ଅମ୍ବାଦଳାରେ ଭକ୍ତିମୟ ପରିବେଶ, ମା’ ଆଦିଶକ୍ତିଙ୍କ ପାଇଁ ୫ ହଜାର କଳସ ଯାତ୍ରା

ଶଙ୍ଖ, ମହୁରୀ ଓ ଘୁମୁରାର ଧ୍ୱନିରେ ପ୍ରକମ୍ପିତ ହେଲା ସହର

ରାୟଗଡା, ୧୧/୧୦ (ଦକ୍ଷ ବାଥ୍ରା): ରାୟଗଡ଼ା ଜିଲ୍ଲା ଅମ୍ବାଦଳାରେ ମା’ ଆଦିଶକ୍ତିଙ୍କ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ପାରମ୍ପରିକ ରୀତିନୀତି ଓ ଭକ୍ତିମୟ ପରିବେଶ ମଧ୍ୟରେ ପ୍ରସିଦ୍ଧ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅବସରରେ ଶଙ୍ଖ, ମହୁରୀ, ଘୁମୁରା ଓ ସଂକୀର୍ତ୍ତନର ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ସହର। ମା’ଙ୍କ ଆବାହନ ପାଇଁ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଭକ୍ତି ଓ ଉତ୍ସାହର ପରିବେଶ।ପଞ୍ଚମୁଖୀ ମନ୍ଦିର ନିକଟସ୍ଥ ବଂଶଧାରା ନଦୀକୂଳରେ ପ୍ରଥମେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ନଦୀରୁ ପବିତ୍ର ଜଳ ଭର୍ତ୍ତି କରାଯାଇଥିବା ପ୍ରାୟ ୫ ହଜାର କଳସକୁ ମହିଳା ଶ୍ରଦ୍ଧାଳୁମାନେ ମୁଣ୍ଡରେ ଧାରଣ କରିଥିଲେ। ସଂକୀର୍ତ୍ତନ ମଣ୍ଡଳୀଙ୍କ ସହ ଏକ ବିଶାଳ ପଟୁଆରରେ ଶଙ୍ଖ ଓ ମହୁରୀର ତାଳେ ତାଳେ ସହର ପରିକ୍ରମା କରିବା ପରେ କଳସ ଯାତ୍ରା ମା’ଙ୍କ ମନ୍ଦିରରେ ପହଞ୍ଚିଥିଲା। ଏହି ଯାତ୍ରାରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଦୁର୍ଗାପୂଜା କମିଟି ସଭାପତି ସନ୍ତୋଷ ପାତ୍ରଙ୍କ ତତ୍ତ୍ୱାବଧାନରେ ମା’ଙ୍କ ପୀଠରେ ପୂଜାବିଧି ସମ୍ପନ୍ନ ହୋଇଥିଲା। ଚଳିତ ବର୍ଷ ମା’ଙ୍କ ସେବାରେ ବିପିନ୍ ବିହାରୀ କର, ଅକ୍ଷୟ କୁମାର ରଥ, ବିଜୟ ମିଶ୍ର ଓ ଶୁଭାଶିଷ ମିଶ୍ରଙ୍କ ସମେତ ଚାରିଜଣ ପୁରୋହିତ ନିୟୋଜିତ ହୋଇଛନ୍ତି। କର୍ତ୍ତା ଭାବେ ଭି. ସୁରେଶ କୁମାର ପୂଜାରେ ଯୋଗ ଦେଇଥିଲେ। କମିଟିର କର୍ମକର୍ତ୍ତା ଓ ସଦସ୍ୟଙ୍କ ଉପସ୍ଥିତି ଏବଂ ସହଯୋଗରେ ମା’ଙ୍କ ନୀତିକାନ୍ତି ସମ୍ପନ୍ନ ହୋଇଥିଲା।ଏହି ଅବସରରେ ଅତିଥି ଭାବେ ବିଜେଡି ରାଜ୍ୟ ସମ୍ପାଦକ ସୁଧୀର ଦାସ, ଜିଲାପରିଷଦ ଉପାଧ୍ୟକ୍ଷ ସନ୍ତୋଷ ସୁନା, ପୂର୍ବତନ କେବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା,ଜିଲ୍ଲା ବିଜେଡି ଉପ ସଭାପତି ପୂର୍ଣ୍ଣ ଚନ୍ଦ୍ର ଗୌଡ଼, ବିଜେଡି ବ୍ଲକ ସଭାପତି ରତନ ଲାଲ ଜୈନ, ବରିଷ୍ଠ ବିଜେଡି ନେତା ବୃନ୍ଦାବନ ପାଢ଼ୀ,ଦୁର୍ଗା ପୂଜା କମିଟି ପକ୍ଷରୁ ଜଗନ୍ନାଥ ପ୍ରସାଦ, ଦେବୀ ପ୍ରସାଦ ମୁଖାର୍ଜୀ, ଧୀରେନ୍ଦ୍ର ପାଣିଗ୍ରାହୀ, ଶ୍ରୀଧର ସାହୁ, ସନ୍ତୋଷ ଆଚାରୀ, ବିଦ୍ୟାଧର ସାହୁ,ମୁକୁନ୍ଦ ତ୍ରିପାଥୀ, ବି.ତ୍ରିପତି ପାତ୍ର,ବିନୋଦ ସାହୁ ଓ ସୁବାସ ସେନାପତିଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପୂଜା ଆୟୋଜନରେ ସହଯୋଗ କରିଥିଲେ।ମା’ ଆଦିଶକ୍ତିଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପାରମ୍ପରିକ ରୀତିନୀତି, ସାମୂହିକ ସହଯୋଗ ଓ ଭକ୍ତିଭାବର ଏହି ମହାମିଳନ ଅମ୍ବାଦଳାର ଧାର୍ମିକ ପରମ୍ପରାକୁ ଉଜ୍ଜୀବିତ କରିଥିବା ବେଳେ ଶାରଦୀୟ ଦୁର୍ଗାପୂଜାକୁ ନେଇ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।