ଭାରତୀୟ ଆଇଟି କମ୍ପାନୀ ଉପରେ କଟକଣା, ‘ପର୍ମ’ ଗ୍ରୀନ୍ କାର୍ଡ ପ୍ରକ୍ରିୟାକୁ ନେଇ ଅନିଶ୍ଚିତତା
ଭାରତୀୟ ଆଇଟି ପ୍ରଫେସନାଲଙ୍କ ବଢ଼ିଲା ଚିନ୍ତା
ନୂଆଦିଲ୍ଲୀ, ୦୯/୧୦: ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଭାରତୀୟ ଆଇଟି କମ୍ପାନୀଗୁଡ଼ିକ ଉପରେ ଏକ ବଡ଼ କଟକଣା ଲଗାଯାଇଛି। ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ), ଇନଫୋସିସ୍, ୱିପ୍ରୋ, ଏଚସିଏଲ୍ ଏବଂ କୋଗନିଜାଣ୍ଟ ଭଳି ପ୍ରମୁଖ ଆଇଟି ସଂସ୍ଥାଗୁଡ଼ିକୁ ଆମେରିକାର ‘ପର୍ମ’ (ପର୍ମାନେଣ୍ଟ ଲେବର ସାର୍ଟିଫିକେସନ) ଗ୍ରୀନ୍ କାର୍ଡ ପ୍ରକ୍ରିୟାରୁ ନିଲମ୍ବିତ କରାଯାଇଛି।
ପର୍ମ ହେଉଛି ଆମେରିକା ଶ୍ରମ ବିଭାଗର ଏକ ପ୍ରମାଣପତ୍ର ପ୍ରକ୍ରିୟା। ଜଣେ ବିଦେଶୀ ନାଗରିକଙ୍କୁ ଗ୍ରୀନ୍ କାର୍ଡ (ସ୍ଥାୟୀ ନାଗରିକତା) ଦେବା ପୂର୍ବରୁ ଆମେରିକୀୟ କମ୍ପାନୀଗୁଡ଼ିକୁ ପ୍ରମାଣ କରିବାକୁ ପଡ଼େ ଯେ ସେହି ପଦବୀ ପାଇଁ କୌଣସି ଯୋଗ୍ୟ ଆମେରିକୀୟ ନାଗରିକ ମିଳୁନାହାନ୍ତି।
ଆମେରିକା ଶ୍ରମ ବିଭାଗ କହିଛି ଯେ ଏହି କମ୍ପାନୀଗୁଡ଼ିକ ନୂଆ ପର୍ମ ଆବେଦନ କରିପାରିବେ ନାହିଁ ଏବଂ ପୂର୍ବରୁ ପେଣ୍ଡିଂ ଥିବା ଆବେଦନଗୁଡ଼ିକର ମଧ୍ୟ ପ୍ରୋସେସିଂ ବନ୍ଦ ରହିବ।
ଆମେରିକାରେ ଆମେରିକୀୟ ନାଗରିକଙ୍କ ଚାକିରି ସୁରକ୍ଷିତ ରଖିବା ଏବଂ ବିଦେଶୀ କର୍ମଚାରୀଙ୍କ ଉପରେ ନିର୍ଭରଶୀଳତା କମାଇବା ପାଇଁ ଏହି କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି।
ଆମେରିକା ପ୍ରଶାସନର ଅଭିଯୋଗ ଅନୁସାରେ, ଆଇଟି କମ୍ପାନୀଗୁଡ଼ିକ ସ୍ଥାନୀୟ ଆମେରିକୀୟଙ୍କୁ ନିଯୁକ୍ତି ନଦେଇ ଶସ୍ତା ବିଦେଶୀ ଶ୍ରମିକଙ୍କୁ ଗ୍ରୀନ୍ କାର୍ଡ ଦେବା ପାଇଁ ଭିସା ନିୟମର ଅପବ୍ୟବହାର କରୁଛନ୍ତି।
ଭାରତୀୟଙ୍କ ବର୍ତ୍ତମାନର H-1B ଭିସା ରଦ୍ଦ ହୋଇନାହିଁ। ସେମାନେ ଆମେରିକାରେ ପୂର୍ବପରି କାମ କରିପାରିବେ, କିନ୍ତୁ ସେମାନଙ୍କର ଗ୍ରୀନ୍ କାର୍ଡ ଆବେଦନ ପ୍ରକ୍ରିୟା ଅଟକିଯିବ।ଯେଉଁମାନଙ୍କର I-140 ଆପ୍ରୁଭ୍ ହୋଇସାରିଛି, ସେମାନେ ନିଜର H-1B ଭିସା ବୃଦ୍ଧି କରିପାରିବେ, ସେମାନଙ୍କ ଉପରେ ସିଧାସଳଖ ପ୍ରଭାବ ପଡ଼ିବ ନାହିଁ। ଯେଉଁମାନେ ନିକଟରେ ଆମେରିକା ଯାଇଛନ୍ତି ଏବଂ ଗ୍ରୀନ୍ କାର୍ଡ ଆବେଦନ କରିବାକୁ ଯୋଜନା କରୁଥିଲେ, ସେମାନଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ।
କମ୍ପାନୀଗୁଡ଼ିକ L-1A (ଇଣ୍ଟ୍ରାକମ୍ପାନୀ ଟ୍ରାନ୍ସଫର) ଭିସା ମାଧ୍ୟମରେ ମ୍ୟାନେଜର ଓ ଏକ୍ସିକ୍ୟୁଟିଭ୍ମାନଙ୍କୁ ଆମେରିକା ପଠାଇ EB-1C କ୍ୟାଟେଗୋରୀରେ ଗ୍ରୀନ୍ କାର୍ଡ ଆବେଦନ କରିବାକୁ ଚେଷ୍ଟା କରିପାରନ୍ତି, ଯେଉଁଥିରେ ପର୍ମ ପ୍ରମାଣପତ୍ର ଆବଶ୍ୟକ ହୁଏନାହିଁ।
ତେବେ ଆମେରିକାରେ ଗ୍ରୀନ୍ କାର୍ଡ ପାଇବା କଠିନ ହେବା ଯୋଗୁଁ ଅନେକ ଭାରତୀୟ ଆଇଟି ପ୍ରଫେସନାଲ୍ସ ଭାରତ ଫେରିଆସିବାକୁ ଅଗ୍ରାଧିକାର ଦେଇପାରନ୍ତି। ଭାରତରେ ଥିବା ଗ୍ଲୋବାଲ୍ କାପାବିଲିଟି ସେଣ୍ଟର (ଜିସିସି) ଗୁଡ଼ିକରେ ଉଚ୍ଚମାନର ଚାକିରି ସୁଯୋଗ ବୃଦ୍ଧି ପାଇବ। ଟିସିଏସ, ଇନଫୋସିସ୍ ଏବଂ ୱିପ୍ରୋ ଭଳି କମ୍ପାନୀଗୁଡ଼ିକୁ ଆମେରିକା ଭିତରେ କାମ କରିବା ପାଇଁ ସ୍ଥାନୀୟ ଆମେରିକୀୟ ନାଗରିକଙ୍କୁ ଅଧିକ ଦରମାରେ ନିଯୁକ୍ତି ଦେବାକୁ ପଡ଼ିପାରେ।