କାର ସିଟ୍ ତଳେ ସିକ୍ରେଟ ଚାମ୍ବର; ୮.୯୮ କୋଟିର ସୁନା ଜବତ

ବିଦେଶୀ ସୁନା ଚାଲାଣ ଅଭିଯୋଗ, ୨ ଗିରଫ

ବିଶାଖାପାଟଣା, ୧୧/୧୦: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ୮.୯୮ କୋଟି ଟଙ୍କାର ୫.୮୩ କିଲୋଗ୍ରାମ ବିଦେଶୀ ସୁନା ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI)। ଜାତୀୟ ରାଜପଥରେ ଗାଡ଼ି ଯାଞ୍ଚ ଓ ପିଛା କରିବା ପରେ ଏହି ସୁନା ଜବତ କରାଯାଇଛି। ଏହି ଘଟଣାରେ କାର୍‌ରେ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସୁନାକୁ କୋଲକାତାରୁ ହାଇଦ୍ରାବାଦ ଚାଲାଣ କରାଯାଉଥିବା ଜଣାପଡ଼ିଛି।

DRI ଅଧିକାରୀଙ୍କ ସୂଚନା ଅନୁସାରେ, ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ବିଶାଖାପାଟଣାରେ ଜାତୀୟ ରାଜପଥ ଉପରେ ନଜର ରଖାଯାଇଥିଲା। ଏହି ସମୟରେ କୋଲକାତାରୁ ହାଇଦ୍ରାବାଦ ଯାଉଥିବା ଏକ କାର୍‌କୁ ଅଟକାଇବା ପାଇଁ ଅଧିକାରୀମାନେ ପିଛା କରିଥିଲେ। ଶେଷରେ ଅକ୍ଟୋବର ୮ ଓ ୯ ତାରିଖ ମଧ୍ୟ ରାତିରେ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରାଯାଇଥିଲା।

କାର୍‌ରେ ଥିବା ଦୁଇ ଜଣଙ୍କୁ ପଚରାଉଚରା କରିବା ସହ ଗାଡ଼ିର ବିଭିନ୍ନ ସ୍ଥାନ ଯାଞ୍ଚ କରିଥିଲେ ଅଧିକାରୀ। ଏହି ସମୟରେ ଆଗ ସିଟ୍‌ରେ ବସୁଥିବା ଯାତ୍ରୀଙ୍କ ପାଦ ରଖିବା ସ୍ଥାନ ତଳେ ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ଏକ ସିକ୍ରେଟ ଚାମ୍ବର ଠାବ ହୋଇଥିଲା। ସେଠାରେ ଲୁଚାଇ ରଖାଯାଇଥିବା ତିନୋଟି ପ୍ୟାକେଟ୍‌ରୁ ସୁନା ମିଳିଥିଲା।

ଉକ୍ତ ପ୍ୟାକେଟ୍‌ଗୁଡ଼ିକରୁ ମୋଟ ୫,୮୩୨.୯୦ ଗ୍ରାମ୍‌ ବା ପ୍ରାୟ ୫.୮୩ କିଲୋଗ୍ରାମ ସୁନା ଜବତ ହୋଇଛି। ଏହା ୨୪ କ୍ୟାରେଟ୍‌ର ୯୯୯ ଶୁଦ୍ଧତା ବିଶିଷ୍ଟ ବିଦେଶୀ ସୁନା ବୋଲି DRI ପକ୍ଷରୁ କୁହାଯାଇଛି। ବଜାରରେ ଏହାର ଆନୁମାନିକ ମୂଲ୍ୟ ୮.୯୮ କୋଟି ଟଙ୍କା ହେବ।

ପ୍ରାଥମିକ ତଦନ୍ତ ଅନୁସାରେ, ଏହି ସୁନା ଭାରତ-ବାଂଲାଦେଶ ସୀମା ଦେଇ ବେଆଇନ ଭାବେ ଭାରତକୁ ଅଣାଯାଇଥିବା ଏବଂ ପରେ ହାଇଦ୍ରାବାଦକୁ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି। ଜବତ ସୁନାକୁ କଷ୍ଟମ୍ସ ଆଇନ, ୧୯୬୨ ଅନୁଯାୟୀ ଜବତ କରାଯାଇଛି।

ଏହି ମାମଲାରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ସମ୍ପୃକ୍ତ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯିବା ପରେ ନ୍ୟାୟିକ ହେପାଜତକୁ ପଠାଯାଇଛି। ସୁନା ଚାଲାଣ ପଛରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ଏବଂ ଏହି ଚାଲାଣ ନେଟୱର୍କ କେତେ ଦୂର ବ୍ୟାପିଛି, ସେ ନେଇ ତଦନ୍ତ ଜାରି ରହିଛି।