୧୧ ଇଣ୍ଡିଆ ବ୍ଲକ ନେତାଙ୍କ ଦ୍ୱାରା ସୁପ୍ରିମ୍ କୋର୍ଟରେ ପିଟିସନ୍ ଦାଖଲ
ଏସଆଇଆରରେ ହୋଇଥିବା ଅନିୟମିତତାର ନିରପେକ୍ଷ ତଦନ୍ତ ପାଇଁ ଦାବି
ନୂଆଦିଲ୍ଲୀ, ୧୨/୧୦: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଇଣ୍ଡିଆ ବ୍ଲକର ୧୧ ଜଣ ପ୍ରମୁଖ ନେତା ମୁଖ୍ୟ ନିର୍ବାଚନ କମିଶନର (ଇସିଆଇ)ଙ୍କ ବିରୋଧରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିର୍ବାଚନ ମଣ୍ଡଳୀଗୁଡ଼ିକରେ ହୋଇଥିବା ଏସଆଇଆର ପ୍ରକ୍ରିୟାରେ ଭୋଟରଙ୍କ ନାମ ବେଆଇନ୍ ଭାବେ କାଟିଦିଆଯିବା ଏବଂ ଅନ୍ୟାନ୍ୟ ଅନିୟମିତତାକୁ ନେଇ ଏହି ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଛି।
ମାମଲା ଦାଖଲ କରିଥିବା ୧୧ ଜଣ ନେତାଙ୍କ ମଧ୍ୟରେ ଅଛନ୍ତି ଲୋକସଭା ବିରୋଧୀ ଦଳ ନେତା, କଂଗ୍ରେସ ସଭାପତି ଓ ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ତୃଣମୂଳ କଂଗ୍ରେସ ନେତା ସୌଗତ ରାୟ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ପ୍ରସାଦ ଯାଦବ, ଶିବସେନା (ଉଦ୍ଧବ ଠାକରେ) ନେତା ସଞ୍ଜୟ ରାଉତ, ସିପିଆଇ-ଏମ୍ ନେତା ଏମ୍. ଏ. ବେବି, ସିପିଆଇ ନେତା ଡି. ରାଜା, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଛା ନେତା ମହୁଆ ମାଝୀ, ଏନ୍ସିପି – ଶରଦ ପାୱାର ସାଂସଦ ସୁପ୍ରିୟା ସୁଲେ ଏବଂ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ ନେତା ଇ. ଟି. ମହମ୍ମଦ ବଶୀର।
ଆଡଭୋକେଟ୍ ଏସ୍. ପ୍ରସନ୍ନାଙ୍କ ମାଧ୍ୟମରେ ଦାଖଲ ହୋଇଛି ଆବେଦନ। ମୁଖ୍ୟ ଦାବି ହେଉଛି ଯେ, ଏସଆଇଆର ପ୍ରକ୍ରିୟା ସମୟରେ ଲକ୍ଷ ଲକ୍ଷ ଭୋଟରଙ୍କ ନାମ ତାଲିକାରୁ କାଟିଦିଆଯିବା ଏବଂ ଏଥିରେ ହୋଇଥିବା ଅନିୟମିତତାର ସମ୍ପୂର୍ଣ୍ଣ ରେକର୍ଡ ଜବତ କରି ସୁପ୍ରିମ୍ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ନିରପେକ୍ଷ ତଦନ୍ତ କରାଯାଉ। ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ସମ୍ବିଧାନ ଓ ଗଣତାନ୍ତ୍ରିକ ପ୍ରକ୍ରିୟାର ଅନୁକୂଳ କି ନୁହେଁ, ତାହାର ଯାଞ୍ଚ ହେଉ।