ଭୁବନେଶ୍ୱର, ୧୬/୦୯: ଯଦି ଇତିହାସକୁ ପରିଲକ୍ଷିତ କରାଯାଏ, ତେବେ ଏକ ଶତାବ୍ଦୀ ମଧ୍ୟରେ ଗୋଟିଏ ମହାନ ଭାରତୀୟ ସ୍ୱପ୍ନର ଉଦୟ ହୋଇଥାଏ, ଯାହାକୁ ‘ଶତାବ୍ଦୀ ସ୍ୱପ୍ନ’ (Centurion Dream) ବୋଲି କୁହାଯାଇପାରେ।
ଏହି ପରିପ୍ରେକ୍ଷୀରେ ନାଲକୋର ପୂର୍ବତନ ସିଏମଡି ଡ. ତପନ କୁମାର ଚାନ୍ଦ ‘ବିକଶିତ ଭାରତ @2047’ର ପରିକଳ୍ପନାକୁ ଏକ ବୃହତ୍ ଜାତୀୟ ସ୍ୱପ୍ନ ଭାବେ ବର୍ଣ୍ଣନା କରିଛନ୍ତି।
ଏହି ସ୍ୱପ୍ନ ସମଗ୍ର ଜନସମୁଦାୟର ଆକାଂକ୍ଷାରୁ ଜନ୍ମ ନେଇଥାଏ ଏବଂ ସେହି ସମୟର ମହାନ ଜନନାୟକମାନେ ଏହାକୁ ସାକାର କରିବା ପାଇଁ ଦିଗଦର୍ଶନ ଦେଇଥାନ୍ତି। ତାଙ୍କ ମତରେ, ଏହି ସ୍ୱପ୍ନ କେବଳ ସରକାର କିମ୍ବା କୌଣସି ଏକ ବର୍ଗର ନୁହେଁ; ଦେଶର ପ୍ରତ୍ୟେକ ନାଗରିକଙ୍କ ଆକାଂକ୍ଷା ଓ ଅଂଶଗ୍ରହଣ ସହିତ ଏହା ଜଡ଼ିତ।
ତପନ ଚାନ୍ଦଙ୍କ ମତରେ ୧୯ଶ ଶତାବ୍ଦୀରେ ମଧ୍ୟଯୁଗୀୟ ଅନ୍ଧକାରକୁ ପଛରେ ପକାଇ ଆଧୁନିକ ଭାରତ ଗଠନର ମହାନ ଭାରତୀୟ ସ୍ୱପ୍ନକୁ ରାଜା ରାମମୋହନ ରାୟ, ସ୍ୱାମୀ ବିବେକାନନ୍ଦ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ତଥା ଅନ୍ୟାନ୍ୟ ମହାନ ବ୍ୟକ୍ତିତ୍ୱମାନେ ଭାରତୀୟ ନବଜାଗରଣର ଶକ୍ତି ଯୋଗାଇଥିଲେ।
୨୦ଶ ଶତାବ୍ଦୀରେ ମହାନ ଭାରତୀୟ ସ୍ୱପ୍ନ ଥିଲା ଭାରତର ସ୍ୱାଧୀନତା। ଏହି ସ୍ୱପ୍ନକୁ ବିନାୟକ ଦାମୋଦର ସାବରକର, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ, ମହାତ୍ମା ଗାନ୍ଧୀ ଏବଂ ଅନ୍ୟାନ୍ୟ ବରେଣ୍ୟ ନେତାମାନେ ଦିଗଦର୍ଶନ ଦେଇଥିଲେ।
୨୧ଶ ଶତାବ୍ଦୀରେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଥିବା ସମ୍ମାନ, ସୁଯୋଗ, ସମୃଦ୍ଧି, ସୁରକ୍ଷା ଏବଂ ଉନ୍ନତ ଜୀବନଧାରଣର ଆକାଂକ୍ଷାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ପଷ୍ଟ ଦିଗ ଦେଇଛନ୍ତି। ସେ ଏହି ଆକାଂକ୍ଷାକୁ କେବଳ ବ୍ୟକ୍ତିଗତ ସ୍ୱପ୍ନରେ ସୀମିତ ନ ରଖି ଏକ ଜାତୀୟ ଦୃଷ୍ଟିକୋଣରେ ପରିଣତ କରିବାର ପ୍ରୟାସ କରିଛନ୍ତି। ବିଶ୍ୱକର୍ମାଙ୍କ ଭଳି ସେ ବିକଶିତ ଭାରତର ରୂପରେଖା ଦେଉଛନ୍ତି ।
‘ବିକଶିତ ଭାରତ @2047’ ଏହି ବୃହତ୍ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ—ଏକ ଏପରି ଭାରତ, ଯାହା ଆର୍ଥିକ ଭାବେ ସୁଦୃଢ଼, ପ୍ରଯୁକ୍ତିଗତ ଭାବେ ଉନ୍ନତ, ସାମାଜିକ ଭାବେ ସମାବେଶୀ, ଆତ୍ମବିଶ୍ୱାସୀ ଏବଂ ବିଶ୍ୱସ୍ତରରେ ସମ୍ମାନିତ।
ବିକାଶ ମଡେଲ୍
ବିକଶିତ ଭାରତ ଏକ ଅନନ୍ୟ ବିକାଶ ମଡେଲ୍। ଏହା ପାଶ୍ଚାତ୍ୟ ପୁଞ୍ଜିବାଦ, ରୁଷୀୟ ସମାଜବାଦ କିମ୍ବା ଚୀନ୍ର ସାମ୍ୟବାଦୀ ବିକାଶ ମଡେଲ୍ ଉପରେ ଆଧାରିତ ନୁହେଁ। ଏହାର ମୂଳରେ ରହିଛି ଏକାତ୍ମ ମାନବବାଦ, ଯେଉଁଠାରେ ବ୍ୟକ୍ତି ବିକାଶ, ପ୍ରଗତି ଓ ସମୃଦ୍ଧିର କେନ୍ଦ୍ରବିନ୍ଦୁ। ବିକାଶର ସୁଫଳ ସମାଜର ଶେଷ ଧାଡ଼ିରେ ଥିବା ଶେଷ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା—ଏହା ଅନ୍ତ୍ୟୋଦୟର ମୂଳ ଭାବନା।
ତେଣୁ ମୋଦୀଙ୍କ ଅବଦାନକୁ କେବଳ ସରକାରୀ ଯୋଜନା ଓ ଭିତ୍ତିଭୂମି ପ୍ରକଳ୍ପ ମାଧ୍ୟମରେ ଦେଖିବା ଯଥେଷ୍ଟ ନୁହେଁ। ଏହାକୁ ଏକ ନୂତନ ବିକାଶ ମଡେଲ୍ ଏବଂ ଏପରି ଏକ ପରିବେଶ ସୃଷ୍ଟିର ପ୍ରୟାସ ଭାବେ ମଧ୍ୟ ଦେଖାଯାଇପାରେ, ଯେଉଁଠାରେ ୧୪୦ କୋଟି ଭାରତୀୟ ଏକ ଉତ୍ତମ ଭବିଷ୍ୟତ ନିଜ ପହଞ୍ଚ ମଧ୍ୟରେ ରହିଛି ବୋଲି ବିଶ୍ୱାସ କରନ୍ତି ଏବଂ ପ୍ରତ୍ୟେକ ନାଗରିକ ବିକାଶର ଲାଭାର୍ଥୀ ହେବେ ବୋଲି ଆଶ୍ୱସ୍ତ ରୁହନ୍ତି।
‘ମୌଳିକ ଆବଶ୍ୟକତା ରୁ ‘ଆକାଂକ୍ଷା’ ପର୍ଯ୍ୟନ୍ତ
ଦଶନ୍ଧି ଧରି ଭାରତର ବିକାଶର ମୁଖ୍ୟ ଚ୍ୟାଲେଞ୍ଜ ଥିଲା ଦାରିଦ୍ର୍ୟ ଦୂରୀକରଣ, ଖାଦ୍ୟ ସୁରକ୍ଷା ଏବଂ ମୌଳିକ ଆବଶ୍ୟକତା ପୂରଣ। ଏଗୁଡ଼ିକ ଆଜି ମଧ୍ୟ ଗୁରୁତ୍ୱପୂର୍ଣ୍ଣ; କିନ୍ତୁ ନୂତନ ଭାରତର ଆକାଂକ୍ଷା ଏହାଠାରୁ ବହୁତ ବହୁତ ଅଧିକ ।
ଆଜିର ଯୁବ ଭାରତୀୟ ଜଣେ ଉଦ୍ୟୋଗୀ ହେବା, ଏକ ଆଧୁନିକ ଘରର ମାଲିକ ହେବା, ବିଶ୍ୱ ଭ୍ରମଣ କରିବା, ନୂଆ ପ୍ରଯୁକ୍ତି ସୃଷ୍ଟି କରିବା, ଏକ ବିଶ୍ୱସ୍ତରୀୟ କମ୍ପାନୀ ଗଢ଼ିବା କିମ୍ବା ଅନ୍ତର୍ଜାତୀୟ ମଞ୍ଚରେ ସଫଳତାର ସହ ପ୍ରତିଯୋଗିତା କରିବାର ସ୍ୱପ୍ନ ଦେଖୁଛି। ମୋଦୀ ଏହି ମାନସିକ ପରିବର୍ତ୍ତନକୁ ଏକ ବିକାଶ ଦର୍ଶନରେ ପରିଣତ କରିବାର ପ୍ରୟାସ କରିଛନ୍ତି—ନିର୍ଭରଶୀଳତାରୁ ସୁଯୋଗକୁ, ଅଭାବରୁ ପ୍ରଚୁରତାକୁ, ବିଶ୍ୱ ପାଇଁ କେବଳ ବଜାର ନ ହୋଇ ବିଶ୍ୱ ପାଇଁ ନିର୍ମାତା ହେବାକୁ, ଏବଂ ବିଶ୍ୱ ମଞ୍ଚରେ ଅନୁସରଣକାରୀ ହେବା ବଦଳରେ ନେତୃତ୍ୱଦାତା ହେବାକୁ। G20, BRICS ଶିଖର ସମ୍ମିଳନୀ ଆଦି ଅନ୍ତର୍ଜାତୀୟ ମଞ୍ଚରେ ଭାରତର ଶକ୍ତିଶାଳୀ ଭୂମିକା ଏହି ବିଶ୍ୱସ୍ତରୀୟ ନେତୃତ୍ୱର ଉଦୟର ଏକ ପ୍ରତିଫଳନ।
ଗରିବ ଓ ଦୁର୍ବଳ ବର୍ଗଙ୍କୁ ବିକାଶର ମୁଖ୍ୟ ସ୍ରୋତରେ ଭାଗୀଦାର କରିବା
ମହାନ ଭାରତୀୟ ସ୍ୱପ୍ନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି—ସମୃଦ୍ଧି କେବଳ ସହର କିମ୍ବା ସମାଜର ଲବ୍ଧପ୍ରତିଷ୍ଠିତ ବର୍ଗ ମଧ୍ୟରେ ସୀମିତ ନ ରହିବା। ଜନଧନ, ଆଧାର-ଆଧାରିତ ସେବା ପ୍ରଦାନ, ମୋବାଇଲ୍ ସଂଯୋଗ, LPG ସଂଯୋଗ, ଗ୍ରାମୀଣ ଆବାସ, ବିଦ୍ୟୁତ୍ ସଂଯୋଗ, ପରିମଳ ଏବଂ ପାନୀୟ ଜଳ କାର୍ଯ୍ୟକ୍ରମ ଭଳି ପଦକ୍ଷେପ ମାଧ୍ୟମରେ କୋଟି କୋଟି ଲୋକଙ୍କୁ ସିଧାସଳଖ ଡିଜିଟାଲ୍ ଅର୍ଥନୈତିକ ଓ କଲ୍ୟାଣ ବ୍ୟବସ୍ଥା ସହ ଯୋଡ଼ିବାର ପ୍ରୟାସ ହୋଇଛି। ଏହି ବିକାଶ ମଡେଲ୍ ସାଧାରଣ ନାଗରିକଙ୍କୁ ସ୍ୱପ୍ନ ଦେଖିବା ଏବଂ ବିକାଶ ପ୍ରକ୍ରିୟାରେ ଅଂଶୀଦାର ହେବା ପାଇଁ ଏକ ମଞ୍ଚ ପ୍ରଦାନ କରିବା ସହିତ ବିକାଶକୁ ମହିଳା-ନେତୃତ୍ୱାଧୀନ କରିବାର ଲକ୍ଷ୍ୟ ରଖି କାର୍ଯ୍ୟାନ୍ୱୟନ ହେଉଛି।
ଡିଜିଟାଲ୍ ଇଣ୍ଡିଆ: ଉପଭୋକ୍ତାରୁ ସୃଷ୍ଟିକର୍ତ୍ତା ପର୍ଯ୍ୟନ୍ତ
ଭାରତର ଡିଜିଟାଲ୍ ଯାତ୍ରା ଷ୍ଟାର୍ଟଅପ୍, କ୍ଷୁଦ୍ର ବ୍ୟବସାୟୀ, ରାସ୍ତାକଡ଼ ବ୍ୟବସାୟୀ, ବୃତ୍ତିଧାରୀ ଏବଂ ଯୁବ ଉଦ୍ୟୋଗୀଙ୍କ ପାଇଁ ମଧ୍ୟ ନୂଆ ସୁଯୋଗ ସୃଷ୍ଟି କରିଛି। ଡିଜିଟାଲ୍ ଇଣ୍ଡିଆ ଏପରି ଏକ ଭାରତର ସ୍ୱପ୍ନକୁ ସାକାର କରୁଛି, ଯେଉଁଠାରେ ଭୌଗୋଳିକ ସ୍ଥାନ ସୁଯୋଗର ନିର୍ଣ୍ଣାୟକ ହେବା ଆବଶ୍ୟକତା ନାହିଁ ।
ଉଦ୍ୟୋଗୀତା: ପ୍ରତ୍ୟେକ ନାଗରିକ ଜଣେ ଅର୍ଥନୈତିକ ଅଂଶୀଦାର
ମହାନ ଭାରତୀୟ ସ୍ୱପ୍ନ ହେଉଛି ନିଜେ ନିଜର ନିଯୁକ୍ତିଦାତା ହେବା। ଷ୍ଟାର୍ଟଅପ୍ ସମର୍ଥନ, ମୁଦ୍ରା ଋଣ, Stand-Up India ଏବଂ ବିସ୍ତାରିତ ଷ୍ଟାର୍ଟଅପ୍ ପରିବେଶ ମାଧ୍ୟମରେ ଉଦ୍ୟୋଗୀତାକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ ଜାରି ରହିଛି । ଭାରତର ଷ୍ଟାର୍ଟଅପ୍ Ecosystem ର ଦ୍ରୁତ ବିକାଶ ଘଟିଛି। ଏହା ବର୍ତ୍ତମାନ ପୃଥିବୀର ତୃତୀୟ ବୃହତ୍। FinTech, e-Commerce, Mobility, Health Technology, Education, Logistics ଏବଂ Deep Technology ଭଳି କ୍ଷେତ୍ରରେ ନୂଆ କମ୍ପାନୀମାନେ ଉଦୟ ହୋଇଛନ୍ତି। ତେଣୁ ନିଯୁକ୍ତି ଖୋଜୁଥିବା ବ୍ୟକ୍ତିରୁ ନିଯୁକ୍ତି ସୃଷ୍ଟିକର୍ତ୍ତା ହେବାର ପରିବର୍ତ୍ତନ ବିକଶିତ ଭାରତର ଏକ ଶକ୍ତିଶାଳୀ ଭିତ୍ତିଭୂମି ଭାବେ ଉଭା ହୋଇଛି।
ଆତ୍ମନିର୍ଭର ଭାରତ: ଆତ୍ମବିଶ୍ୱାସ ର ଆଧାର, ବିଚ୍ଛିନ୍ନତା ନୁହେଁ
ଆତ୍ମନିର୍ଭର ଭାରତର ଧାରଣାକୁ କେତେବେଳେ ଅର୍ଥନୈତିକ ବିଚ୍ଛିନ୍ନତା ଭାବେ ବୁଝାଯାଇଛି। କିନ୍ତୁ ଏହାର ବ୍ୟାପକ ଅର୍ଥ ହେଉଛି—ଗୁରୁତ୍ୱପୂର୍ଣ୍ଣ ଓ ରଣନୈତିକ କ୍ଷେତ୍ରରେ ଦେଶୀୟ କ୍ଷମତା ବିକଶିତ କରିବା ସହିତ ଭାରତକୁ ବିଶ୍ୱ ବଜାର ସହ ଏକୀଭୂତ ରଖିବା।
ସ୍ୱପ୍ନକୁ ସାକାର କରିବା
ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଏକ ଉଚ୍ଚାକାଂକ୍ଷୀ ଧାରଣାକୁ କେନ୍ଦ୍ର କରି ଆଗକୁ ବଢ଼ୁଛି: ଭାରତ ନିଜର ସମସ୍ୟାଗୁଡ଼ିକୁ ସମାଧାନ କରିବା ସହିତ ସମ୍ଭାବନାଗୁଡ଼ିକୁ ସାକାର କରିବା ପାଇଁ ପ୍ରୟାସ କରୁଛି।
ମୋଦୀଙ୍କ ବିକାଶମୂଳକ ଦୃଷ୍ଟିକୋଣ ଏହି ଆକାଂକ୍ଷାଗୁଡ଼ିକୁ ଏକ ସମାବେଶୀ ଦିଗ ଦେବାର ପ୍ରୟାସ କରିଛି—ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ଏବଂ ବିକଶିତ ଭାରତ @2047
ଭାରତୀୟ ସ୍ୱପ୍ନ ଆଉ କେବଳ ଦାରିଦ୍ର୍ୟରୁ ମୁକ୍ତି କିମ୍ବା ସୁରକ୍ଷା ଖୋଜିବାର ସ୍ୱପ୍ନ ହୋଇ ରହିନାହିଁ। ଏହା କ୍ରମେ ସମୃଦ୍ଧି, ସୁଯୋଗ ଏବଂ ବିଶ୍ୱସ୍ତରୀୟ ନେତୃତ୍ୱ ସୃଷ୍ଟି କରିବାର ଦକ୍ଷତାକୁ ବିଗତ ଦଶନ୍ଧିରେ ପ୍ରମାଣ କରିଛି, ଯାହାକି ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ସାର୍ଥକ ହୋଇପାରିଛି।
ଯେପରି ବିଶ୍ୱକର୍ମାଙ୍କ ସ୍ପର୍ଶରେ ନିର୍ମାଣ ଉନ୍ନତି ଓ ଉଚ୍ଚତାର ହୁଏ, ସେହିପରି ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ଓ ଯୋଜନା ଭାରତକୁ ଏକ ଅଭୂତପୂର୍ବ ବିକଶିତ ଭାରତ ଭାବେ ଗଢ଼ି ତୋଳିବ।