ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ

କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ

‘ଡିଜିଟାଲ ଯୁଗରେ ଜନସମ୍ପର୍କ’ ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ

ଭୁବନେଶ୍ୱର, ୧୦/୧୦: ଓଡ଼ିଶା ସୂଚନା ସେବା ସଂଘ ( ଓଆଇଏସଏ) ପକ୍ଷରୁ ଏହାର ବାର୍ଷିକ ଉତ୍ସବ-୨୦୨୬ ଆଜି ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟା ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ଉପଖଣ୍ଡ, ଜିଲ୍ଲା, ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟ ସମେତ ରାଜ୍ୟ ମୁଖ୍ୟାଳୟ, ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ କାର୍ଯ୍ୟରତ ଓଡ଼ିଶା ସୂଚନା ସେବା ବର୍ଗର ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଅବସରରେ “ଡିଜିଟାଲ ଯୁଗରେ ଜନସମ୍ପର୍କ: ଲୋକସମ୍ପର୍କ ଅଧିକାରୀମାନଙ୍କ ପାଇଁ ବଦଳୁଥିବା ଦାୟିତ୍ୱ, ଆହ୍ୱାନ ଓ ସମ୍ଭାବନା” ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ବିଶ୍ୱାଳ ମୁଖ୍ୟ ଅତିଥି, ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ବେଉରିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭାରତୀୟ ଜନସଂଚାର ସଂସ୍ଥାନ , ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଉତ୍ସବ ତଥା ଆଲୋଚନାଚକ୍ରରେ ନିଜ ନିଜର ମତ ରଖିଥିଲେ ।

ନିଜ ଅଭିଭାଷଣରେ ବିଭାଗର ନିର୍ଦ୍ଦେଶକ ଶ୍ରୀ ବିଶ୍ୱାଳ ଓଆଇଏସ୍ ଅଧିକାରୀମାନଙ୍କର ବୃତ୍ତିଗତ ବିକାଶ ଓ ସାମୂହିକ ଉନ୍ନତି କ୍ଷେତ୍ରରେ ଓଡ଼ିଶା ସୂଚନା ସେବା ସଂଘର ଭୂମିକାକୁ ପ୍ରଶଂସା କରିଥିଲେ । ସୂଚନା ସେବା କ୍ଷେତ୍ରରେ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ସେବାର ସଫଳ ପ୍ରଚାର ପ୍ରସାରକୁ ଅଧିକ ପ୍ରଭାବଶାଳୀ କରିବା, ଡିଜିଟାଲ ମିଡିଆର ବହୁଳ ବ୍ୟବହାରକୁ ଦୃଷ୍ଟିରେ ରଖି ସୂଚନା ସେବା କ୍ୟାଡରର ସୁଦୃଢ଼ୀକରଣ ନିମନ୍ତେ ବିଭାଗ ପକ୍ଷରୁ ଆବଶ୍ୟକ ସହଯୋଗ ପରିପ୍ରେକ୍ଷୀରେ ସେ ଆଲୋଚନା କରିଥିଲେ ।

ମୁଖ୍ୟ ବକ୍ତା ପ୍ରଫେସର ଆନନ୍ଦ ପ୍ରଧାନ ଆଲୋଚନାଚକ୍ରର ବିଷୟବସ୍ତୁ ଉପରେ ଆଲୋକପାତ କରି ଡିଜିଟାଲ ଗଣମାଧ୍ୟମର କ୍ରମ ବର୍ଦ୍ଧିଷ୍ଣୁ ଗୁରୁତ୍ୱ, ସମୟୋପଯୋଗୀ ଓ ବିଶ୍ୱସନୀୟ ସୂଚନା ପ୍ରସାର, ଗଣମାଧ୍ୟମ ସହ ପ୍ରଭାବଶାଳୀ ସମନ୍ୱୟ ଏବଂ ଜନକୈନ୍ଦ୍ରିକ ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଥିଲେ । ଡିଜିଟାଲ ଯୁଗରେ ଜନସମ୍ପର୍କ କ୍ଷେତ୍ରରେ ଘଟୁଥିବା ପରିବର୍ତ୍ତନ ଏବଂ ଲୋକସମ୍ପର୍କ ଅଧିକାରୀମାନଙ୍କର ବର୍ଦ୍ଧିତ ଦାୟିତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ନୂତନ ପ୍ରଯୁକ୍ତିବିଦ୍ୟା ସହ ତାଳ ଦେଇ ଚାଲିବା, ଅପପ୍ରଚାର ଓ ଭ୍ରାନ୍ତ ସୂଚନାର ମୁକାବିଲା କରିବା, ବୃତ୍ତିଗତ ଦକ୍ଷତାର ନିରନ୍ତର ବିକାଶ ଏବଂ ନୂତନ ଯୋଗାଯୋଗ କୌଶଳ ଅବଲମ୍ବନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହାଦ୍ୱାରା ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଯୋଗାଯୋଗ ଅଧିକ ସୁଦୃଢ଼ ହେବା ସହ ଜନସାଧାରଣଙ୍କ ବିଶ୍ୱାସ ବୃଦ୍ଧି ପାଇପାରିବ ବୋଲି ସେ ମତ ଦେଇଥିଲେ ।

