ନୂଆଦିଲ୍ଲୀ, ୧୧/୧୦: ନେପାଳର ପିଛା ଛାଡୁନି ପ୍ରଳୟ। ମାସକ ପରେ ପୁଣି ନେପାଳକୁ ମାଡ଼ି ଆସିଲା ବନ୍ୟା। ନେପାଳର ଗୋର୍ଖା ଜିଲ୍ଲାରେ ଏକ ଭୟଙ୍କର ହଠାତ୍ ବନ୍ୟା ଆସିବା ଯୋଗୁଁ ବହୁ ଧନଜୀବନ ଏବଂ ସଂପତ୍ତି ନଷ୍ଟ ହୋଇଛି। ଜିଲ୍ଲାର ବୁଢ଼ୀ ଗଣ୍ଡକୀ ନଦୀରେ ହଠାତ୍ ଆସିଥିବା ଏକ ପ୍ରଳୟଙ୍କରୀ ବନ୍ୟା ୩୫ରୁ ଅଧିକ ଘର ଏବଂ ଅନେକ ପୋଲକୁ ଭସାଇ ନେଇଛି। ଏହା ବ୍ୟତୀତ ଏକ ଜଳବିଦ୍ୟୁତ୍ ପ୍ରକଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ଗୋର୍ଖା ଜିଲ୍ଲାର ଉତ୍ତରାଞ୍ଚଳରେ ଥିବା ଚୁମନୁବ୍ରୀ ଏବଂ ଧର୍ଚେ ଗ୍ରାମୀଣ ପଞ୍ଚାୟତଗୁଡ଼ିକ ଏହି ବନ୍ୟା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ସାଲେରୀ, ପାଇୟୁକା ଏବଂ ଜଗତ ଅଞ୍ଚଳରେ ନଦୀର ପ୍ରକୋପ ଅଧିକ ଦେଖିବାକୁ ମିଳିଛି। ୩୫ରୁ ଅଧିକ ବାସଗୃହ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। ଏହି ଅଞ୍ଚଳକୁ ସଂଯୋଗ କରୁଥିବା ଝୁଲା ପୋଲ ସମେତ ଅନେକ ପୋଲ ଭାଙ୍ଗି ଯାଇଛି। ଗୋଟିଏ ଜଳବିଦ୍ୟୁତ୍ କ୍ୟାମ୍ପ ମଧ୍ୟ ବନ୍ୟାଜଳରେ କ୍ଷତିଗ୍ରସ୍ତ ହୋଇଛି।
ବନ୍ୟା ଯୋଗୁଁ କିଛି ଗ୍ରାମବାସୀ ନିଖୋଜ ଥିବା ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ହେଲିକପ୍ଟର ଏବଂ ପୁଲିସ ଟିମ୍ ନିୟୋଜିତ କରାଯାଇ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।
ଭୋର ପ୍ରାୟ ୪ଟା ସମୟରେ ଉଗୁଲୁଙ୍ଗ ଏବଂ ସ୍ୟାର ନଦୀରୁ କିଛ ଶବ୍ଦ ଶୁଣିବାକୁ ମିଳିଥିଲା। କିଛି ବୁଝିବା ଆଗରୁ କାଦୁଅ ମିଶା ପାଣି ଜନବସତି ମଧ୍ୟକୁ ମାଡ଼ିଆସିଥିଲା। ତେବେ ଗ୍ରାମବାସୀ ଏବଂ ସେଠାରେ ଥିବା ପର୍ଯ୍ୟଟକମାନେ ଜୀବନ ବଞ୍ଚାଇବାକୁ ଦୌଡ଼ି ଉଚ୍ଚ ସ୍ଥାନକୁ ଚାଲିଯାଇ ନିଜ ଜୀବନ ରକ୍ଷା କରିଥିଲେ।
ପ୍ରଶାସନ ପକ୍ଷରୁ ନଦୀକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସତକର ରହିବାକୁ ଏବଂ ନିରାପଦ ସ୍ଥାନକୁ ଚାଲିଯିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଅଗଷ୍ଟ ୨୬ ତାରିଖରେ ଏକ ହିମବାହ ଧସି ବନ୍ୟା ସୃଷ୍ଟି ହୋଇଥିଲା, ଯେଉଁଥିରେ ୧୪୫୭ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ହଜାର ହଜାର ଲୋକ ନିଖୋଜ ହୋଇଯାଇଥିଲେ।