ରାମଲୀଳା ମଇଦାନ ନୂଆ ବିକ୍ଷୋଭ ସ୍ଥଳ: ଦିନକୁ ଭଡ଼ା ୧.୨୧ ଲକ୍ଷ ଟଙ୍କା

ଚଳିତ ବର୍ଷ ବୁକିଂ ପାଇଁ ଖାଲି ମାତ୍ର ୩ ଦିନ

ନୂଆଦିଲ୍ଲୀ, ୧୩/୧୦: ଦିଲ୍ଲୀ ପୋଲିସ ଦ୍ୱାରା ଜନ୍ତରମନ୍ତରକୁ ବିକ୍ଷୋଭ ସ୍ଥଳ ଭାବେ ମାନ୍ୟତା ହଟାଇ ଦିଆଯିବା ପରେ ତିନୋଟି ସ୍ଥାନରେ ବିକ୍ଷୋଭ ସ୍ଥଳ ପାଇଁ ବଛାଯାଇଛି। ଖୁବଶୀଘ୍ର ସେଗୁଡ଼ିକ ଉପରେ ଏସପି ମଧ୍ୟ ଜାରି ହେବ। ଏହାର ବିକଳ୍ପ ଭାବେ ବଛା ଯାଇଥିବା ରାମଲୀଳା ମଇଦାନକୁ ନେଇ ଏବେ ବେଶ ଚର୍ଚ୍ଚା।

୧୨ ଏକର ପରିମିତ ଏହି ବିଶାଳ ମଇଦାନକୁ ଦିନକ ପାଇଁ ବୁକିଂ କରିବାକୁ ହେଲେ ପ୍ରାରମ୍ଭିକ ଭାବେ ୧.୨୧ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ଏଥିରେ ଦୈନିକ ୫୦,୦୦୦ ଟଙ୍କା ବୁକିଂ ଦେୟ, ୫୫,୦୦୦ ଟଙ୍କା ଫେରସ୍ତଯୋଗ୍ୟ ସିକ୍ୟୁରିଟି ଡିପୋଜିଟ ଏବଂ ଟ୍ୟାକ୍ସ ରହିଛି‌। ତେବେ ମଇଦାନର ଏକ କ୍ଷୁଦ୍ର ଅଂଶକୁ ମାଗଣାରେ ପ୍ରତିବାଦ ପାଇଁ ଛଡ଼ାଯାଇଛି, ମାତ୍ର ସେଠାରେ କେବଳ ୧୫୦ ଜଣ ଲୋକ ଏକାଠି ହୋଇପାରିବେ।

ପୂର୍ବରୁ ଜନ୍ତରମନ୍ତରରେ ଏଭଳି କୌଣସି ଶୁଳ୍କ ଦେବାକୁ ପଡ଼ୁନଥିବାରୁ, ଏହି ମହଙ୍ଗା ବୁକିଂ ଦେୟ ବିଭିନ୍ନ ସଂଗଠନ ଏବଂ ସାଧାରଣ ଜନତାଙ୍କ ପାଇଁ ପ୍ରତିବାଦ ପ୍ରଦର୍ଶନକୁ କଷ୍ଟସାଧ୍ୟ କରିବ ବୋଲି ପ୍ରତିବାଦକାରୀମାନେ ମତ ଦେଇଛନ୍ତି।

ତେବେ ରାମଲୀଳା ମୈଦାନରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଥିବାରୁ କିଛି ମାସ ପୂର୍ବରୁ ଏହାକୁ ବୁକିଂ କରିବାକୁ ପଡ଼ିଥାଏ। ଚଳିତ ବର୍ଷ ଶେଷ ସୁଦ୍ଧା ମଇଦାନରେ ମାତ୍ର ତିନୋଟି ଦିନ (ଡିସେମ୍ବର ୨୯, ୩୦ ଏବଂ ୩୧) ବୁକିଂ ପାଇଁ ଖାଲି ଅଛି।

ଆମ ଆଦମୀ ପାର୍ଟିର ଦିଲ୍ଲୀ ସଭାପତି ସୌରଭ ଭରଦ୍ୱାଜ ଏହି ନିଷ୍ପତ୍ତିକୁ ବିରୋଧ କରି ପ୍ରଶ୍ନ କରିଛନ୍ତି ଯେ, ଯେତେବେଳେ ମଇଦାନଟି ପୂର୍ବରୁ ବିଭିନ୍ନ ରାମଲୀଳା ଏବଂ ପର୍ବପର୍ବାଣୀ ପାଇଁ ବୁକିଂ ହୋଇଅଛି, ସେଠାରେ ଲୋକେ କିପରି ପ୍ରତିବାଦ କରିବେ? ଏହା ଦ୍ୱାରା ଅରାଜକତା ସୃଷ୍ଟି ହେବ ବୋଲି ସେ ଅଭିଯୋଗ କରିଛନ୍ତି।

ରାମଲୀଳା ମଇଦାନଟି ଏକ ବ୍ୟସ୍ତବହୁଳ ବାଣିଜ୍ୟିକ ଅଞ୍ଚଳରେ ଅବସ୍ଥିତ। ଏହା ପାଖରେ ତିନୋଟି ବଡ଼ ହସ୍ପିଟାଲ୍ ଏବଂ ଏମସିଡି (MCD) ମୁଖ୍ୟାଳୟ ରହିଛି। ଏଠାରେ ବଡ଼ ସମାବେଶ ହେଲେ ଆଖପାଖ ରାସ୍ତାଗୁଡ଼ିକରେ ପ୍ରବଳ ଟ୍ରାଫିକ୍ ଜାମ୍ ସମସ୍ୟା ଦେଖାଦିଏ।

ପୁରୁଣା ଇତିହାସକୁ ଦେଖିବାକୁ ଗଲେ, ୧୯୩୦ ମସିହା ପର୍ଯ୍ୟନ୍ତ ଏହା ଏକ ପୋଖରୀ ଥିଲା, ଯାହାକୁ ପରେ ରାମଲୀଳା ପରିବେଷଣ ପାଇଁ ମାଟି ପକାଯାଇ ସମତଳ କରାଯାଇଥିଲା। ୧୯୩୨ରୁ ଏଠାରେ ପରମ୍ପରାଗତ ଭାବେ ରାମଲୀଳା ଅନୁଷ୍ଠିତ ହୋଇଆସୁଛି।

ସ୍ୱାଧୀନତା ପରଠାରୁ ଏହି ମଇଦାନ ଭାରତର ଅନେକ ଐତିହାସିକ ରାଜନୈତିକ ଆନ୍ଦୋଳନ ଏବଂ ସଭାର ସାକ୍ଷୀ ରହିଛି। ୧୯୫୨ରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ଜମ୍ମୁ-କଶ୍ମୀରର ସମ୍ପୂର୍ଣ୍ଣ ମିଶ୍ରଣ ପାଇଁ ଏଠାରୁ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ଜୟପ୍ରକାଶ ନାରାୟଣ, ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଭଳି ବଡ଼ ବଡ଼ ନେତା ଏଠାରେ ଜନସଭାକୁ ସମ୍ବୋଧିତ କରିଛନ୍ତି। ୨୦୧୩, ୨୦୧୫ ଏବଂ ୨୦୨୦ ମସିହାରେ ଅରବିନ୍ଦ କେଜ୍ରିୱାଲ ଏହି ମଇଦାନରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।