ବିରଳ ଘଟଣା: ଦୋଷୀକୁ ମିଳିବ ମୃତ୍ୟୁଦଣ୍ଡ, ଲାଇଭ ଷ୍ଟ୍ରିମିଂରେ ଦେଖିବ ସାରା ବିଶ୍ୱ
୬୫ ବର୍ଷ ପରେ ପ୍ରଥମ ସାମରିକ ମୃତ୍ୟୁଦଣ୍ଡ
ୱାଶିଂଟନ ଡିସି, ୧୨/୧୦: ୨୦୦୯ ମସିହାର ଫୋର୍ଟ ହୁଡ୍ ଗୁଳିକାଣ୍ଡର ଦୋଷୀ ନିଦାଲ ମଲିକ ହାସନଙ୍କୁ ମିଳିବ ମୃତ୍ୟୁ ଦଣ୍ଡ। ଗୁଳି କରି ମୃତ୍ୟୁ ଦଣ୍ଡ ଦିଆଯିବ ଏବଂ ଏହାର ସିଧାପ୍ରସାରଣ (ଲାଇଭ ଷ୍ଟ୍ରିମିଂ) କରାଯିବ ବୋଲି ଆମେରିକାର ପ୍ରତିରକ୍ଷା ମନ୍ତ୍ରାଳୟ ପେଣ୍ଟାଗନ୍ ପକ୍ଷରୁ ଘୋଷଣା କରାଯାଇଛି।
ନିଦାଲ ହାସନଙ୍କୁ ଆସନ୍ତା ଡିସେମ୍ବର ୩ ତାରିଖରେ ଟେକ୍ସାସର ସେହି ଫୋର୍ଟ ହୁଡ୍ (ବର୍ତ୍ତମାନର ଫୋର୍ଟ କାଭାଜୋସ) ସେନା ଘାଟିରେ ଗୁଳି କରି ମୃତ୍ୟୁଦଣ୍ଡ ଦିଆଯିବ। ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏହି ଦଣ୍ଡବିଧାନ ସାର୍ବଜନୀନ ହେବ ବୋଲି କହିବା ପରେ, ପେଣ୍ଟାଗନ୍ ସ୍ପଷ୍ଟ କରିଛି ଯେ ଏହାକୁ ଲାଇଭଷ୍ଟ୍ରିମ୍ ମାଧ୍ୟମରେ ସାରା ବିଶ୍ୱର ଲୋକେ ଦେଖିପାରିବେ। ଆମେରିକା ସରକାରଙ୍କ ଅନୁସାରେ, ଏପରି ଗମ୍ଭୀର ଅପରାଧ ପାଇଁ କଠୋର ପରିଣାମ ଭୋଗିବାକୁ ପଡ଼େ ବୋଲି ସାଧାରଣ ଜନତାଙ୍କୁ ଦେଖାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନା ଅନୁସାରେ, ୨୦୦୯ ମସିହାରେ ଆମେରିକା ସେନାର ପୂର୍ବତନ ମାନସିକ ରୋଗ ବିଶେଷଜ୍ଞ ମେଜର ନିଦାଲ ହାସନ୍ ଟେକ୍ସାସର ଫୋର୍ଟ ହୁଡ୍ ସେନା ଘାଟିରେ ଆକ୍ରମଣ କରିଥିଲେ। ଏହି ଗୁଳିକାଣ୍ଡରେ ୧୩ ଜଣ ସୈନିକଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୨ ଜଣ ଆହାତ ହୋଇଥିଲେ। ଆକ୍ରମଣ ସମୟରେ ପୁଲିସ୍ର ଗୁଳିରେ ହାସନ୍ ଗୁରୁତର ଆହାତ ହୋଇ ପାର୍ଶ୍ୱପାର୍ଶ୍ୱିକ ଭାବେ ଅକ୍ଷମ ହୋଇପଡ଼ିଥିଲେ।
ସୂଚନାଯୋଗ୍ୟ, ୬୫ ବର୍ଷ ପରେ ଏହା ଆମେରିକାର ପ୍ରଥମ ସାମରିକ ମୃତ୍ୟୁଦଣ୍ଡ। ୧୯୬୧ ମସିହା ପରେ ଆମେରିକା ସେନା ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଏହା ପ୍ରଥମ ମୃତ୍ୟୁଦଣ୍ଡ।୧୯୪୫ର ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା ସେନାରେ ‘ଫାୟାରିଂ ସ୍କ୍ୱାଡ୍’ (ସୈନିକମାନଙ୍କ ଦ୍ୱାରା ଗୁଳି କରି ମାରିବା) ମାଧ୍ୟମରେ ଦିଆଯାଉଥିବା ଏହା ପ୍ରଥମ ଦଣ୍ଡବିଧାନ ଥିଲା। ପ୍ରାୟ ୯୦ ବର୍ଷ ପରେ ପ୍ରଥମ ସାର୍ବଜନୀନ ମୃତ୍ୟୁଦଣ୍ଡ ହେବ। ଆମେରିକାରେ ୧୯୩୬ ମସିହା ପରେ ଏହା ପ୍ରଥମ ଆଇନଗତ ସାର୍ବଜନୀନ ମୃତ୍ୟୁଦଣ୍ଡ ହେବାକୁ ଯାଉଛି।
ତେବେ ଏହି ସାର୍ବଜନୀନ ଲାଇଭଷ୍ଟ୍ରିମ୍ ନିଷ୍ପତ୍ତିକୁ ନେଇ ଆମେରିକାରେ ନୀତିଗତ ଏବଂ ଆଇନଗତ ବିବାଦ ସୃଷ୍ଟି ହୋଇଛି। ଗୋଟିଏ ପଟେ ସରକାର ଏହାକୁ କଠୋର ଆଇନ ଶୃଙ୍ଖଳାର ପ୍ରତୀକ ଭାବେ ଦେଖାଉଥିବା ବେଳେ, ଅନ୍ୟପଟେ ମାନବାଧିକାର ଏବଂ ଆଇନ ବିଶେଷଜ୍ଞମାନେ ଏହାକୁ ହିଂସାତ୍ମକ ପ୍ରଦର୍ଶନୀ ବୋଲି ସମାଲୋଚନା କରୁଛନ୍ତି।