ଆମେରିକାରେ ୧୧ ହଜାର ଉଡ଼ାଣ ବାତିଲ ଓ ବିଳମ୍ବ; ୧୫ ଲକ୍ଷ ଯାତ୍ରୀ ପ୍ରଭାବିତ

ଆହୁରି ଗୋଟିଏ ଦିନ ରହିପାରେ ସମସ୍ୟା

ୱାଶିଂଟନ ଡିସି, ୧୪/୧୧: ଆମେରିକାରେ ବିମାନ ଚଳାଚଳ ବ୍ୟବସ୍ଥାରେ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ବୈଷୟିକ ତ୍ରୁଟି ଯୋଗୁଁ ଦେଶବ୍ୟାପୀ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଏହାର ପ୍ରଭାବରେ ପ୍ରାୟ ୧୧ ହଜାର ବିମାନର ଉଡ଼ାଣ ବାତିଲ କିମ୍ବା ବିଳମ୍ବିତ ହୋଇଥିବା ବେଳେ ୧୫ ଲକ୍ଷରୁ ଅଧିକ ଯାତ୍ରୀଙ୍କ ଯାତ୍ରା ଯୋଜନା ବାଧାପ୍ରାପ୍ତ ହୋଇଛି। ବିମାନବନ୍ଦରଗୁଡ଼ିକରେ ଯାତ୍ରୀଙ୍କ ଭିଡ଼ ବଢ଼ିବା ସହ ଅନେକ ଯାତ୍ରୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଛି।

ନଭେମ୍ବର ୧୩ ଶୁକ୍ରବାର ଦିନ ଆମେରିକାର ଫେଡେରାଲ ଏଭିଏସନ୍ ଆଡମିନିଷ୍ଟ୍ରେସନ (FAA) ବିମାନ ଚଳାଚଳ ସୁରକ୍ଷା ଦୃଷ୍ଟିରୁ ଦେଶବ୍ୟାପୀ ଗ୍ରାଉଣ୍ଡ ଷ୍ଟପ୍ ଜାରି କରିଥିଲା। ଏହାଦ୍ୱାରା ବିମାନବନ୍ଦରରୁ ନୂଆ ବିମାନ ଉଡ଼ାଣ ଉପରେ ସାମୟିକ ରୋକ୍ ଲଗାଯାଇଥିଲା। ତେବେ ଆକାଶରେ ଉଡ଼ୁଥିବା ବିମାନଗୁଡ଼ିକୁ ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥଳରେ ଅବତରଣ କରିବାକୁ ଅନୁମତି ମିଳିଥିଲା। ପ୍ରାୟ ଚାରିରୁ ପାଞ୍ଚ ଘଣ୍ଟାର ବିଭ୍ରାଟ ପରେ ଶୁକ୍ରବାର ସନ୍ଧ୍ୟାରେ ଗ୍ରାଉଣ୍ଡ ଷ୍ଟପ୍ ହଟାଇ ଦିଆଯାଇଥିଲା।

ପ୍ରାଥମିକ ତଦନ୍ତରୁ ବିମାନ ନିୟନ୍ତ୍ରଣ କେନ୍ଦ୍ରଗୁଡ଼ିକର ଯୋଗାଯୋଗ ବ୍ୟବସ୍ଥାରେ ସମସ୍ୟା ଥିବା ଜଣାପଡ଼ିଛି। ବିମାନ ଚଳାଚଳ ନିୟନ୍ତ୍ରଣ ପାଇଁ ବ୍ୟବହୃତ ପୁରୁଣା ଟେକ୍ନୋଲୋଜି, ସ୍ୱିଚ୍ ଓ ରାଉଟର୍‌ଗୁଡ଼ିକ ଉପରେ ଅତ୍ୟଧିକ ଡାଟା ଚାପ ପଡ଼ିବାରୁ ସେଗୁଡ଼ିକ ଠିକ୍ ଭାବେ କାମ କରିନଥିଲା। ଫଳରେ ବିମାନ ନିୟନ୍ତ୍ରକ ଓ ପାଇଲଟ୍‌ଙ୍କ ମଧ୍ୟରେ ଯୋଗାଯୋଗରେ ବାଧା ସୃଷ୍ଟି ହୋଇଥିଲା।

