ମାଡ଼ି ଆସୁଛି ଶକ୍ତିଶାଳୀ ସୌର ଝଡ଼, ଆଜି ପ୍ରଥମାର୍ଦ୍ଧରେ ପୃଥିବୀକୁ ଛୁଇଁବ
ସାଟେଲାଇଟ୍ ଓ ଯୋଗାଯୋଗ ବ୍ୟବସ୍ଥା ଉପରେ ପଡ଼ିପାରେ ପ୍ରଭାବ
ନୂଆଦିଲ୍ଲୀ, ୧୧/୧୦: ପୃଥିବୀ ଆଡ଼କୁ ମାଡ଼ି ଆସୁଛି ସୌର ଝଡ଼। ଏ ନେଇ ଆଜି ପ୍ରଥମାର୍ଦ୍ଧରେ ଏହା ପୃଥିବୀକୁ ଛୁଇଁପାରେ। ସୂର୍ଯ୍ୟରେ ହୋଇଥିବା ଦୁଇଟି ବିସ୍ଫୋରଣ ଯୋଗୁଁ ବିଦ୍ୟୁତ୍ ଚାର୍ଜଯୁକ୍ତ କଣିକା ଓ ଚୁମ୍ବକୀୟ ପଦାର୍ଥର ବିଶାଳ ମେଘ ପୃଥିବୀ ଆଡ଼କୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଆମେରିକାର ଜାତୀୟ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପ୍ରଶାସନ (NOAA) ମଧ୍ୟମ ଧରଣର ଜି-୨ (G2) ଭୂଚୁମ୍ବକୀୟ ଝଡ଼ ନେଇ ସତର୍କତା ଜାରି କରିଛି।
ଏହି ସୌର ଝଡ଼ ଯୋଗୁଁ କେତେକ ଉପଗ୍ରହ, ରେଡିଓ ଯୋଗାଯୋଗ ଏବଂ ନାଭିଗେସନ୍ ବ୍ୟବସ୍ଥା ପ୍ରଭାବିତ ହୋଇପାରେ। ତେବେ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହ ସୂର୍ଯ୍ୟରୁ ଆସୁଥିବା ପଦାର୍ଥର କିପରି ପାରସ୍ପରିକ କ୍ରିୟା ହେଉଛି, ତାହା ଉପରେ ଏହାର ପ୍ରକୃତ ପ୍ରଭାବ ନିର୍ଭର କରିବ।
କ’ଣ ଏହି ସୌର ଝଡ଼?
ସୂର୍ଯ୍ୟରେ ହେଉଥିବା ତୀବ୍ର କାର୍ଯ୍ୟକଳାପ ଯୋଗୁଁ ଯେତେବେଳେ ଶକ୍ତି ଓ ପଦାର୍ଥ ମହାକାଶକୁ ନିର୍ଗତ ହୁଏ, ସେତେବେଳେ ସୌର ଝଡ଼ ସୃଷ୍ଟି ହୋଇଥାଏ। ଏହାର ଏକ ପ୍ରମୁଖ କାରଣ ହେଉଛି କୋରୋନାଲ୍ ମାସ୍ ଇଜେକ୍ସନ୍ (CME)। ଏହା ସୂର୍ଯ୍ୟରୁ ନିର୍ଗତ ହେଉଥିବା ବିଦ୍ୟୁତ୍ ଚାର୍ଜଯୁକ୍ତ କଣିକା ଓ ଚୁମ୍ବକୀୟ ପଦାର୍ଥର ଏକ ବିଶାଳ ମେଘ।
ଏହି ମେଘ ପୃଥିବୀରେ ପହଞ୍ଚିଲେ ଗ୍ରହର ଚୁମ୍ବକୀୟ କ୍ଷେତ୍ରରେ ବିଭ୍ରାଟ ସୃଷ୍ଟି ହୋଇଥାଏ। ଫଳରେ ଭୂଚୁମ୍ବକୀୟ ଝଡ଼ ଦେଖାଦିଏ। NOAA ଏହି ଝଡ଼ର ତୀବ୍ରତାକୁ ପାଞ୍ଚଟି ସ୍ତରରେ ବିଭକ୍ତ କରିଛି। ଜି-୧ (G1) ସବୁଠାରୁ କମ୍ ତୀବ୍ରତାର ହୋଇଥିବା ବେଳେ ଜି-୫ (G5) ସବୁଠାରୁ ଅଧିକ ତୀବ୍ରତାର ଝଡ଼। ସ୍ତର ଯେତେ ଅଧିକ ହେବ, ବିଭିନ୍ନ ବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ସେତେ ବଢ଼ିବ।
ଆଜି କ’ଣ ଘଟିପାରେ?
