ସୁକମା, ୦୯/୧୦: ଛତିଶଗଡ଼ର ସୁକମା ଜିଲ୍ଲାରେ ଉଦ୍ଧାର କରାଯାଇଥିବା ବିସ୍ଫୋରକକୁ ନିଷ୍କ୍ରିୟ କରିବା ସମୟରେ ଭୟଙ୍କର ବିସ୍ଫୋରଣ ଘଟି କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ)ର ୪ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।
ସୁକମା ଜିଲ୍ଲାର ଭେଜ୍ଜି ଥାନା ଅନ୍ତର୍ଗତ ଏଲାରମାଡଗୁ ସୁରକ୍ଷା କ୍ୟାମ୍ପ ନିକଟସ୍ଥ ବୋଡ଼ରାଜପଦର ନାଳ ପାଖରେ ଏହି ଅଘଟଣ ଘଟିଛି। ସିଆରପିଏଫ୍ ର ୫୦ତମ ବାଟାଲିୟନର ଏକ ‘ଆମ୍ୟୁନିସନ ଟେକ୍ନିକାଲ ଟିମ୍’ (ଏଟିଟି) ପୂର୍ବରୁ ଜବତ କରାଯାଇଥିବା ଏବଂ ପୁରୁଣା ଅବଶିଷ୍ଟ ବିସ୍ଫୋରକଗୁଡ଼ିକୁ ସୁରକ୍ଷିତ ଭାବେ ନିଷ୍କ୍ରିୟ କରୁଥିଲେ।
ସୁରକ୍ଷା ନିୟମାବଳୀ ଅନୁସାରେ ନିଷ୍କ୍ରିୟ ପ୍ରକ୍ରିୟା ଚାଲିଥିବା ବେଳେ ବିସ୍ଫୋରକ ଆକସ୍ମିକ ଭାବେ ଫୁଟିଯାଇଥିଲା, ଯାହାଫଳରେ ଏହି ଦୁର୍ଘଟଣା ଘଟିଥିଲା।
ଏହି ବିସ୍ଫୋରଣରେ ସିଆରପିଏଫର ୪ ଜଣ କର୍ମଚାରୀ ଆହାତ ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ସୁରକ୍ଷା କର୍ମୀ ହେଲେ ଏଏସଆଇ ଏମ୍.କେ. ତିୱାରୀ, ଏଏସଆଇ ଅନୀଶ ଖାନ୍।ସାମାନ୍ୟ ଆହତ ହୋଇଥିବା ସୁରକ୍ଷା କର୍ମୀ ହେଲେ ଇନ୍ସପେକ୍ଟର ଅମରନାଥ ମିଶ୍ର ଓ ହେଡ୍ କନଷ୍ଟେବଳ କୁଲଦୀପ ରାଜ।
ବିସ୍ଫୋରଣ ପରେ ତୁରନ୍ତ ଆହତ ସୁରକ୍ଷାକର୍ମୀମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇ କୋଣ୍ଟା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ ହୋଇଥିବା ଦୁଇ ଏଏସଆଇଙ୍କୁ ଉନ୍ନତ ଚିକିତ୍ସା ପାଇଁ ହାଇଦ୍ରାବାଦ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି।