ସ୍ୱଚ୍ଛତା ନିୟମ ପାଳନକୁ ଅଧିକ ସୁଦୃଢ଼ କଲା ପୂର୍ବତଟ ରେଳପଥ
ବ୍ୟାପକ ନିରୀକ୍ଷଣ ସହ ଜନସାଧାରଣଙ୍କ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୨୭/୦୯: ରେଳ ପରିସରରେ ସ୍ୱଚ୍ଛତା ବଜାୟ ରଖିବା ଦିଗରେ ପୂର୍ବତଟ ରେଳପଥ ଏହାର ନିରୀକ୍ଷଣ ଓ ନିୟମ ପାଳନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିଛି। ରେଳ ପରିସରକୁ ଅଧିକ ସ୍ୱଚ୍ଛ, ସୁସ୍ଥ ଏବଂ ସ୍ଥାୟୀ କରିବା ଲକ୍ଷ୍ୟରେ ବ୍ୟାପକ ନିରୀକ୍ଷଣ ଓ ପ୍ରବର୍ତ୍ତନମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି।
ଚାଲୁଥିବା ସ୍ୱଚ୍ଛତା ଅଭିଯାନ ଏବଂ ସ୍ୱଚ୍ଛତା ହିଁ ସେବା ୨୦୨୬ର ଉଦ୍ଦେଶ୍ୟ ଅନୁରୂପ, ଅଗଷ୍ଟ ୨୦୨୬ ମାସରେ ରେଳ ପରିସରର ସ୍ୱଚ୍ଛତାକୁ ପ୍ରଭାବିତ କରୁଥିବା ବିଭିନ୍ନ ଅନିୟମିତତା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୩,୦୨୮ଟି ମାମଲା ରୁଜୁ କରାଯାଇ ୫.୮୯ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ଜୁଲାଇ ୨୦୨୬ରେ ୨,୩୦୨ଟି ମାମଲା ରୁଜୁ କରାଯାଇ ୪.୪୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିଲା I
ଏହି ବୃଦ୍ଧି ପୂର୍ବତଟ ରେଳପଥର ସଜାଗତା ଓ ଅଧିକ ତୀବ୍ର ନିୟମ ପାଳନ ପ୍ରକ୍ରିୟାକୁ ପ୍ରତିଫଳିତ କରୁଛି। ଯାତ୍ରୀ ଓ ଅନ୍ୟାନ୍ୟ ହିତଧାରୀଙ୍କ ମଧ୍ୟରେ ଦାୟିତ୍ୱପୂର୍ଣ୍ଣ ଆଚରଣକୁ ପ୍ରୋତ୍ସାହିତ କରିବା ସହ ରେଳ ଷ୍ଟେସନ ଓ ପରିସରର ସ୍ୱଚ୍ଛତାକୁ ପ୍ରଭାବିତ କରୁଥିବା ଅବାଞ୍ଛିତ କାର୍ଯ୍ୟକଳାପକୁ ରୋକିବା ପାଇଁ ନିୟମିତ ନିରୀକ୍ଷଣ କରାଯାଉଛି।
ମାସିକ ରିପୋର୍ଟ ଅନୁଯାୟୀ, ବାଣିଜ୍ୟ ବିଭାଗ ପକ୍ଷରୁ ୬୩୬ଟି ମାମଲା ରୁଜୁ କରାଯାଇ ୧.୨୭ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି, ରେଳ ସୁରକ୍ଷା ବଳ (RPF) ପକ୍ଷରୁ ଖୋର୍ଦ୍ଧା ରୋଡ, ରାୟଗଡ଼ା ଓ ସମ୍ବଲପୁର ଡିଭିଜନରେ ୨,୩୯୨ଟି ମାମଲା ରୁଜୁ କରାଯାଇ ୪.୬୨୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି।
ତିନୋଟି ଡିଭିଜନ ମଧ୍ୟରୁ ଖୋର୍ଦ୍ଧା ରୋଡ ଡିଭିଜନରେ ୨,୨୦୩ଟି ମାମଲା ରୁଜୁ କରାଯାଇ ୪.୫୨୬ ଲକ୍ଷ ଟଙ୍କା, ରାୟଗଡ଼ା ଡିଭିଜନରେ ୪୦୪ଟି ମାମଲାରେ ୬୨,୮୦୦ ଟଙ୍କା ଏବଂ ସମ୍ବଲପୁର ଡିଭିଜନରେ ୪୨୧ଟି ମାମଲାରେ ୭୪,୧୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।