NOAAର ସ୍ପେସ୍ ୱେଦର୍ ପ୍ରେଡିକ୍ସନ୍ ସେଣ୍ଟର ଅନୁସାରେ, ଅକ୍ଟୋବର ୭ ଓ ୮ ତାରିଖରେ ସୂର୍ଯ୍ୟରୁ ନିର୍ଗତ ହୋଇଥିବା ଦୁଇଟି ସୌର ପଦାର୍ଥର ମେଘ ପୃଥିବୀରେ ପହଞ୍ଚିବା ଆଶା କରାଯାଉଛି। ଦ୍ୱିତୀୟ ମେଘଟି ପ୍ରଥମ ମେଘ ତୁଳନାରେ ଅଧିକ ବେଗରେ ଗତି କରୁଛି। ପୃଥିବୀରେ ପହଞ୍ଚିବା ପୂର୍ବରୁ ଏହି ଦୁଇଟି ମେଘ ମିଶିଯାଇପାରନ୍ତି।
ଏହା ଫଳରେ ମଧ୍ୟମ ଧରଣର ଭୂଚୁମ୍ବକୀୟ ବିଭ୍ରାଟ ସୃଷ୍ଟି ହେବାର ଆଶଙ୍କା ରହିଛି। ତେବେ ସୌର ପଦାର୍ଥ ପୃଥିବୀର ନିକଟତର ହେବା ପରେ ଏହାର ଗତି ମାପିବା ପରେ ଝଡ଼ର ପ୍ରକୃତ ତୀବ୍ରତା ସ୍ପଷ୍ଟ ହେବ।
ଜି-୨ ସ୍ତରର ସୌର ଝଡ଼ର ପ୍ରଭାବ ମୁଖ୍ୟତଃ ପୃଥିବୀର ଉଚ୍ଚ ଅକ୍ଷାଂଶ ଅଞ୍ଚଳରେ ଅଧିକ ଅନୁଭୂତ ହୋଇପାରେ। ଏହି ଅଞ୍ଚଳରେ ବିଦ୍ୟୁତ୍ ବ୍ୟବସ୍ଥାର ଭୋଲ୍ଟେଜ୍ରେ ଉତ୍ଥାନ-ପତନ ଦେଖାଦେଇପାରେ। ବୈଜ୍ଞାନିକମାନେ ଏହା ଉପରେ ନିରନ୍ତର ନଜର ରଖିଛନ୍ତି। ତେଣୁ କେତେକ ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ ପଡ଼ିପାରେ। ଏହାସହ କେତେକ ଅଞ୍ଚଳରେ ରେଡିଓ ସିଗ୍ନାଲ୍ ଦୁର୍ବଳ ହେବା ଏବଂ ସାଟେଲାଇଟ୍ ନାଭିଗେସନ୍ର ସଠିକତା ପ୍ରଭାବିତ ହେବାର ସମ୍ଭାବନା ରହିଛି।
ଏହି ସୌର ଝଡ଼ ଯୋଗୁଁ ଆକାଶରେ ରଙ୍ଗବେରଙ୍ଗର ଆଲୋକ ଦୃଶ୍ୟ ବା ‘ଅରୋରା’ ମଧ୍ୟ ଦେଖାଯାଇପାରେ। ସାଧାରଣତଃ ମେରୁ ଅଞ୍ଚଳ ନିକଟରେ ଦେଖାଯାଉଥିବା ଏହି ଆଲୋକ ଏଥର ସେହି ଅଞ୍ଚଳଠାରୁ ଦୂରରେ ମଧ୍ୟ ଦୃଶ୍ୟମାନ ହୋଇପାରେ।
ଭାରତ ଉପରେ କେତେ ପ୍ରଭାବ ପଡ଼ିବ?
ଭାରତ ପାଇଁ ଏହି ପୂର୍ବାନୁମାନରେ ଦୈନନ୍ଦିନ ଜୀବନ ଉପରେ ବଡ଼ ଧରଣର ସିଧାସଳଖ ବିପଦର ସଙ୍କେତ ନାହିଁ। ଜି-୨ ସ୍ତରର ସୌର ଝଡ଼ ଯୋଗୁଁ ଦେଶବ୍ୟାପୀ ବିଦ୍ୟୁତ୍ ବିଭ୍ରାଟ କିମ୍ବା ଯୋଗାଯୋଗ ବ୍ୟବସ୍ଥା ଠପ୍ ହୋଇଯିବା ଆଶଙ୍କା କରାଯାଉନାହିଁ। ସେହିପରି ଭାରତର ବିଭିନ୍ନ ସ୍ଥାନରେ ଅରୋରା ଦେଖିବାକୁ ମିଳିବ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇନାହିଁ।
ତେବେ ଏହା ଏକ ପୂର୍ବାନୁମାନ ଭିତ୍ତିକ ସତର୍କତା। ସୂର୍ଯ୍ୟରୁ ଆସୁଥିବା ପଦାର୍ଥ ପୃଥିବୀରେ ପହଞ୍ଚିବା ସମୟରେ ସ୍ଥିତିରେ ପରିବର୍ତ୍ତନ ହୋଇପାରେ। ତେଣୁ ଏହାର ପ୍ରକୃତ ପ୍ରଭାବ ଜାଣିବା ପାଇଁ ବୈଜ୍ଞାନିକମାନେ ମହାକାଶର ପାଣିପାଗ ଉପରେ ନଜର ରଖିଛନ୍ତି।