ଗଣେଶ ପୂଜା ପୂର୍ବରୁ ବଡ଼ ଅଘଟଣ

ମଣ୍ଡପରେ ବିଦ୍ୟୁତ୍‌ ଝଟକାରେ ଯୁବକ ମୃତ

ରାୟଗଡ଼ା, ୧୪/୦୯(ଦକ୍ଷ ବାଥ୍ରା): ଗଣେଶ ପୂଜା ପାଇଁ ମଣ୍ଡପ ସଜାସଜ୍ଜାରେ ମାତିଥିଲେ ଯୁବକମାନେ। ହସଖୁସିରେ ଚାଲିଥିଲା ପୂଜା ପ୍ରସ୍ତୁତି। ହେଲେ ଖୁସିର ମାହୋଲ ହଠାତ୍‌ ପରିଣତ ହେଲା ଶୋକରେ। ମଣ୍ଡପ ସାଜସଜ୍ଜା ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨୬ ବର୍ଷୀୟ ଯୁବକ ଆଲ୍ଲୁ ରାଜୁଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେ ପେପର ମିଲ୍‌ ସ୍ଥିତ ମନୋରଞ୍ଜନ କେନ୍ଦ୍ର ଗଣେଶ ପୂଜା ମଣ୍ଡପରେ ଘଟିଛି।

ମିଳିଥିବା ସୂଚନାନୁସାରେ, ଗଣେଶ ପୂଜା ପାଇଁ ମଣ୍ଡପରେ ସାଜସଜ୍ଜା କାମ ଚାଲିଥିଲା। ଏହି ସମୟରେ ଆଲ୍ଲୁ ରାଜୁ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଲ୍ଲୁ ରାଜୁ ଆନ୍ଧ୍ରପ୍ରଦେଶରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ ଥିଲେ। ଚଳିତ ବର୍ଷ ସେ ନିଜ ବିଦ୍ୟାଳୟ ବନ୍ଧୁମାନଙ୍କ ସହ ମିଶି ଗଣେଶ ପୂଜା ଆୟୋଜନ କରିବାକୁ ଯୋଜନା କରିଥିଲେ। ଏଥିପାଇଁ ମଣ୍ଡପରେ ଚାଲିଥିଲା ବ୍ୟାପକ ପ୍ରସ୍ତୁତି। ହେଲେ ପୂଜା ପୂର୍ବରୁ ଘଟିଥିବା ଏହି ଦୁଃଖଦ ଘଟଣା ସମଗ୍ର ଜେକେପୁର ଅଞ୍ଚଳକୁ ସ୍ତବ୍ଧ ଓ ଶୋକାକୁଳ କରିଦେଇଛି।

ଘଟଣାକୁ ନେଇ ଚାନ୍ଦିଲି ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାର ପ୍ରକୃତ କାରଣ ନେଇ ପୁଲିସ ତଦନ୍ତ କରୁଛି।