ଆମେରିକାର ପରିବହନ ସଚିବ ସିନ୍ ଡଫି କହିଛନ୍ତି ଯେ ପୁରୁଣା ହାର୍ଡୱେର୍ ଓ ନେଟୱର୍କ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଏଭଳି ସ୍ଥିତି ଉପୁଜିଛି। ଯୋଗାଯୋଗ ଓ ରାଡାର୍ ତଥ୍ୟରେ ଅସଙ୍ଗତି ଦେଖାଦେବା ପରେ ବିମାନ ଚଳାଚଳକୁ ସୁରକ୍ଷିତ ରଖିବା ପାଇଁ ଏହି କଠୋର ପଦକ୍ଷେପ ନିଆଯାଇଥିଲା।

ଏହି ବିଭ୍ରାଟ ପଛରେ କୌଣସି ସାଇବର ଆକ୍ରମଣ କିମ୍ବା ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା ଆଶଙ୍କାକୁ ଆମେରିକାର ଗୃହ ସୁରକ୍ଷା ସଚିବ ମାର୍କୱେନ୍ ମୁଲିନ୍ ଖଣ୍ଡନ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଏଯାଏଁ କୌଣସି ଷଡ଼ଯନ୍ତ୍ରମୂଳକ ଆକ୍ରମଣ କିମ୍ବା ସାଇବର ଆକ୍ରମଣର ପ୍ରମାଣ ମିଳିନାହିଁ। ଏହା ଏକ ଟେଲିକମ୍ୟୁନିକେସନ୍ ବା ଦୂରସଂଚାର ବ୍ୟବସ୍ଥାରେ ଦେଖାଦେଇଥିବା ସମସ୍ୟା ବୋଲି ସେ କହିଛନ୍ତି।

ଏଥିସହ ମାଇକ୍ରୋସଫ୍ଟର ସମ୍ପ୍ରତି ସେବା ବିଭ୍ରାଟ ସହ ଏହି ଘଟଣାର କୌଣସି ସମ୍ପର୍କ ନଥିବା ମଧ୍ୟ ସ୍ପଷ୍ଟ କରାଯାଇଛି। ତେବେ ତ୍ରୁଟିର ପ୍ରକୃତ କାରଣ ଓ ଏହା କିପରି ଘଟିଲା, ସେନେଇ ତଦନ୍ତ ଜାରି ରହିଛି।

ତେବେ ଗ୍ରାଉଣ୍ଡ ଷ୍ଟପ୍ ହଟାଯାଇଥିଲେ ମଧ୍ୟ ବିମାନ ଚଳାଚଳ ତୁରନ୍ତ ସ୍ୱାଭାବିକ ହେବା ସମ୍ଭବ ନୁହେଁ। ଅନେକ ବିମାନ ନିଜର ନିର୍ଦ୍ଧାରିତ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିନଥିବା ବେଳେ କିଛି ବିମାନକୁ ଅନ୍ୟ ବିମାନବନ୍ଦରକୁ ପଠାଇ ଦିଆଯାଇଥିଲା। ଏହାଦ୍ୱାରା ବିମାନ, ପାଇଲଟ୍ ଓ କ୍ରୁ ସଦସ୍ୟଙ୍କ ନିର୍ଦ୍ଧାରିତ ସମୟସୂଚୀ ମଧ୍ୟ ବିଗିଡ଼ି ଯାଇଛି। ବିମାନ ଚଳାଚଳ ବିଶେଷଜ୍ଞଙ୍କ ମତରେ, ଏହି ବିଭ୍ରାଟର ପ୍ରଭାବ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରହିପାରେ।