ଷଷ୍ଠ ଶ୍ରେଣୀରେ ତୃତୀୟ ଭାଷା ବାଧ୍ୟତାମୂଳକ ନକରିବାକୁ ସିବିଏସଇକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

‘ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ପ୍ରସ୍ତୁତ ହେବାକୁ ସମୟ ଆବଶ୍ୟକ’

ସୁପ୍ରିମକୋର୍ଟରେ ଶୁଣାଣି ହୋଇଛ। ବର୍ତ୍ତମାନ ଷଷ୍ଠ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଚଳିତ ଶିକ୍ଷାବର୍ଷରୁ ତୃତୀୟ ଭାଷା ବାଧ୍ୟତାମୂଳକ ନକରିବା ଏବଂ ଏହାର ବାଧ୍ୟତାମୂଳକ କାର୍ଯ୍ୟକାରିତାକୁ ୨୦୨୭ ପର୍ଯ୍ୟନ୍ତ ଘୁଞ୍ଚାଇବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ସିବିଏସଇକୁ ବିଚାର କରିବାକୁ କହିଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ଏହା ଚୂଡ଼ାନ୍ତ ରାୟ ନୁହେଁ; ସିବିଏସଇ ଏହି ପ୍ରସ୍ତାବ ଉପରେ ପୁନଃବିଚାର କରି ଉତ୍ତର ଦେବ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲଗୁଡ଼ିକୁ ନୂଆ ବ୍ୟବସ୍ଥା ସହ ଖାପ ଖୁଆଇବା ପାଇଁ କିଛି ସମୟ ଦେବା ଆବଶ୍ୟକ ବୋଲି କୋର୍ଟ ମତ ଦେଇଛନ୍ତି।

ସିବିଏସଇ ୨୦୨୬-୨୭ ଶିକ୍ଷାବର୍ଷରୁ ଷଷ୍ଠ ଶ୍ରେଣୀରେ ତୃତୀୟ ଭାଷା ବ୍ୟବସ୍ଥା ଆରମ୍ଭ କରିଥିଲା। ଏପ୍ରିଲ ୯, ୨୦୨୬ର ସର୍କୁଲାରରେ ସିବିଏସଇ ସ୍କୁଲଗୁଡ଼ିକୁ ଷଷ୍ଠ ଶ୍ରେଣୀରେ ତୃତୀୟ ଭାଷା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାକୁ ନ୍ୟାସନାଲ କରିକୁଲମ ଫ୍ରେମୱାର୍କ ଫର ସ୍କୁଲ ଏଜୁକେସନ (NCFSE)-୨୦୨୩ ଅନୁସାରେ ଲାଗୁ କରାଯାଉଛି।

ନୂଆ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ଏକାଧିକ ଭାରତୀୟ ଭାଷା ସହ ପରିଚିତ କରାଇବା। ନିୟମ ଅନୁସାରେ ଦୁଇଟି ଭାଷା ଭାରତୀୟ ଭାଷା ହେବାର ବ୍ୟବସ୍ଥା ରହିଛି। ଓଡ଼ିଆ, ହିନ୍ଦୀ, ସଂସ୍କୃତ, ତାମିଲ, ତେଲୁଗୁ, କନ୍ନଡ, ମଲୟାଳମ, ମରାଠୀ, ବଙ୍ଗଳା, ପଞ୍ଜାବୀ, ଗୁଜରାଟୀ ଆଦି ଭାଷା ଏଥିରେ ସାମିଲ ଅଛି।

ତିନି-ଭାଷା ନୀତିକୁ ନେଇ କିଛି ଛାତ୍ରଛାତ୍ରୀ ଓ ଅନ୍ୟ ପକ୍ଷରୁ ଆପତ୍ତି ଉଠାଯାଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ନୂଆ ବ୍ୟବସ୍ଥା ଲାଗୁ କରିବା ସମୟରେ ପର୍ଯ୍ୟାପ୍ତ ଶିକ୍ଷକ, ପାଠ୍ୟପୁସ୍ତକ ଓ ଆବଶ୍ୟକ ଭିତ୍ତିଭୂମି ରହିଛି କି ନାହିଁ, ସେନେଇ ମଧ୍ୟ ପ୍ରଶ୍ନ ଉଠିଛି।

ସେପଟେ ସିବିଏସଇ ଏହି ବର୍ଷର ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଏକକାଳୀନ ଛାଡ଼ ଦେବା ପକ୍ଷରେ ପ୍ରଥମେ ରାଜି ହୋଇନଥିଲା। ବୋର୍ଡର ଯୁକ୍ତି ଥିଲା, ଯଦି ଏହି ବ୍ୟାଚ୍‌କୁ ଛାଡ଼ ଦିଆଯାଏ, ତେବେ ପରବର୍ତ୍ତୀ ଶ୍ରେଣୀରେ ଭାଷା ଶିକ୍ଷାରେ ଅସଙ୍ଗତି ଓ ଶିକ୍ଷାଗତ ଅଭାବ ସୃଷ୍ଟି ହୋଇପାରେ। ତେବେ ସୁପ୍ରିମକୋର୍ଟଙ୍କ ବର୍ତ୍ତମାନର ରାୟ ପରେ ଏହି ବାଧ୍ୟତାମୂଳକ ତିନି ଭାଷା ନିୟମ ୨୦୨୭ରୁ ଲାଗୁ ହୋଇପାରେ।