ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ବିଜେଡି ଜନସମ୍ପର୍କ ପଦଯାତ୍ରା

ବିଜେଡି ସେବା ଓ ବିକାଶରେ ବିଶ୍ୱାସ କରେ: ନବୀନ

ସରକାରର ବିଫଳତା ବିଷୟରେ ଲୋକଙ୍କୁ ସଚେତନ କରନ୍ତୁ: ନବୀନ ପଟ୍ଟନାୟକ

ଭୁବନେଶ୍ୱର, ୦୯/୧୦: ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସେବା ରେ ବିଶ୍ୱାସ କରେ। ବିକାଶ ରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡିଶା ସାରା ଦେଶରେ ଏକ ମଡେଲ ରାଜ୍ୟ ହୋଇ ପାରିଥିଲା ବୋଲି ପ୍ରକାଶ କରିବା ସହ ଏ ଅପାରଗ ସରକାର, ଡବଲ ଇଞ୍ଜିନ ସରକାର, ଅଢେଇ ବର୍ଷରେ ଓଡିଶାର ଛବିକୁ ପୁରା ମଳିନ କରି ସାରିଲେଣି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ।

ପଦଯାତ୍ରା ସମୟରେ ଡବଲ ଇଞ୍ଜିନ ସରକାରର ବିଫଳତାକୁ ପ୍ରତି ଘରେ ଘରେ ପହଞ୍ଚାଇ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ ।

ପ୍ରାରମ୍ଭ ରେ ଶ୍ରୀ ପଟ୍ଟନାୟକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ବିଜୁ ବାବୁଙ୍କ ଫୋଟୋ ଚିତ୍ର ରେ ପୁଷ୍ପାଞ୍ଜଳି ଅର୍ପଣ କରି ଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଓ ଶ୍ରୀ ମନ୍ମଥ ରାଉତରାୟ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ଲୋକ ବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ। ଏହି ସମାବେଶରେ ସ୍ଥାନୀୟ କର୍ପୋରେଟରମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏ ପଦଯାତ୍ରା ନଭେମ୍ବର ଦୁଇ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମରେ ପ୍ରାୟ ଦଶ ହଜାରରୁ ଅଧିକ ଜନ ସମାବେଶ ହୋଇଥିଲା।