ପାଇଲଟ୍‌ଙ୍କ ହାଇଜାକ୍ ଆଲର୍ଟ, ଜୟପୁରରେ‌ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ସୁରକ୍ଷା ଯାଞ୍ଚ ପରେ ମିଳିଲା ଗ୍ରୀନ୍ ସିଗନାଲ୍, ତଦନ୍ତ ଜାରି

ଜୟପୁର, ୧୪/୧୦: ହାଇଜାକ୍ ଆଲର୍ଟକୁ ନେଇ ବୁଧବାର ସକାଳେ ଏୟାର ଇଣ୍ଡିଆର ଏକ ଅନ୍ତର୍ଜାତୀୟ ବିମାନକୁ ଜୟପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି। ଜର୍ମାନୀର ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର AI-2030 ବିମାନକୁ ସମ୍ଭାବ୍ୟ ହାଇଜାକ୍ ଆଲର୍ଟ ପରେ ଦିଲ୍ଲୀ ପରିବର୍ତ୍ତେ ରାଜସ୍ଥାନର ଜୟପୁରକୁ ଡାଇଭର୍ଟ କରାଯାଇଥିଲା। ବିମାନଟି ସକାଳ ପ୍ରାୟ ୯ଟା ୩୫ ମିନିଟ୍‌ରେ ଜୟପୁର ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ବିମାନରେ ଥିବା ସମସ୍ତ ୩୦୬ ଜଣ ଯାତ୍ରୀ ସୁରକ୍ଷିତ ଥିବା ସୂତ୍ରରୁ ଜଣାପଡ଼ିଛି। ଘଟଣାକୁ ନେଇ ବିମାନ ଚଳାଚଳ ନିୟାମକ ଡିଜିସିଏ ତଦନ୍ତ କରୁଛି।

ପ୍ରାଥମିକ ରିପୋର୍ଟ ଅନୁସାରେ, ବିମାନଟି ଭାରତୀୟ ଆକାଶସୀମାରେ ଥିବା ସମୟରେ ପାଇଲଟ୍‌ଙ୍କ ପକ୍ଷରୁ ଏକ ଜରୁରୀ ସୁରକ୍ଷା ସଙ୍କେତ ପଠାଯାଇଥିଲା। ବିମାନର ଟ୍ରାନ୍ସପଣ୍ଡରରେ ‘ସ୍କ୍ୱକ୍ କୋଡ୍ ୭୫୦୦’ ସକ୍ରିୟ ହୋଇଥିଲା। ଯାହା ବିମାନ ଅପହରଣ କିମ୍ବା ବିମାନରେ ବେଆଇନ ହସ୍ତକ୍ଷେପ ହେଉଥିବା ସମ୍ଭାବନା ସମ୍ପର୍କରେ ସୂଚନା ଦେବା ପାଇଁ ବ୍ୟବହାର କରାଯାଏ।

ଏହି ସଙ୍କେତ ମିଳିବା ପରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍‌ (ATC) ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ ହୋଇଯାଇଥିଲେ। ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ବିମାନଟିକୁ ଜୟପୁର ଆଡ଼କୁ ମୋଡ଼ାଯାଇଥିଲା। ତେବେ ପାଇଲଟ୍‌ଙ୍କ ପକ୍ଷରୁ ଏହି ସଙ୍କେତ କେଉଁ ପରିସ୍ଥିତିରେ ପଠାଯାଇଥିଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ଜୟପୁର ବିମାନବନ୍ଦରରେ ଅବତରଣ ପରେ ବିମାନଟିକୁ ଏକ ନିର୍ଦ୍ଦିଷ୍ଟ ଆଇସୋଲେସନ୍ ବେ’କୁ ନିଆଯାଇଥିଲା। ସେଠାରେ ସୁରକ୍ଷା ଏଜେନ୍ସି ଓ ପୁଲିସ ପକ୍ଷରୁ ବିମାନର ଯାଞ୍ଚ କରାଯାଇଥିଲା। ଯାତ୍ରୀମାନଙ୍କୁ ମଧ୍ୟ ବିମାନରୁ ଓହ୍ଲାଇ ଟର୍ମିନାଲ୍‌କୁ ନିଆଯାଇ ସୁରକ୍ଷା ସମ୍ପର୍କିତ ଯାଞ୍ଚ କରାଯାଇଥିଲା।

ଜୟପୁର ବିମାନବନ୍ଦରର ଅଧିକାରୀଙ୍କ ସୂଚନା ଅନୁସାରେ, ବିମାନରେ ଥିବା ସମସ୍ତ ୩୦୬ ଜଣ ଯାତ୍ରୀ ସୁରକ୍ଷିତ ଭାବେ ଅବତରଣ କରିଥିଲେ। ଯାଞ୍ଚ ସମୟରେ ଯାତ୍ରୀମାନଙ୍କୁ ଆତଙ୍କିତ ନହେବାକୁ କୁହାଯାଇଥିଲା। ପ୍ରାରମ୍ଭିକ ତଥ୍ୟ ଅନୁସାରେ, ହାଇଜାକ୍ ଘଟଣାର କୌଣସି ପ୍ରମାଣ ମିଳିନଥିବା ଏବଂ ଆଲର୍ଟଟି ଭୁଲ୍‌ରେ ଜାରି ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଏହାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ହେବା ପରେ ପୁଣି ବିମାନକୁ ଉଡ଼ାଣ ପାଇଁ ଅନୁମତି ଦିଆଯାଇଥିଲା।