ପ୍ରଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏଥିରେ ଓଡ଼ିଶା ସୂଚନା ସେବା ସଂଘର ସଭାପତି ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ସାଧାରଣ ସମ୍ପାଦକ ଶ୍ରୀ ପଠାଣି ରାଉତ, ସଂଘର ବରିଷ୍ଠ ଉପଦେଷ୍ଟା ତଥା ବିଭାଗୀୟ ପ୍ରାକ୍ତନ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସଂଘର ଉପ ସଭାପତି ଶ୍ରୀ ବିଭୂତି ଭୂଷଣ ନାୟକ, ଯୁଗ୍ମ ସମ୍ପାଦକ ଶ୍ରୀ ଦୀପକ କୁମାର ସାହୁଙ୍କ ସମେତ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଓ କାର୍ଯ୍ୟକାରୀ କମିଟିର ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ ।

ଉତ୍ସବରେ ବିଭାଗର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିବା ଅବସରପ୍ରାପ୍ତ ଓଡ଼ିଶା ସୂଚନା ସେବା ଅଧିକାରୀମାନଙ୍କୁ ସେମାନଙ୍କର ମୂଲ୍ୟବାନ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସେମାନେ ନିଜ ନିଜର ଦୀର୍ଘ କର୍ମମୟ ଜୀବନର ଅନୁଭୂତି ଓ ଅଭିଜ୍ଞତା ପ୍ରକାଶ କରିବା ସହ କାର୍ଯ୍ୟରତ ଅଧିକାରୀମାନଙ୍କୁ ପ୍ରେରଣା ଓ ପରାମର୍ଶ ଦେଇଥିଲେ । ଏଥିସହ ଜନସେବା ପ୍ରତି ବୃତ୍ତିଗତ ନିଷ୍ଠା, ଦାୟିତ୍ୱବୋଧ ଓ ସମର୍ପଣର ଗୁରୁତ୍ୱ ଉପରେ ସେମାନେ ଆଲୋକପାତ କରିଥିଲେ ।

ଉତ୍ସବ ପରେ ଅନୁଷ୍ଠିତ ସଂଘର ସାଧାରଣ ପରିଷଦ ବୈଠକରେ କ୍ୟାଡର ସୁଦୃଢ଼ୀକରଣ, ଅଧିକାରୀମାନଙ୍କର ବୃତ୍ତିଗତ ବିକାଶ, ପଦୋନ୍ନତି, ଦକ୍ଷତା ବିକାଶ ଏବଂ ଅଧିକାରୀମାନଙ୍କ ପାଇଁ ନିୟମିତ ପ୍ରଶିକ୍ଷଣ ଆଦି ପ୍ରସଙ୍ଗରେ ବିଭାଗ ସହ ନିରନ୍ତର ଆଲୋଚନା ଓ ଅନୁସରଣ କରିବାକୁ ଆଲୋଚନା କରାଯାଇଥିଲା । ଏହାଦ୍ୱାରା ଅଧିକାରୀମାନଙ୍କର ବୃତ୍ତିଗତ ଉତ୍କର୍ଷତା, କ୍ୟାରିୟରରେ ଅଗ୍ରଗତି ଏବଂ ଜନସେବା ପ୍ରଦାନର ଗୁଣାତ୍ମକ ଉନ୍ନତି ସୁନିଶ୍ଚିତ କରାଯାଇପାରିବ ବୋଲି ସଂଘର ସଦସ୍ୟ ସଦସ୍ୟା ତଥା କର୍ମକର୍ତ୍ତାମାନେ ଆଲୋକପାତ କରିଥିଲେ ।

ଏହା ପୂର୍ବରୁ, ଗତକାଲି ଅକ୍ଟୋବର ୯ ତାରିଖରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଓଡ଼ିଶା ସୂଚନା ଅଧିକାରୀମାନଙ୍କ ନିମନ୍ତେ ଆୟୋଜିତ “ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା” ଶୀର୍ଷକ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଓଆଇଏସଏର ସ୍ମରଣିକା “ଲୋକ ସମ୍ପର୍କ” ଉନ୍ମୋଚନ କରିଥିବାରୁ ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ମଧ୍ୟରେ ହାସ୍ୟ ରସାତ୍ମକ ଓ ବ୍ୟଙ୍ଗାତ୍ମକ କବିତା ଆବୃତ୍ତି ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହା ଅଧିକାରୀମାନଙ୍କୁ ନିଜର ସାହିତ୍ୟିକ ଓ ସୃଜନଶୀଳ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେଇଥିଲା । ଏହି ପରିବେଷଣଗୁଡ଼ିକ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବା ସହ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଓଆଇଏସ୍ ଅଧିକାରୀମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ, ସହଯୋଗ ଓ ଭାଇଚାରାର ଭାବନାକୁ ଅଧିକ ମଜବୁତ କରିଛି ।

କାର୍ଯ୍ୟକ୍ରମରେ ଓଡ଼ିଶା ସୂଚନା ସେବା ବର୍ଗରେ ରାଜ୍ୟ ସରକାରଙ୍କ ସୂଚନା ଲୋକ ସଂପର୍କ ବିଭାଗରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରୁଥିବା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକ, ଲୋକ ସଂପର୍କ ଅଧିକାରୀ ତଥା ସୂଚନା ଅଧିକାରୀ ଭାବେ କାର୍ଯ୍ୟକରୁଥିବା ଓଆଇଏସ୍ ଅଧିକାରୀମାନେ ଉପସ୍ଥିତ ଥିଲେ ।