ନୂଆଦିଲ୍ଲୀ, ୧୩/୧୦: ୟୁପିଆଇ ମାଧ୍ୟମରେ ଟଙ୍କା ନେଣଦେଣ କରୁଥିବା ବ୍ୟବସାୟୀଙ୍କ ପାଇଁ ବଡ଼ ଖବର। ୟୁପିଆଇ ଲାଗୁ ହେବାକୁ ଥିବା ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (ଏମଡିଆର) ଶୁଳ୍କ ଲାଗୁ ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏନପିସିଆଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଅକ୍ଟୋବର ୧୫ରୁ ଏହି ଶୁଳ୍କ ଲାଗୁ କରିବାକୁ ସ୍ଥିର ହୋଇଥିଲା। ଏବେ ଦୀପାବଳି ପରେ ଏହା ଲାଗୁ ହେବ। କିନ୍ତୁ ଏଥିପାଇଁ ଚୂଡ଼ାନ୍ତ ତାରିଖ ପରେ ଘୋଷଣା କରାଯିବ।
ପାର୍ବଣ ସମୟରେ ବଜାରରେ କିଣାକିଣି ଓ ଡିଜିଟାଲ୍ ପେମେଣ୍ଟ ବଢ଼ିଥାଏ। ଏହି ସମୟରେ ବ୍ୟବସାୟୀଙ୍କ ଉପରେ ନୂଆ ଶୁଳ୍କ ଲାଗୁ କଲେ କାରବାରରେ ପ୍ରଭାବ ହେବାର ଆଶଙ୍କା ରହିଛି।
ସୂଚନାଯୋଗ୍ୟ, ଏମଡିଆର ହେଉଛି ଡିଜିଟାଲ୍ ପେମେଣ୍ଟ ଗ୍ରହଣ କରିବା ବଦଳରେ ବ୍ୟବସାୟୀଙ୍କଠାରୁ ନିଆଯାଉଥିବା ଶୁଳ୍କ। ଏହା ଗ୍ରାହକଙ୍କଠାରୁ ନୁହେଁ, ବରଂ ବ୍ୟବସାୟୀଙ୍କଠାରୁ ଆଦାୟ କରାଯିବ।
ପୂର୍ବ ଘୋଷିତ ନିୟମ ଅନୁସାରେ, ୟୁପିଆଇ କାରବାରରେ ୨,୦୦୦ ଟଙ୍କାରୁ ଅଧିକ ଅର୍ଥରାଶି ଉପରେ ୦.୪ ପ୍ରତିଶତ ଏମଡିଆର ଲାଗୁ ହେବ। ୭୫ ହଜାର ଟଙ୍କାର କାରବାର କିମ୍ବା ତାଠାରୁ ଅଧିକ କାରବାର କଲେ ୩୦୦ ଟଙ୍କାର ଶୁଳ୍କ ଲାଗୁ ହେବ।