବା । ଏଏସ୍ଆଇ ବିଶେଷଜ୍ଞ ଟିମ, ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇର ଅଧିକାରୀଙ୍କ ସମେତ ରାଜ୍ୟ ସରକାରଙ୍କ ପ୍ରତିନିଧି ନାଟମଣ୍ଡପ ଫାଟକୁ ଅନୁଧ୍ୟାନ କରିବେ।
ତେବେ ଏହି ଅବସରରେ ନାଟମଣ୍ଡପରେ ଲଗାଯାଇଥିବା କ୍ରାକ ମିଟର ରିଡିଂ ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀମନ୍ଦିର ନାଟମଣ୍ଡପ ସ୍ତମ୍ଭରେ ଓ ବିମର ମରାମତି ସମ୍ପର୍କରେ ହେବ ସବିଶେଷ ଆଲୋଚନା। ନାଟମଣ୍ଡପ ବିମରେ ଥିବା ଫାଟ ମେଲୁଛି କି ନାହିଁ ତାହାର ତର୍ଜମା ହେବ । ଗରୁଡ଼ ସ୍ତମ୍ଭ ଉପର ବିମରେ ଉପୁଜିଥିବା ଫାଟକୁ ଅତି ନିଖୁଣ ଭାବରେ ଯାଞ୍ଚ କରାଯିବ। ଏହି ଫାଟ ମେଲୁଛି କି ନାହିଁ ଏବଂ ବିପଦ ରହିଛି କି ନାହିଁ କ୍ରାକ ମିଟର ରିଡିଙ୍ଗ ମାଧ୍ୟମରେ ତର୍ଜମା କରାଯାଉଛି ।
ସେପଟେ ପୂର୍ବରୁ ସେପ୍ଟେମ୍ବର ୧୭ରେ ହାଇକୋର୍ଟଙ୍କ ନିର୍ଦ୍ଦେକ୍ରମେ ଆମିକସ କ୍ୟୁରି ଏନକେ ମହାନ୍ତି ଆସି ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କରିଥିଲେ । ମାର୍ଚ୍ଚ ୨୦୨୩ ସୁଦ୍ଧା ନାଟମଣ୍ଡପର ମରାମତି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ୨୦୨୦ରେ ରିବାଉଣ୍ଡ ହାମର ଟେଷ୍ଟ ଏବଂ ପଥର ଗୁଡିକର ଅଲ୍ଟ୍ରାସାଉଣ୍ଡ ପଲ୍ସ ଭେଲୋସିଟି ଟେଷ୍ଟ ସରିଥିଲା । ହେଲେ ଚୂନ ପଥର ତଳର ସ୍ଥିତି ଏହି ଦୁଇ ପରୀକ୍ଷାରୁ ଜଣାପଡିନଥିଲା । ଏହି କାରଣରୁ କ୍ରାକ ମିଟର ରିଡିଂ ପାଇଁ ସୁପାରିଶ କରିଥିଲା କୋର କମିଟି ।