ଅହମ୍ମଦାବାଦ, ୧୪/୧୧: ବିଜେପି ବିଧାୟକଙ୍କ ପୁତୁରାଙ୍କ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ। ଗୁଜରାଟର ଅହମ୍ମଦାବାଦରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ରାପିଡୋ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଦ୍ରୁତଗତିରେ ଆସୁଥିବା ଏକ ରେଞ୍ଜ ରୋଭର ରାପିଡୋ ବାଇକ୍କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ତେବେ ଏହି ରେଞ୍ଜ ରୋଭରକୁ ବିଜେପି ବିଧାୟକ ଦିନେଶସିଂହ କୁଶୱାହାଙ୍କ ପୁତୁରା ରାଘବେନ୍ଦ୍ର କୁଶୱାହା ଚଳାଉଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ପୋଲିସ ତାଙ୍କୁ ହେପାଜତକୁ ନେଇଥିଲା। କିନ୍ତୁ ପରେ ତାଙ୍କୁ ଛାଡ଼ି ଦିଆଯାଇଥିବାରୁ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ପ୍ରଶ୍ନ ଉଠିଛି। ବିଶେଷକରି ଅଭିଯୁକ୍ତଙ୍କ ରକ୍ତ ନମୁନା ସଂଗ୍ରହ ହୋଇଛି କି ନାହିଁ, ସେନେଇ ପୋଲିସ ଅଧିକାରୀଙ୍କ ଭିନ୍ନ ଭିନ୍ନ ବୟାନ ଘଟଣାକୁ ଅଧିକ ବିବାଦୀୟ କରିଛି।
ସୂଚନା ଅନୁଯାୟୀ, ନଭେମ୍ବର ୧୧ ତାରିଖ ବୁଧବାର ସକାଳ ପ୍ରାୟ ୬ଟା ୪୫ ମିନିଟ୍ରେ ଅହମ୍ମଦାବାଦର ଶିଲାଜ୍ ଅଞ୍ଚଳର ଗୁରୁକୃପା କ୍ରସରୋଡ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ମୃତକଙ୍କ ନାଁ ହର୍ଷଦ କୁମାର ନରସିଂହଭାଇ ପୁରାବିଆ (୩୫ ବର୍ଷ)। ସେ ଜଣେ ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ।
ସେଦିନ ସକାଳ ପ୍ରାୟ ୬ଟା ୨୫ ମିନିଟ୍ରେ ୫୦ ବର୍ଷୀୟ ରାପିଡୋ ଚାଳକ ପ୍ରଦୀପ କୁମାର ଦାଦୱାଲ ଶାସ୍ତ୍ରୀନଗରରୁ ହର୍ଷଦଙ୍କୁ ବାଇକ୍ରେ ବସାଇ ଶିଲାଜ୍ ଅଭିମୁଖେ ଯାଉଥିଲେ।
ଗୁରୁକୃପା କ୍ରସରୋଡ୍ ନିକଟରେ ପହଞ୍ଚିବା ପରେ ହର୍ଷଦ ଡାହାଣ ପଟକୁ ମୋଡ଼ ନେବାକୁ ଚାଳକଙ୍କୁ କହିଥିଲେ। ଏହାପରେ ପ୍ରଦୀପ ବାଇକ୍ର ଗତି କମାଇ ଡାହାଣକୁ ମୋଡ଼ୁଥିଲେ। ବାଇକ୍ଟି ରାସ୍ତାର ପ୍ରାୟ ତିନି-ଚତୁର୍ଥାଂଶ ଅତିକ୍ରମ କରିଥିବା ସମୟରେ ଶିଲାଜ୍ ପଟୁ ଦ୍ରୁତଗତିରେ ଆସୁଥିବା ଏକ ରେଞ୍ଜ ରୋଭର ତାଙ୍କ ବାଇକ୍କୁ ଜୋରଦାର ଧକ୍କା ଦେଇଥିଲା।
ଧକ୍କା ଯୋଗୁଁ ବାଇକ୍ରେ ଥିବା ଉଭୟ ରାସ୍ତାକୁ ଛିଟିକି ପଡ଼ିଥିଲେ। ହର୍ଷଦଙ୍କ ମୁଣ୍ଡ, ବାମ ଗୋଡ଼ ସମେତ ଶରୀରର ଅନ୍ୟାନ୍ୟ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା। ଅନ୍ୟପଟେ ବାଇକ୍ ଚାଳକ ପ୍ରଦୀପ ସାମାନ୍ୟ ଆହତ ହୋଇଥିଲେ।
ଦୁର୍ଘଟଣା ପରେ ଉଭୟଙ୍କୁ ତୁରନ୍ତ ସୋଲା ସିଭିଲ୍ ହସ୍ପିଟାଲକୁ ନିଆଯାଇଥିଲା। ହର୍ଷଦଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପରବର୍ତ୍ତୀ ସମୟରେ ଥାଲତେଜ୍ସ୍ଥିତ ସିଆଇଏମଏସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସା ଚାଲିଥିବା ସମୟରେ ହର୍ଷଦଙ୍କ ମୃତ୍ୟୁ ହୋଇଥିଲା।
ଏହି ଘଟଣା ପରେ ରେଞ୍ଜ ରୋଭର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ନେଇ ବୋପାଲ ପୋଲିସ ଥାନାରେ ରୁଜୁ ଏତଲାରେ ଉଲ୍ଲେଖ ରହିଛି। ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଜଣେ ବ୍ୟକ୍ତି ଗାଡ଼ିର ନମ୍ବର ଲେଖି ପ୍ରଦୀପଙ୍କୁ ଦେଇଥିଲେ। ସେହି ନମ୍ବର ଆଧାରରେ ପୋଲିସ ଗାଡ଼ିର ମାଲିକ ଓ ଚାଳକଙ୍କ ପରିଚୟ ଖୋଜି ପାଇଥିଲା।
ପୋଲିସ ତଦନ୍ତରୁ ରେଞ୍ଜ ରୋଭର ଚଳାଉଥିବା ବ୍ୟକ୍ତି ରାଘବେନ୍ଦ୍ର କୁଶୱାହା ବୋଲି ଜଣାପଡ଼ିଥିଲା। ସେ ବିଜେପି ବିଧାୟକ ଦିନେଶସିଂହ କୁଶୱାହାଙ୍କ ପୁତୁରା। ୩୫ ବର୍ଷୀୟ ରାଘବେନ୍ଦ୍ର ନିର୍ମାଣ ଓ ରିଅଲ୍ ଇଷ୍ଟେଟ୍ ବ୍ୟବସାୟ ସହ ଜଡ଼ିତ।
ପୋଲିସର ତଦନ୍ତ ଅନୁଯାୟୀ, ଦୁର୍ଘଟଣା ସମୟରେ ରାଘବେନ୍ଦ୍ର ଗାନ୍ଧୀନଗର ଜିଲ୍ଲାର କଲୋଲ୍ରେ ରାତିସାରା ଚାଲିଥିବା ଏକ ପାର୍ଟିରୁ ଫେରୁଥିଲେ। ତାଙ୍କ ସାଙ୍ଗମାନଙ୍କୁ ଛାଡ଼ିବା ପାଇଁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ନଭେମ୍ବର ୧୨ ତାରିଖରେ ପୋଲିସ ତାଙ୍କୁ ହେପାଜତକୁ ନେଇଥିଲା। ରେଞ୍ଜ ରୋଭରକୁ ଜବତ କରାଯାଇ ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଥିଲା। ଏଥିସହ ଗାଡ଼ିର ଯାନ୍ତ୍ରିକ ସ୍ଥିତି ଯାଞ୍ଚ କରିବା ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)କୁ ମଧ୍ୟ କୁହାଯାଇଥିଲା।
ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସତ୍ତ୍ୱେ ଅଭିଯୁକ୍ତଙ୍କୁ ହେପାଜତରୁ ଛାଡ଼ି ଦିଆଯିବାକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠିଛି। ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାହିଁକି କଠୋର ପଦକ୍ଷେପ ନିଆଗଲା ନାହିଁ ଏବଂ ତାଙ୍କୁ ଥାନାରୁ କାହିଁକି ଛାଡ଼ି ଦିଆଗଲା, ସେନେଇ ବିବାଦ ଆରମ୍ଭ ଆରମ୍ଭ ହୋଇଛି।
ଏହି ମାମଲାରେ ସବୁଠାରୁ ଅଧିକ ବିବାଦ ସୃଷ୍ଟି କରିଛି ଅଭିଯୁକ୍ତଙ୍କ ରକ୍ତ ନମୁନା ସଂଗ୍ରହ ପ୍ରସଙ୍ଗ। ଡିଏସ୍ପି ନୀଲମ ଗୋସ୍ୱାମୀଙ୍କ କହିବା ଅନୁଯାୟୀ, ରାଘବେନ୍ଦ୍ରଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇନାହିଁ। କିନ୍ତୁ ସ୍ଥାନୀୟ ଥାନାର ଇନ୍ସପେକ୍ଟର ଏହାର ବିପରୀତ ବୟାନ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଅଭିଯୁକ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି।
ପୋଲିସର ଦୁଇ ଅଧିକାରୀଙ୍କ ଏଭଳି ପରସ୍ପର ବିରୋଧୀ ବୟାନ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଦୁର୍ଘଟଣା ସମୟରେ ଅଭିଯୁକ୍ତ ମଦ କିମ୍ବା ଅନ୍ୟ କୌଣସି ନିଶାଦ୍ରବ୍ୟ ସେବନ କରିଥିଲେ କି ନାହିଁ, ତାହା କିପରି ଯାଞ୍ଚ କରାଗଲା? ରକ୍ତ ନମୁନା ସଂଗ୍ରହ ହୋଇଥିଲେ ତାହାର ରିପୋର୍ଟ କେଉଁଠି? ଯଦି ସଂଗ୍ରହ ହୋଇନାହିଁ, ତେବେ ମଦ୍ୟପାନ କରିନଥିବା କଥା କେଉଁ ଆଧାରରେ କୁହାଯାଉଛି? ଏଭଳି ପ୍ରଶ୍ନ ଏବେ ଉଠିଛି। ଏହି ଘଟଣାରେ ବୋପାଲ ପୋଲିସ ଥାନାରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୬(୧), ୨୮୧, ୧୨୫(କ) ଓ ୧୨୫(ଖ) ଅନୁଯାୟୀ ମାମଲା ରୁଜୁ ହୋଇଛି।