ରାୟଗଡା, ୨୭/୦୯ (ଦକ୍ଷ ବାଥ୍ରା): ରାୟଗଡ଼ା ଜିଲ୍ଲା ଦୋରାଗୁଡ଼ା ଥାନା ଅନ୍ତର୍ଗତ ଆର୍ଆର୍ କଲୋନୀରେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତଦେହ ଏକ ଭଡ଼ା ଘରୁ ଉଦ୍ଧାର ହୋଇଛି। ମୃତକ ମୁନିଗୁଡ଼ା ଥାନା ହୁକୁମତୁଳା ଗ୍ରାମର ରାକେଶ କରକରିଆ। ସେ ଉତ୍କଳ ଆଲୁମିନା କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ଦୋରାଗୁଡ଼ା ଆର୍ଆର୍ କଲୋନୀରେ ସେ ନିଜ ସ୍ତ୍ରୀ ଓ ପିଲାଙ୍କ ସହ ଭଡ଼ା ଘରେ ରହୁଥିଲେ।
ଗତକାଲି ବିଳମ୍ବିତ ରାତିରେ ଘର ଭିତରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଆଜି ସକାଳେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ପାଇ ଦୋରାଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ପ୍ରାଥମିକ ତଦନ୍ତରେ ପାରିବାରିକ କଳହ ଯୋଗୁଁ ଏଭଳି ଅଘଟଣ ଘଟିଥିବା ପୁଲିସ ସନ୍ଦେହ କରୁଥିବା ଜଣାପଡ଼ିଛି। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।