୩ୟ ଶ୍ରେଣୀ ଭିନ୍ନକ୍ଷମ ଛାତ୍ରୀଙ୍କୁ ମାଡ଼ ମାରି ଚକ୍ଷୁ ନଷ୍ଟ ଅଭିଯୋଗ

ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାମରେ ମୋକଦ୍ଦମା ରୁଜୁ

ମାହାଙ୍ଗା ଥାନା ଓ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ

ମାହାଙ୍ଗା, ୧୨/୦୯(ଦର୍ଶନ ନ୍ୟୁଜ୍): ଜଣେ ଭିନ୍ନକ୍ଷମ ଛାତ୍ରୀ ବିଦ୍ୟାଳୟ ଶୌଚାଳୟରେ ଶୌଚ ଯିବାରୁ ତାଙ୍କୁ ସେହି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ମାଡ଼ ମାରିଥିବା ଓ ସେହି ମାଡ଼ରେ ତାଙ୍କର ଡୋଳା ଫାଟିଯାଇ ଗୋଟିଏ ଚକ୍ଷୁ ନଷ୍ଟ ହୋଇଯାଇଥିବାର ଛାତ୍ରୀଙ୍କ ବାପା ମାହାଙ୍ଗା ଥାନାରେ ଏତଲା ଦେଇଛନ୍ତି। ଏଥିସହ ସେ ବ୍ଲକ ଶିକ୍ଷା ଅଧିକାରିଣୀ, ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ, କଟକ ଗ୍ରାମାଞ୍ଚଳ ଏସ.ପି, କଟକ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୁଖଙ୍କୁ ଏତଲାର ଏକ ଏକ କିତା ନକଲ ପଠାଇ ଦୃଢ଼ କାର୍ଯ୍ୟାନଷ୍ଠାନ ଦାବି କରିଛନ୍ତି।

ଏତଲାରୁ ପ୍ରକାଶ କି, ମାହାଙ୍ଗା ଥାନା ନୃତାଙ୍ଗ ପଞ୍ଚାୟତ ଶିରିପୁର ଗ୍ରାମର ଅମୂଲ୍ୟ ସମଲଙ୍କର ୯ ବର୍ଷୀୟା ଭିନ୍ନକ୍ଷମ ଝିଅ ଦେବସ୍ମିତା ସାମଲ (ଲିପା) ସ୍ଥାନୀୟ ଶିରିପୁର ପ୍ରାଥମିକ ପ୍ରକଳ୍ପ ବିଦ୍ୟାଳୟରେ ୩ ୟ ଶ୍ରେଣୀରେ ପାଠ ପଢନ୍ତି। ଗତ ୩ ତାରିଖ ଦିନ ବିଦ୍ୟାଳୟ ଶୌଚାଳୟରେ ଦେବସ୍ମିତା ଶୌଚ ଯିବାରୁ ସେହି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ମମତା ଦେହୁରୀ ତାଙ୍କୁ ମାଡ଼ ମାରିଥିଲେ। ଏହି ମାଡ଼ ଫଳରେ ଦେବସ୍ମିତା ଙ୍କ ବାମ ପଟ ଚକ୍ଷୁର ଡୋଳା ଫାଟିଯାଇଥିଲା। ଏହାପରେ ଘଟଣା ଲୁଚାଇବାକୁ ଯାଇ ଶିକ୍ଷୟିତ୍ରୀ ସ୍କୁଲ ରୋଷେୟା(ସହାୟିକା) ହାତରେ ତାଙ୍କୁ ଘରକୁ ପଠାଇ ଦେଇଥିଲେ।

ଘରଲୋକ ଝିଅର ଏଭଳି ଅବସ୍ଥା ଦେଖି ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଦେଖାଇ ଆଖିରେ ଔଷଧ ପକାଇଥିଲେ। ଯନ୍ତ୍ରଣା ବଢିବାରୁ ଓ ଆଖି ନ ଖୋଲିବାରୁ କଟକର ଅଗ୍ରୱାଲ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ଦେଖାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଅବସ୍ଥା ଜଟିଳ ଓ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ ବୋଲି କହିଥିଲେ। ଏହାପରେ ସେମାନେ ବନ୍ଧୁବାନ୍ଧବଙ୍କ ପରାମର୍ଶ କ୍ରମେ ଭୁବନେଶ୍ଵରର ଏଲ୍.ଭି.ପ୍ରସାଦ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ଗତ ୬ ତାରିଖରେ ଅସ୍ତ୍ରୋପଚାର କରାଇଥିଲେ। ସେଠାରେ ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କ ଝିଅର ବାମପଟ ଚକ୍ଷୁଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି ଝିଅର ବାପା ଏତଲାରେ ଉଲ୍ଲେଖ କରି ସମ୍ପୃକ୍ତା ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏହି ଅଭିଯୋଗଟି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଖଣ୍ଡନ କରିଛନ୍ତି ଅଭିଯୁକ୍ତା ଶିକ୍ଷୟତ୍ରୀ ମମତା ଦେହୁରୀ। ମାହାଙ୍ଗା ଥାନା ୩୬୫/୨୦୨୬ ରେ ଏକ ମୋକଦ୍ଦମା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ବୋଲି ଥାନାଧିକାରୀ ଯୁଗୋଳ କିଶୋର ଦାସ ପ୍ରକାଶ କରିଛନ୍ତି। ଅପରପକ୍ଷରେ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ଏଵଂ ତଦନ୍ତର ସତ୍ୟାସତ୍ୟ କୁ ନେଇ ଖୁବ୍ ଶୀଘ୍ର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଣ୍ଡଳ ଶିକ୍ଷା ଅଧିକାରୀଣୀ ମୋନାଲିସା ସର୍କାର ପ୍ରକାଶ କରିଛନ୍ତି।