ଶ୍ରୀନଗର, ୩୦/୦୯: ଜମ୍ମୁ-କଶ୍ମୀରର ବୁଡ଼ଗାମ ଜିଲ୍ଲାରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା ମିଳିଛି। କଶ୍ମୀରର ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ମଙ୍ଗଳବାର ସୁରକ୍ଷାବାହିନୀ ସହ ହୋଇଥିବା ଗୁଳିବିନିମୟରେ ଲସ୍କର-ଏ-ତୋଏବା (LeT)ର ଜଣେ ଶୀର୍ଷ ଆତଙ୍କବାଦୀ ନିହତ ହୋଇଛି। ନିହତ ଆତଙ୍କବାଦୀ ହେଉଛି ସୁଲେମାନ ଶାହ ଓରଫ ‘ମୁସା’
ସୂଚନା ଅନୁସାରେ, ୟୁସମାର୍ଗର କୋରାଗ ଅଞ୍ଚଳରେ ‘ଅପରେସନ କୋରାଗ’ ଅଧୀନରେ ଏହି ମିଳିତ ଅଭିଯାନ ଆରମ୍ଭ ହୋଇଥିଲା। ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ଭାରତୀୟ ସେନା, ଜମ୍ମୁ-କଶ୍ମୀର ପୁଲିସ ଏବଂ ସିଆରପିଏଫ୍ ମିଳିତ ଭାବେ ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇଥିଲେ। ଘଞ୍ଚ ଜଙ୍ଗଲ ଭିତରେ ତଲାସୀ ବେଳେ ସୁରକ୍ଷାବାହିନୀ ସନ୍ଦେହଜନକ ଗତିବିଧି ଦେଖି ଆତଙ୍କବାଦୀଙ୍କୁ ଆହ୍ୱାନ କରିଥିଲେ। ଏହାପରେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା।
ସୁରକ୍ଷା ଅଧିକାରୀଙ୍କ ଅନୁସାରେ, ମୁସା ଜମ୍ମୁ-କଶ୍ମୀରରେ ଘଟିଥିବା ଏକାଧିକ ଆକ୍ରମଣରେ ସମ୍ପୃକ୍ତ ଥିଲା। ବିଶେଷକରି ପିର ପଞ୍ଜାଲ ପର୍ବତମାଳାର ଉଭୟ ପାର୍ଶ୍ୱରେ ଘଟିଥିବା ବିଭିନ୍ନ ଆତଙ୍କବାଦୀ ଘଟଣା ସହ ତାର ସମ୍ପୃକ୍ତି ଥିଲା।
ସେପ୍ଟେମ୍ବର ୫ରେ ୟୁସମାର୍ଗରେ ସର୍ଚ୍ଚ ଅପରେସନ ବେଳେ ମୁସା ସୁରକ୍ଷାବାହିନୀଙ୍କ ହାତରୁ ଖସିଯାଇଥିଲା। କିନ୍ତୁ ତାର ଘନିଷ୍ଠ ସହଯୋଗୀ ୟାସିର ସେହି ଗୁଳିବିନିମୟରେ ନିହତ ହୋଇଥିଲା। ଏହାପରେ ମୁସାକୁ ଧରିବା ପାଇଁ ସୁରକ୍ଷାବାହିନୀ ଅଭିଯାନ ଜାରି ରଖିଥିଲେ।
ବର୍ତ୍ତମାନ ବୁଡ଼ଗାମର ଦୁର୍ଗମ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ସୁରକ୍ଷାବାହିନୀ ପକ୍ଷରୁ ତଲାସୀ ଜାରି ରହିଛି। ସେହି ଅଞ୍ଚଳରେ ଆଉ କୌଣସି ଆତଙ୍କବାଦୀ ଲୁଚି ରହିଛନ୍ତି କି ନାହିଁ, ସେନେଇ ଯାଞ୍ଚ କରାଯାଉଛି।