କୋଡ଼ିଙ୍ଗା ଆରଆଇ ବିରଞ୍ଚି ନାରାୟଣ ଦାସ ସସ୍‌ପେଣ୍ଡ

ନିଲମ୍ବନ ସମୟରେ ମୁଖ୍ୟାଳୟରେ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ନବରଙ୍ଗପୁର, ୨୯/୦୯: ବନ୍ୟା ସମୟରେ କାର୍ଯ୍ୟରେ ଅନୁପସ୍ଥିତ ରହିବା ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କୁ ମହଙ୍ଗା ପଡ଼ିଛି। ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରାଜସ୍ୱ ନିରୀକ୍ଷକ ବିରଞ୍ଚି ନାରାୟଣ ଦାସଙ୍କୁ ଜିଲ୍ଲାପାଳ ସସ୍‌ପେଣ୍ଡ କରିଛନ୍ତି। ବନ୍ୟା ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଛୁଟି ବାତିଲ କରାଯାଇଥିବା ସତ୍ତ୍ୱେ ସେ କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ନବରଙ୍ଗପୁର ଜିଲ୍ଲାରେ ବନ୍ୟା ଓ ଗଭୀର ଅବପାତଜନିତ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଥିବା ସମୟରେ ରାଜସ୍ୱ ବିଭାଗର କର୍ମଚାରୀମାନଙ୍କୁ ଜରୁରୀକାଳୀନ ଦାୟିତ୍ୱ ତୁଲାଇବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଥିଲା। ଏଥିପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଥିଲା।

ତେବେ ଏହି ସମୟରେ କୋଡ଼ିଙ୍ଗା ଆରଆଇ ବିରଞ୍ଚି ନାରାୟଣ ଦାସ ନିଜ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ। ତେଣୁ ନବରଙ୍ଗପୁର ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦାସଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ସସ୍‌ପେଣ୍ଡ କରିଛନ୍ତି। ନିଲମ୍ବନ ଅବଧିରେ ସେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ଏବଂ ନିର୍ଦ୍ଦେଶ ଅନୁସାରେ ମୁଖ୍ୟାଳୟରେ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।