ସ୍ୱଚ୍ଛତା ପାଇଁ ଏହି ସୁଦୃଢ଼ ନିୟମ ପାଳନ ବ୍ୟବସ୍ଥା ପୂର୍ବତଟ ରେଳପଥର ବ୍ୟାପକ ସ୍ୱଚ୍ଛତା ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏଥିରେ ନିରୀକ୍ଷଣ, ସଚେତନତା ଓ ଜନସହଭାଗିତାକୁ ସମାନ ଗୁରୁତ୍ୱ ଦିଆଯାଉଛି। କେବଳ ଜରିମାନା ଆଦାୟ କରିବା ନୁହେଁ, ବରଂ ଆଚରଣରେ ପରିବର୍ତ୍ତନ ଆଣି ରେଳ ପରିସରକୁ ସ୍ୱଚ୍ଛ ରଖିବା ପ୍ରତି ଅଧିକ ଦାୟିତ୍ୱବୋଧ ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ସ୍ୱଚ୍ଛତା ନିୟମ ପାଳନ ସହିତ ପୂର୍ବତଟ ରେଳପଥ ରେଳ ଷ୍ଟେସନ ଓ ରେଳବସତିଗୁଡ଼ିକରେ ପାନୀୟ ଜଳର ଗୁଣବତ୍ତା ଯାଞ୍ଚ ଓ ପରିମଳ ବ୍ୟବସ୍ଥାକୁ ମଧ୍ୟ ଅଧିକ ସୁଦୃଢ଼ କରିଛି। ଏହି ପରିପ୍ରେକ୍ଷୀରେ ୧୮ ଅଗଷ୍ଟରୁ ୩ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଅଭିଯାନ ଚାଲୁ କରାଯାଇ ୧୭୫ଟି ରେଳ ଷ୍ଟେସନ ଓ ୧୬୦ଟି ରେଳବାଇ କଲୋନୀ ଗୁଡିକରେ ପାନୀୟ ଜଳର ଗୁଣବତ୍ତା ଯାଞ୍ଚ କରାଯାଇଥିଲା।
ଏହି ସ୍ୱତନ୍ତ୍ର ଅଭିଯାନ ପରେ ମଧ୍ୟ ପୂର୍ବତଟ ରେଳପଥ ପକ୍ଷରୁ ପାନୀୟ ଜଳର ଗୁଣବତ୍ତା ଉପରେ ଆକସ୍ମିକ ଯାଞ୍ଚ, ଜଳ ଟାଙ୍କି ଓ ଷ୍ଟେସନରେ ଥିବା ଜଳ ଶୀତଳକରଣ ଯନ୍ତ୍ରର ନିୟମିତ ସଫେଇ ଜାରି ରହିଛି। ଯାତ୍ରୀମାନଙ୍କୁ ନିର୍ଦ୍ଧାରିତ ଗୁଣବତ୍ତା ମାନଦଣ୍ଡ ଅନୁଯାୟୀ ସୁରକ୍ଷିତ ଓ ଗୁଣବତ୍ତାସମ୍ପନ୍ନ ପାନୀୟ ଜଳ ଯୋଗାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ଏହି ପଦକ୍ଷେପଗୁଡ଼ିକ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ପାଳିତ ହେଉଥିବା ସ୍ୱଚ୍ଛତା ହିଁ ସେବା ୨୦୨୬ ଅଭିଯାନକୁ ଆହୁରି ସୁଦୃଢ଼ କରୁଛି। ଚଳିତ ବର୍ଷର ଅଭିଯାନର ବିଷୟବସ୍ତୁ “ସ୍ୱଚ୍ଛତା ମେଁ ସହଭାଗ: ସ୍ୱଚ୍ଛ ଭାରତ, ବିକଶିତ ଭାରତ” ରହିଛି। ଏହି ଅଭିଯାନରେ ଜନସହଭାଗିତା, ଆଚରଣଗତ ପରିବର୍ତ୍ତନ, ଦାୟିତ୍ୱପୂର୍ଣ୍ଣ ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ଥାୟୀ ସ୍ୱଚ୍ଛତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।
ପୂର୍ବତଟ ରେଳପଥ ପକ୍ଷରୁ ସ୍ୱଚ୍ଛ ଷ୍ଟେସନ ଓ ସ୍ୱଚ୍ଛ ରେଳଗାଡ଼ି ଅଭିଯାନ, ଡ୍ରେନ୍ ଓ ଶୌଚାଳୟ ସଫେଇ, ଉତ୍ପତ୍ତିସ୍ଥଳରେ ବର୍ଜ୍ୟବସ୍ତୁ ପୃଥକୀକରଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ସଚେତନତା, “ପ୍ଲାଷ୍ଟିକ୍କୁ ନା” ଅଭିଯାନ ଏବଂ ଦୀର୍ଘଦିନ ଧରି ସଞ୍ଚିତ ବର୍ଜ୍ୟବସ୍ତୁ ଅପସାରଣ ଭଳି ବିଭିନ୍ନ ସ୍ୱଚ୍ଛତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।
ରେଳ ପ୍ରଶାସନ ପକ୍ଷରୁ ଯାତ୍ରୀ, ରେଳ କର୍ମଚାରୀ, ଲାଇସେନ୍ସପ୍ରାପ୍ତ ବିକ୍ରେତା ଓ ଅନ୍ୟାନ୍ୟ ହିତଧାରୀଙ୍କୁ ରେଳ ପରିସରକୁ ସ୍ୱଚ୍ଛ ରଖିବାରେ ସକ୍ରିୟ ଭାଗୀଦାର ହେବାକୁ ଆହ୍ୱାନ କରାଯାଉଛି। ତେଣୁ, ସଚେତନତା ଓ ଜନସହଭାଗିତା ସହିତ ବର୍ଦ୍ଧିତ ନିୟମ ପାଳନକୁ ଏକ ସହାୟକ ପଦକ୍ଷେପ ଭାବେ ଗ୍ରହଣ କରାଯାଇ ଅଧିକ ଦାୟିତ୍ୱବୋଧ ଏବଂ ଦୀର୍ଘସ୍ଥାୟୀ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରାଯାଉଛି।