ଦିଶା ସାଲିଆନ ମୃତ୍ୟୁ: ସିବିଆଇ ଏଫଆଇଆରରେ ଉଦ୍ଧବ ଓ ଆଦିତ୍ୟ ଠାକ୍‌ରେ

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡରେ ସିବିଆଇ

ମୁମ୍ବାଇ, ୧୪/୦୯: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ କଠୋର ନିର୍ଦ୍ଦେଶ ପରେ ସିବିଆଇ ଏଫଆଇଆର ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସିବିଆଇ ଦ୍ୱାରା ଦାଖଲ କରାଯାଇଥିବା ଏହି ଏଫଆଇଆରରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ତାଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେ, ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ, ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଏବଂ ନିଲମ୍ବିତ ପୋଲିସ ଅଫିସର ସଚିନ ଭାଜେଙ୍କ ନାମ ସାମିଲ ରହିଛି।

ବିଗତ ୬ ବର୍ଷ ଧରି ମୁମ୍ବାଇ ପୋଲିସ ଦ୍ୱାରା ପରିଚାଳିତ ହେଉଥିବା ତଦନ୍ତ ପ୍ରକ୍ରିୟାକୁ ନେଇ ହାଇକୋର୍ଟ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ପୋଲିସର ତଦନ୍ତରେ ଅନେକ ତ୍ରୁଟି ଓ ତଥ୍ୟ ଲୁଚାଇବାର ପ୍ରୟାସ କରାଯାଇଥିବା ନେଇ କୋର୍ଟ ଅନୁଭବ କରିବା ପରେ ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

୨୦୨୦ ଜୁନ୍ ମାସରେ ଦିଶା ସାଲିଆନଙ୍କର ମୁମ୍ବାଇସ୍ଥିତ ଏକ ଆପାର୍ଟମେଣ୍ଟରୁ ଖସିପଡ଼ି ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ଏହାର କିଛି ଦିନ ପରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ମଧ୍ୟ ତାଙ୍କ ବାସଭବନରୁ ମିଳିଥିଲା। ଏହି ଦୁଇଟି ମୃତ୍ୟୁ ଘଟଣା ପରସ୍ପର ସହ ଜଡ଼ିତ ଥିବା ନେଇ ଅଭିଯୋଗ ହୋଇଆସୁଥିଲା।