“ମା”ଙ୍କୁ ପୂଜା ସମାଜ ସଂସ୍କାରର ଏକ ଦୃଢବାର୍ତ୍ତା : ବାଚସ୍ପତି ଶ୍ରୀମତୀ ପାଢୀ
ଭଗବାନ ମୀନ ଅବତାର ଥିଲେ ମହର୍ଷି ଦୟାନନ୍ଦ : ପଦ୍ମଶ୍ରୀ ବାବା ବଳିଆ
ଆର୍ଯ୍ୟସମାଜ ପକ୍ଷରୁ ନବମାତୃକା ପୂଜା ମହାସମାରୋହରେ ଅନୁଷ୍ଠିତ
ଭୁବନେଶ୍ୱର, ୧୧/୧୦ : ନବରାତ୍ରର ପ୍ରଥମ ଦିବସ ରବିବାର ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ୭ମ ନବମାତୃକା ପୂଜାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ କହିଲେ ଯେ, ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଏ ଯେଉଁ ଅଭିନବ ପରିକଳ୍ପନା କରାଯାଇଛି ଏହାର ସୁଦୂରପ୍ରସାରୀ ପ୍ରଭାବ ରହିଛି । ସମାଜରେ ଯେତେବେଳେ ବୃଦ୍ଧପିତାମାତାଙ୍କ ପ୍ରତି ନିଜ ପିଲାମାନେ ହତାଦର କରୁଛନ୍ତି, ଯେତିକିବେଳେ ଆର୍ଯ୍ୟସମାଜ ର୍ବାା ଦେଉଛି ପିତାମାତାଙ୍କୁ ଜୀବିତାବସ୍ଥାରେ ପୂଜା ହିଁ ପ୍ରକୃତ ଶ୍ରାଦ୍ଧ । ଶ୍ରୀମଦ୍ ବାବା ବଳିଆଙ୍କ ସମାଜ ସଂସ୍କାର କାର୍ଯ୍ୟର ବାଚସ୍ପତି ପ୍ରଶଂସା କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଦ୍ମଶ୍ରୀ ବାବା ବଳିଆ କହିଲେ ଯେ, ଯେଉଁଦିନ ପିଲାମାନେ ବାପାମା’ଙ୍କୁ ପୂଜା କରିବା ଆରମ୍ଭ କରିବେ ସମାଜରେ ବୃଦ୍ଧାଶ୍ରମର ଆବଶ୍ୟକତା ରହିବ ନାହିଁ । ଯେଉଁ ପୁଅଝିଅମାନେ ବୃଦ୍ଧ ପିତାମାତାଙ୍କୁ ହତାଦର କରୁଛନ୍ତି ସରକାର ପିଲାମାନଙ୍କ ଆୟରୁ ପିତାମାତାଙ୍କୁ ଦେବା ପାଇଁ ଆଇନ ଆଣିବା ଦରକାର । ଶ୍ରୀମଦ୍ ବାବା ଆହୁରି କହିଲେ ଯେ, ମହର୍ଷି ଦୟାନନ୍ଦ ହିଁ କଳିଯୁଗରେ ପ୍ରକୃତ ମୀନ ଅବତାର । ତାଙ୍କ ପାଇଁ ହିଁ ଆମେ “ବେଦ”ର ସ୍ୱାଦ ଚାଖିପାରିଲେ । ବିଶିଷ୍ଟ ଅତିଥି ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମାତୃପୂଜା କାର୍ଯ୍ୟକ୍ରମ, ନୂତନ ଯୁବପିଢିଙ୍କ ଭିତରେ ପ୍ରବେଶ କରାଇବାର ଆବଶ୍ୟକତା ଅଛି ବୋଲି କହିବା ସହ, ମା’ ସବୁବେଳେ କଲ୍ୟାଣମୟୀ ବୋଲି କହିଥିଲେ ।
ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଚନ୍ଦ୍ରଶେଖରପୁରସ୍ଥିତ ବ୍ରହ୍ମାନନ୍ଦ ଭବନଠାରେ ଆୟୋଜିତ ଏହି ସଭାରେ ସ୍ୱାଗତ ଭାଷଣ ଦେଇ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ କହିଲେ ଯେ, ଶ୍ରୀମଦ୍ ବାବା ବଳିଆ ୫୦ ବର୍ଷ ହେବ ଯେଉଁ ସଂସ୍କାରବାଦୀ କାର୍ଯ୍ୟକ୍ରମ କରିଛନ୍ତି ଆଜିର କାର୍ଯ୍ୟକ୍ରମ ତାର ଏକ ଅଂଶବିଶେଷ । ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ ଜୀବିତାବସ୍ଥାରେ ପିତାମାତାଙ୍କୁ ଶ୍ରାଦ୍ଧ ଦେବାର ଏହା ଏକ ନୂତନ ପରିକଳ୍ପନା ବୋଲି କହିଥିଲେ । ଅନ୍ୟତମ ଅତିଥି ପୂର୍ବତନ କୁଳାଧିପତି ପ୍ରଫେସର ଡଃ ପ୍ରଫୁଲ୍ଲ କୁମାର ମିଶ୍ର, ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡଃ ସତ୍ୟନାରାୟଣ ଆଚାର୍ଯ୍ୟ ଓ ପୂର୍ବତନ କୁଳପତି ପ୍ରଫେସର ଡଃ ହରେକୃଷ୍ଣ ଶତପଥି ଶପ୍ତସତୀ ଚଣ୍ଡୀରେ “ମା” ଜଗତଜନନୀ ଦୁର୍ଗାଙ୍କୁ ସଂସାରର ମଙ୍ଗଳମୟୀ ଭାବେ ବର୍ଣ୍ଣନା କରାଯାଇଛି । କିନ୍ତୁ ଆର୍ଯ୍ୟସମାଜ ପ୍ରତୀକାତ୍ମକ ଭାବେ “ମା” ଭିତରେ ଦୁର୍ଗାଙ୍କୁ ଆଜି ଦର୍ଶନ କରାଇ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହୋଇଛନ୍ତି ।
ଏହି ଅବସରରେ ଧର୍ମଗଡ଼, କଳାହାଣ୍ଡିର “ମା” ବିଦ୍ୟୁଲତା ଦାସଙ୍କୁ ବାଚସ୍ପତି ପ୍ରଥମ ନବ ମାତୃକା ସମ୍ମାନ ପ୍ରଦାନ କରିଥିଲେ ଓ ରୀତିକ ମଲ୍ଲିକଙ୍କ ନ୍ୟାୟଦର୍ଶନ ଓ କବୟତ୍ରୀ ଶ୍ରୀମତୀ ସବିତା ଶୁକ୍ଲାଙ୍କ ଭଜନ ସନ୍ଧ୍ୟାଦୀପ ପୁସ୍ତକକୁ ଶ୍ରୀମଦ ବାବା ବଳିଆ ଉନ୍ମୋଚନ କରିବା ସହ ଭଜନ ଗାୟିକା ଜ୍ୟୋତିର୍ମୟୀ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ସସ୍ତ୍ରୀକ ଜଜମାନ ଥିଲେ । ସର୍ବଶ୍ରୀମତୀ ଅନ୍ନପୂର୍ଣ୍ଣା ଦ୍ୱିବେଦୀ, ମିତା ମହାପାତ୍ର, ସବିତା ଶୁକ୍ଲା, ବୀଣାପାଣି ଜେନା, ସାବିତ୍ରୀ ମଲ୍ଲିକ, ସୁଲୋଚନା ପାଣିଗ୍ରାହୀ, ଗୌରୀବାଳା ପାଣିଗ୍ରାହୀ, କାମିନୀ ମଞ୍ଜରୀ ସିଂହ ଓ ବିଦ୍ୟୁଲତା ଦାଶଙ୍କୁ ନବମାତୃକା ଭାବେ ପୂଜା କରାଯାଇଥିଲା । ଶେଷରେ ପାଲାଚାର୍ଯ୍ୟ ନାରାୟଣ ଶୁକ୍ଲା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବ୍ରହ୍ମଚାରୀ ଆନନ୍ଦ ଚୈତନ୍ୟ, ପଣ୍ଡିତ ବିନୋଦ ବିହାରୀ ଦାଶ ଓ ଆଚାର୍ଯ୍ୟ ଧର୍ମରାଜ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବ ପ୍ରଶାସକ ଭାରତ ଭୂଷଣ ଜଗଦେବ, ସହଦେବ ଜୟସିଂହ, ବାବା ପ୍ରଣବାନନ୍ଦ, ସୀତାବଲ୍ଲଭ ମହାପାତ୍ର, ରାଜନେତା ଡଃ ଶମ୍ଭୁନାଥ ପାଣିଗ୍ରାହୀ, ଡଃ ବିଭୂତି ଭୂଷଣ ଜେନା, ଡଃ ଉଷାପାଢୀ, ପଣ୍ଡିତ ରଘୁନାଥ ନାୟକ ପ୍ରମୁଖ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ଜନ୍ମେଜୟ ନାୟକ ଓ ନଳିନୀକାନ୍ତ ରାଉତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।