ବୈଶ୍ବିକ ଅଶାନ୍ତି ମଧ୍ୟରେ ସାରା ବିଶ୍ବକୁ ଆଗକୁ ବଢ଼ିବାକୁ ହେବ: ବ୍ରିକ୍ସ ସମ୍ମିଳନୀର ଉଦ୍ଯାପନୀ ଦିବସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ବାନ
ବ୍ରିକ୍ସ ଅର୍ବାନ ମୋବିଲିଟି ହବ୍ ପ୍ରତିଷ୍ଠା ପାଇଁ ମୋଦିଙ୍କ ପ୍ରସ୍ତାବ
ନୂଆଦିଲ୍ଲୀ, ୧୩/୦୯: ବ୍ରିକ୍ସ ସମ୍ମିଳନୀ-୨୦୨୬ର ଉଦ୍ଯାପନୀ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରି ବିଶ୍ୱବାସୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ସାମ୍ପ୍ରତିକ ସମୟରେ ବିଶ୍ବ ସାମ୍ନା କରୁଥିବା ବିଭିନ୍ନ ଗମ୍ଭୀର ଚ୍ୟାଲେଞ୍ଜ, ଅଶାନ୍ତି ଏବଂ ବିଶୃଙ୍ଖଳାକୁ ପଛରେ ପକାଇ ସମସ୍ତ ଦେଶକୁ ଏକାଠି ଆଗକୁ ବଢ଼ିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ନିଜର ଉଦ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯୁଦ୍ଧ ଏବଂ ଅସ୍ଥିରତା ମାନବତା ପାଇଁ ଆଦୌ ଶୁଭଙ୍କର ନୁହେଁ। ବିଶେଷ କରି ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କରି ଏହାର ତୁରନ୍ତ ଯବନିକା ପଡ଼ିବା ଆବଶ୍ୟକ ବୋଲି ସେ କହିଛନ୍ତି। ମହାମାରୀ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ବୈଶ୍ବିକ ସଙ୍କଟ ପ୍ରତ୍ୟେକ ଦେଶ ଓ ନାଗରିକଙ୍କ ଉପରେ ଗଭୀର ପ୍ରଭାବ ପକାଇଛି। ମାନବ ସଭ୍ୟତାର ସର୍ବାଙ୍ଗୀନ ବିକାଶ ପାଇଁ ସ୍ୱଚ୍ଛ ଜଳବାୟୁ ଏବଂ ସୁସ୍ଥ ପରିବେଶର ସୁରକ୍ଷା ନିତାନ୍ତ ଜରୁରୀ।
କୃଷି ଏବଂ ଚାଷୀଙ୍କ ବିକାଶ ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚାଷୀଙ୍କ ହିତ ପାଇଁ କୃତ୍ରିମ ବୁଦ୍ଧିମତ୍ତା ଏବଂ ଡାଟା ସିଷ୍ଟମର ବ୍ୟବହାର ଅତି ଜରୁରୀ। ଏଗ୍ରୋ-ଇକୋଲୋଜି ସହ ଆଧୁନିକ ବିଜ୍ଞାନକୁ ଯୋଡ଼ି କୃଷି କ୍ଷେତ୍ରକୁ ଆହୁରି ମଜବୁତ କରାଯିବ।
ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଭବିଷ୍ୟତର ବିକାଶ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି:
– ବ୍ରିକ୍ସ ଷ୍ଟାର୍ଟଅପ୍ ଫଣ୍ଡ: ନୂତନ ଉଦ୍ୟମୀ ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ବ୍ରିକ୍ସ ଷ୍ଟାର୍ଟଅପ୍ ଫଣ୍ଡ ପ୍ରତିଷ୍ଠା ଉପରେ ବଳ ଦିଆଯାଇଛି।
– ବ୍ରିକ୍ସ ଅର୍ବାନ୍ ମୋବିଲିଟି ହବ୍: ସହରୀ ପରିବହନ ଓ ଗମନାଗମନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ‘ଅର୍ବାନ୍ ମୋବିଲିଟି ହବ୍’ ଗଠନର ପ୍ରସ୍ତାବ ଦିଆଯାଇଛି।
– ସବୁଜ ଶକ୍ତି: ପରିବେଶ ସୁରକ୍ଷା ପାଇଁ ସବୁଜ ଶକ୍ତିର ବ୍ୟବହାରକୁ ଆହୁରି ବ୍ୟାପକ କରିବାକୁ ମିଳିମିଶି କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ସର୍ବାଙ୍ଗୀନ ବିକାଶ ଏବଂ ସୁସ୍ଥ ପରିବେଶ ପରସ୍ପରର ପରିପୂରକ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଶାନ୍ତି, ସମୃଦ୍ଧି ଏବଂ ପ୍ରଗତି ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।