ନୂଆଦିଲ୍ଲୀ, ୧୪/୧୦: ଦିଲ୍ଲୀର ଜନ୍ତରମନ୍ତରରେ ବିନା ଅନୁମତିରେ ପ୍ରବେଶ କରିବା ଅଭିଯୋଗରେ କକ୍ରୋଚ ଜନତା ପାର୍ଟି (ସିଜେପି)ର ୩ ନେତାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ସୌରଭ ଦାସ, ଆଶୁତୋଷ ରାଙ୍କା ଓ ଆଜିଙ୍କ୍ୟ ସିନ୍ଦେଙ୍କୁ ଗିରଫ କରି ତିହାର ଜେଲ୍ ପଠାଇଛି ଦିଲ୍ଲୀ ପୋଲିସ। ମଙ୍ଗଳବାର ସକାଳେ ଜନ୍ତରମନ୍ତରରେ ପ୍ରବେଶ କରି ପ୍ରତିବାଦ କରିବା ସମୟରେ ପୋଲିସ ସେମାନଙ୍କୁ ଅଟକ ରଖିଥିଲା। ପରେ ସେମାନଙ୍କୁ କୋର୍ଟରେ ହାଜର କରାଯିବା ପରେ ୫ ଦିନ ପାଇଁ ଜେଲ୍ ପଠାଯାଇଛି।
ସୂଚନା ଅନୁସାରେ, ଦିଲ୍ଲୀର ଜନ୍ତରମନ୍ତରକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ପ୍ରତିବାଦ ସ୍ଥଳ ତାଲିକାରୁ ହଟାଇ ଦିଆଯାଇଥିଲା। ଏହା ପରେ ମଧ୍ୟ ସିଜେପିର ନେତାମାନେ ସେଠାରେ ପ୍ରବେଶ କରି ପ୍ରତିବାଦ କରିଥିଲେ। ସେମାନେ ବ୍ୟାରିକେଡ୍ ଅତିକ୍ରମ କରି ବନ୍ଦ ଗେଟ୍ ଡେଇଁ ଭିତରକୁ ପ୍ରବେଶ କରି ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସ୍ଲୋଗାନ ଦେଇଥିଲେ।