ନୂଆଦିଲ୍ଲୀ, ୨୮/୦୯: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି। ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖିଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU)। ଫଳରେ ଆଜିଠାରୁ ଧର୍ମଘଟ ଯୋଗୁଁ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେବ ନାହିଁ ଏବଂ ବ୍ୟାଙ୍କଗୁଡ଼ିକ ସାଧାରଣ ଭାବେ ଚାଲିବ।
ଗତକାଲି, ଅର୍ଥାତ୍ ସେପ୍ଟେମ୍ବର ୨୭ ତାରିଖରେ, ୟୁଏଫ୍ବିୟୁ ଓ ଭାରତୀୟ ବ୍ୟାଙ୍କ ସଂଘ (IBA) ମଧ୍ୟରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ପରେ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ବିଭିନ୍ନ ଦାବି ଉପରେ ଆଲୋଚନା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ତୁରନ୍ତ ଗଠନ କରିବାକୁ ସହମତି ହୋଇଥିଲା। ଏହା ପରେ ୟୁଏଫ୍ବିୟୁ ପକ୍ଷରୁ ଧର୍ମଘଟ ସହ ଅନ୍ୟାନ୍ୟ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ, ବ୍ୟାଙ୍କ କର୍ମଚାରୀ ସଂଗଠନଗୁଡ଼ିକର ପ୍ରମୁଖ ଦାବି ହେଉଛି ସପ୍ତାହକୁ ୫ ଦିନ ବ୍ୟାଙ୍କିଂ ବ୍ୟବସ୍ଥା ଲାଗୁ କରିବା। ଅର୍ଥାତ୍ ମାସର ସମସ୍ତ ଶନିବାରକୁ ଛୁଟି ଘୋଷଣା କରିବାକୁ ସଂଗଠନଗୁଡ଼ିକ ଦାବି କରୁଛନ୍ତି। ବର୍ତ୍ତମାନ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ଛୁଟି ରହୁଥିବା ବେଳେ ପ୍ରଥମ ଓ ତୃତୀୟ ଶନିବାର ସାଧାରଣତଃ ବ୍ୟାଙ୍କ ଖୋଲା ରହେ।
ତେଣୁ ସବୁ ଶନିବାର ଛୁଟି ଦାବି ଉପରେ IBA ଓ UFBUର ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବ। ଏହା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।