ପି.ଟି. ଉଷାଙ୍କ ୪୨ ବର୍ଷର ରେକର୍ଡ଼ ଭାଙ୍ଗିଲେ ବିତ୍ୟା ରାମରାଜ
ଏସୀୟ କ୍ରୀଡ଼ାରେ ବିତ୍ୟା ରାମରାଜଙ୍କ ନୂଆ କୀର୍ତ୍ତିମାନ
ନାଗୋୟା, ୩୦/୦୯: ଏସୀୟ କ୍ରୀଡ଼ା-୨୦୨୬ରେ ଭାରତୀୟ ଆଥ୍ଲେଟ୍ ବିତ୍ୟା ରାମରାଜ ରଚିଛନ୍ତି ନୂଆ ଇତିହାସ। ମହିଳା ୪୦୦ ମିଟର ହର୍ଡଲସ୍ରେ ବ୍ରୋଞ୍ଜ ପଦକ ଜିତିବା ସହ ସେ ମହାନ ଭାରତୀୟ ଧାବିକା ପି.ଟି. ଉଷାଙ୍କ ଦୀର୍ଘ ୪୨ ବର୍ଷର ଜାତୀୟ ରେକର୍ଡକୁ ଭାଙ୍ଗିଛନ୍ତି। ବିତ୍ୟା ୫୪.୭୫ ସେକେଣ୍ଡରେ ଦୌଡ଼ ଶେଷ କରି ନୂଆ ଜାତୀୟ ରେକର୍ଡ ନିଜ ନାମରେ କରିଛନ୍ତି।
ପୂର୍ବରୁ ମହିଳା ୪୦୦ ମିଟର ହର୍ଡଲସ୍ରେ ଭାରତୀୟ ଜାତୀୟ ରେକର୍ଡ ପି.ଟି. ଉଷାଙ୍କ ନାମରେ ଥିଲା। ୧୯୮୪ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସରେ ଉଷା ୫୫.୪୨ ସେକେଣ୍ଡରେ ଦୌଡ଼ି ଏହି ରେକର୍ଡ କରିଥିଲେ। ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଏହି ରେକର୍ଡ ଅକ୍ଷୁଣ୍ଣ ରହିଥିଲା।
ବିତ୍ୟା ଏହା ପୂର୍ବରୁ ୨୦୨୩ ଏସୀୟ କ୍ରୀଡ଼ାରେ ସେ ୫୫.୪୨ ସେକେଣ୍ଡ ସମୟ କରି ପି.ଟି. ଉଷାଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। ତେବେ ନାଗୋୟାରେ ୫୪.୭୫ ସେକେଣ୍ଡର ପ୍ରଦର୍ଶନ ସହ ସେ ଉଷାଙ୍କ ରେକର୍ଡଠାରୁ ୦.୬୭ ସେକେଣ୍ଡ କମ୍ ସମୟ ନେଇ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ଏଥିସହ ୪୦୦ ମିଟର ହର୍ଡଲସ୍ରେ ୫୫ ସେକେଣ୍ଡରୁ କମ୍ ସମୟରେ ଦୌଡ଼ ଶେଷ କରିଥିବା ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି।
ଏହି ଦୌଡ଼ରେ ୟୁଏଇର ମରିୟମ କରିମ୍ ୫୪.୩୧ ସେକେଣ୍ଡ ସହ ସ୍ୱର୍ଣ୍ଣ ଏବଂ କାଜାଖସ୍ତାନର ଆଡେଲିନା ଜେମ୍ସ ୫୪.୫୮ ସେକେଣ୍ଡ ସହ ରୌପ୍ୟ ପଦକ ଜିତିଥିଲେ। ବିତ୍ୟା ୫୪.୭୫ ସେକେଣ୍ଡ ସହ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ହାସଲ କରିଥିଲେ।
ତେବେ ଚଳିତ ଏସୀୟ କ୍ରୀଡ଼ାରେ ବିତ୍ୟାଙ୍କ ସଫଳତା କେବଳ ଗୋଟିଏ ପଦକ କିମ୍ବା ଗୋଟିଏ ରେକର୍ଡରେ ସୀମିତ ନୁହେଁ। ସେ ତିନିଟି ଭିନ୍ନ ରଙ୍ଗର ପଦକ ଜିତି ଏକ ବିରଳ ସଫଳତା ହାସଲ କରିଛନ୍ତି। ମହିଳା ୪x୪୦୦ ମିଟର ରିଲେରେ ସେ ସ୍ୱର୍ଣ୍ଣ, ମିକ୍ସଡ୍ ୪x୪୦୦ ମିଟର ରିଲେରେ ରୌପ୍ୟ ଏବଂ ୪୦୦ ମିଟର ହର୍ଡଲସ୍ରେ ବ୍ରୋଞ୍ଜ ପଦକ ଜିତିଛନ୍ତି।
ମହିଳା ୪x୪୦୦ ମିଟର ରିଲେରେ ବିତ୍ୟା, କିରଣ ପହଲ, ଏମ୍.ଆର୍. ପୁଭାମ୍ମା ଓ ପ୍ରାଚୀଙ୍କ ଭାରତୀୟ ଦଳ ୩ ମିନିଟ୍ ୨୯.୬୯ ସେକେଣ୍ଡରେ ଦୌଡ଼ ଶେଷ କରି ସ୍ୱର୍ଣ୍ଣ ଜିତିଥିଲା। ବାହାରେନ୍ ଓ ଚୀନ୍ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପାଇଥିଲେ।