ହତ୍ୟା କରି ଜେଲ୍ ଗଲେ ଅବସରପ୍ରାପ୍ତ ଆଇଏଏସ ଅଫିସର

ଓକିଲ ପୁଅକୁ ବି ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ, ୧୨/୧୦: ହତ୍ୟା କରି ଜେଲ୍ ଗଲେ ଅବସରପ୍ରାପ୍ତ ଆଇଏଏସ ଅଫିସର ଓ ତାଙ୍କ ଓକିଲ ପୁଅ। ସାମାନ୍ୟ ସିଟକୁ ନେଇ ବଚସା ଓ ତା’ପରେ ହାତାହାତି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ଉକ୍ତ ଆଇଏଏସ ଅଫିସରଙ୍କୁ ବାନ୍ଧିଛି ପୋଲିସ। ଏଭଳି ଏକ ଘଟଣା ଘଟିଛି ଦିଲ୍ଲୀରେ।

ସୂଚନା ଅନୁସାରେ, ମୃତକ ପୱନ ଶର୍ମା ଏବଂ ତାଙ୍କ ମାଆ ମେଟ୍ରୋରେ ଯାତ୍ରା କରୁଥିବାବେଳେ ବରିଷ୍ଠ ନାଗରିକଙ୍କ ପାଇଁ ସଂରକ୍ଷିତ ଆସନରେ ବସିଥିଲେ। ସେହି ସମୟରେ ମଣ୍ଡି ହାଉସ୍ ମେଟ୍ରୋ ଷ୍ଟେସନରୁ ଚଢିଥିଲେ ଅଭିଯୁକ୍ତ ପୂର୍ବତନ ଅଧିକାରୀ ସଞ୍ଜୟ ପ୍ରତାପ ସିଂହ ଓ ତାଙ୍କ ପୁଅ ସିଦ୍ଧାର୍ଥ ସିଂହ। ଏ ସମୟରେ ସେହି ସିଟକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା।

ଦେଖୁ ଦେଖୁ ଏହି ସାମାନ୍ୟ ଯୁକ୍ତିତର୍କରୁ ହାତାହାତି ପର୍ଯ୍ୟନ୍ତ ଯାଇଥିଲା ପରିସ୍ଥିତି ଏବଂ ପୱନ ଶର୍ମାଙ୍କୁ ଚାପୁଡ଼ା ମାରିବା ସହ ଓ ଠେଲାପେଲା କରିଥିଲେ ବାପା ଓ ପୁଅ। ଯେତେବେଳେ ଟ୍ରେନଟି ‘ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନ୍’ରେ ପହଞ୍ଚିଲା, ସେତେବେଳେ ପୱନ ଶର୍ମା ହଠାତ୍ ପ୍ଲାଟଫର୍ମରେ ଅଚେତ ହୋଇ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ତାଙ୍କ ମାଆଙ୍କ ସହିତ ଲୋକ ନାୟକ ଜୟ ପ୍ରକାଶ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ଏହା ପରେ ପବନଙ୍କ ମାଆ ଦୁର୍ଗା ଦେବୀଙ୍କ ଅଭିଯୋଗକୁ ଭିତ୍ତିକରି ମେଟ୍ରୋ ପୋଲିସ ଅକ୍ଟୋବର ୯ ତାରିଖରେ ଏଫ୍.ଆଇ.ଆର୍. ରୁଜୁ କରିଥିଲା। ଦିଲ୍ଲୀ ମେଟ୍ରୋ ପୋଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୫ ଏବଂ ଧାରା ୩(୫) ଅନୁଯାୟୀ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି।

ତଦନ୍ତରୁ ଜଣାପଡ଼ିଛି ଯେ, ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ପ୍ରତାପ ସିଂ ଜଣେ ୧୯୮୪ ବ୍ୟାଚର ଅବସରପ୍ରାପ୍ତ ଆଇ.ଏ.ଏସ୍. ଅଧିକାରୀ। ପୂର୍ବରୁ ୨୦୧୫ ମସିହାରେ ସେ ସେତେବେଳେ ଦିଲ୍ଲୀ ସରକାରଙ୍କ ଏସସି, ଏସଟି ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ପ୍ରିନ୍ସିପାଲ୍ ସେକ୍ରେଟାରୀ ଥିବା ବେଳେ ଏକଲାଞ୍ଚ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଦ୍ୱାରା ଗିରଫ ହୋଇଥିଲେ। ତାଙ୍କ ପୁଅ ସିଦ୍ଧାର୍ଥ ସିଂ ସୁପ୍ରିମକୋର୍ଟରେ କାର୍ଯ୍ୟରତ ଥିବା ଜଣେ ଓକିଲ। ସେମାନେ ଉତ୍ତରପ୍ରଦେଶର ନୋଏଡାର ବାସିନ୍ଦା। ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।