ମୀନାଝୋଲା ନଦୀରେ ମାଛ ଧରିବାକୁ ଯାଇ ଯୁବକ ନିଖୋଜ
ନଦୀକୂଳରୁ ବାଇକ୍ ଓ ବ୍ୟାଗ୍ ଉଦ୍ଧାର; ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
ରାୟଗଡା, ୧୩/୦୯(ଦକ୍ଷ ବାଥ୍ରା) : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ଅଧୀନ ମୀନାଝୋଲା ଅଞ୍ଚଳରେ ମାଛ ଧରିବାକୁ ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ନିଖୋଜ ଯୁବକ ହେଲେ ହନୁମନ୍ତପୁର ପଞ୍ଚାୟତ ବକାଗୁଡ଼ା ଗ୍ରାମର ଟିସୁରୁ ବିଏସ୍କା (୪୫)।ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ ୭ଟା ସମୟରେ ଟିସୁରୁ ବାଇକ୍ ଯୋଗେ ମୀନାଝୋଲା ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ। ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ। ଏହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିବା ସହ ଗ୍ରାମବାସୀଙ୍କ ସହଯୋଗରେ ନଦୀକୂଳ ଓ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରାଯାଇଥିଲା।
ଖୋଜାଖୋଜି ସମୟରେ ଘଟଣାସ୍ଥଳରୁ ଟିସୁରୁଙ୍କ ବାଇକ୍ ଓ ବ୍ୟାଗ୍ ମିଳିଥିଲା। ମାତ୍ର ତାଙ୍କର କୌଣସି ସନ୍ଧାନ ମିଳିନଥିବାରୁ ନଦୀରେ ଖସିପଡ଼ିଥିବା ନେଇ ଆଶଙ୍କା ବଢ଼ିଛି।ଘଟଣା ସମ୍ପର୍କରେ ଖବର ପାଇ ଚନ୍ଦ୍ରପୁର ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ତେବେ ଟିସୁରୁ କେଉଁ ପରିସ୍ଥିତିରେ ନିଖୋଜ ହେଲେ, ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ନଦୀରେ ଖୋଜାଖୋଜି ମଧ୍ୟ ଚାଲିଛି।