ଭୁବନେଶ୍ୱର, ୨୮/୦୯: ଏମଏମଡିଆର ସଂଶୋଧନ ଆଇନକୁ ନେଇ ବିଜୁ ଜନତା ଦଳର ଆନ୍ଦୋଳନ ଆହୁରି ତୀବ୍ର ହୋଇଛି। ଆଇନ ପ୍ରତ୍ୟାହାର ଦାବିରେ ସୋମବାର ବିଜେଡି ପକ୍ଷରୁ ବିଧାନସଭା ସମ୍ମୁଖରେ ବିଶାଳ ବିକ୍ଷୋଭ କରାଯାଇଛି। ଗାନ୍ଧୀ ମାର୍ଗରେ ଆୟୋଜିତ ଏହି ପ୍ରତିବାଦରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ସାମିଲ ହୋଇଛନ୍ତି। ବିଜେଡି ପୂର୍ବରୁ ହିଁ ସେପ୍ଟେମ୍ବର ୨୮ରେ ଏହି ବିଶାଳ ଆନ୍ଦୋଳନ କରିବାକୁ ଘୋଷଣା କରିଥିଲା।
ବିଜେଡିର ଅଭିଯୋଗ ହେଉଛି, ଏମଏମଡିଆର ସଂଶୋଧନ ଆଇନ ଖଣି ଓ ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଏବଂ ଆର୍ଥିକ ସ୍ୱାର୍ଥକୁ ପ୍ରଭାବିତ କରିବ। ଏହି ଆଇନକୁ ଓଡ଼ିଶାର ସ୍ୱାର୍ଥବିରୋଧୀ ଦର୍ଶାଇ ବିଜେଡି ଏହାର ପ୍ରତ୍ୟାହାର ଦାବି କରୁଛି।
ଏମଏମଡିଆର ପ୍ରସଙ୍ଗକୁ ନେଇ ବିଧାନସଭା ଭିତରେ ମଧ୍ୟ ବିରୋଧ ଜାରି ରହିଛି। ଗତ କିଛି ଦିନ ଧରି ବିଜେଡି ଓ କଂଗ୍ରେସ ବିଧାୟକମାନେ ଆଇନ ପ୍ରତ୍ୟାହାର ଦାବିରେ ପ୍ରତିବାଦ କରିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଆସୁଛି। ସେପ୍ଟେମ୍ବର ୨୫ରେ ମଧ୍ୟ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ଯାହା ଫଳରେ ଗୃହକାର୍ଯ୍ୟ ମୁଲତବୀ ହୋଇଥିଲା।
ଆଜି ମଧ୍ୟ ବିଜେଡି ବିଧାୟକମାନେ ଗୃହରୁ କକ୍ଷତ୍ୟାଗ କରି ଗାନ୍ଧୀ ମାର୍ଗରେ ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଛନ୍ତି।ବିକ୍ଷୋଭସ୍ଥଳରେ ପହଞ୍ଚି ନବୀନ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥ ପାଇଁ ସମସ୍ତେ ଏକାଠି ହେବା ଆବଶ୍ୟକ। ସାଢ଼େ ୪ କୋଟି ଓଡ଼ିଆଙ୍କ ହକ୍ ପାଇଁ ବିଜେଡିର ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି।
ନବୀନଙ୍କ କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ସହ ଜଡ଼ିତ ଏହି ପ୍ରସଙ୍ଗରେ ସମସ୍ତ ରାଜନୈତିକ ଦଳ ଏକାଠି ହେବା ଦରକାର। ଯୁବପିଢ଼ି, ବିଶେଷକରି ଜେନ୍ ଜିଙ୍କ ସ୍ୱାର୍ଥ ପାଇଁ ମଧ୍ୟ ଲଢ଼େଇ ଜାରି ରହିବ। ଜେନ୍ ଜି ଓ ଓଡ଼ିଶାବାସୀ ଆପଣଙ୍କୁ କ୍ଷମା ଦେବେ ନାହିଁ। ଏ ମାଟି ପାଇଁ ଏକାଠି ହେବା ଦରକାର। ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଅଧିକାର ସୁରକ୍ଷା ପାଇଁ ଦଳୀୟ ମତଭେଦ ଭୁଲି ସମସ୍ତେ ଏକାଠି ହେବାକୁ ସେ ଆହ୍ବାନ ଦେଇଛନ୍ତି। ଏଥିସହ ନବୀନ କହିଛନ୍ତି ଯେ, ଏମଏମଡିଆର ଆଇନକୁ ଓଡ଼ିଶାରେ ଲାଗୁ କରାଇ ଦିଆଯିବ ନାହିଁ।