ଦଶପଲ୍ଲା କଲେଜ ଛାତ୍ର ସଂସଦ ନିର୍ବାଚନ

ଜଣେ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର, ୮ଟି ପଦବୀରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଦଶପଲ୍ଲା, ୧୦/୧୦: ଦଶପଲ୍ଲାସ୍ଥିତ ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଶନିବାର ଦିନ ପ୍ରାର୍ଥିପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ସଭାପତି, ଉପସଭାପତି ଓ ସାଧାରଣ ସମ୍ପାଦକ ପଦ ପାଇଁ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ, ୮ଟି ପଦବୀରେ ଜଣେ ଲେଖାଏଁ ପ୍ରାର୍ଥୀ ରହିଥିବାରୁ ସେମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ପାଇଁ ମୋଟ ୪୪ଟି ନାମାଙ୍କନ ଫର୍ମ ଛାତ୍ରଛାତ୍ରୀ ନେଇଥିବାବେଳେ ସଭାପତି ପଦ ପାଇଁ ବ୍ରଜ କୁମାର ସାହୁ, ସୌଭାଗ୍ୟ ବେହେରା ଓ ଗୌତମ ଦାସ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେବେ ଗୌତମ ଦାସ ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେବା ପରେ ଏହି ପଦ ପାଇଁ ବ୍ରଜ କୁମାର ସାହୁ ଓ ସୌଭାଗ୍ୟ ବେହେରାଙ୍କ ମଧ୍ୟରେ, ଉପସଭାପତି ପଦ ପାଇଁ ଅଂଶୁମାନ ବଢ଼େଇ ଓ ସୌଭାଗ୍ୟ ରଞ୍ଜନ ବେହେରାଙ୍କ ମଧ୍ୟରେ, ସାଧାରଣ ସମ୍ପାଦକ ପଦ ପାଇଁ ରଶ୍ମିତା କୁମାରୀ ସାହୁ ଓ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ହେବ। ଏହି ତିନୋଟି ପ୍ରମୁଖ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ, ଛାତ୍ର ସଂସଦର ସହସମ୍ପାଦକ ପଦରେ ଜ୍ୟୋତି ରଞ୍ଜନ ସାହୁ, କ୍ରୀଡ଼ା ସମ୍ପାଦକ ପଦରେ ସ୍ୱୟଂଜିତ ପାଣି, ସହକ୍ରୀଡ଼ା ସମ୍ପାଦକ ପଦରେ ସୋନାଲି ବେହେରା, ନାଟ୍ୟ ସଂସଦ ସମ୍ପାଦକ ପଦରେ ରୋନାଲିତ ବିଶ୍ୱାଳ, ସହନାଟ୍ୟ ସମ୍ପାଦକ ପଦରେ ମହେଶ ପାତ୍ର, ଡେ-ସ୍କଲାର ଆସୋସିଏସନ୍ ସମ୍ପାଦକ ପଦରେ ସ୍ଥିତି ପ୍ରଜ୍ଞା ପ୍ରଧାନ, ବାଳକ କକ୍ଷ ସମ୍ପାଦକ ପଦରେ ରାକେଶ ବେହେରା ଏବଂ ବାଳିକା କକ୍ଷ ସମ୍ପାଦିକା ପଦରେ ସ୍ମୃତି ପ୍ରଧାନ ଏକମାତ୍ର ପ୍ରାର୍ଥୀ ଭାବେ ରହିଛନ୍ତି। ଏହି ୮ଟି ପଦବୀରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।